
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହର ଭାରତ ଉପରେ କଳା ବାଦଲ ବିଛାଇ ଦେଇଛି। ହସ୍ପିଟାଲରେ ଅକ୍ସିଜେନ, ଆଇସିୟୁ ବେଡ, ଭେଣ୍ଟିଲେଟର ଓ ଔଷଧର ଅଭାବ ଦେଖା ଦେଇଛି। ଅନେକ ରୋଗୀ ଏହି କରୋନା ଯୁଦ୍ଧରେ ହାରି ଯାଉଛନ୍ତି। ଏଭଳି ସମୟରେ ଯିଏ ଯେମିତି ହେଉ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି।
ବିଶେଷ ଭାବେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରୋଗୀଙ୍କୁ ଅକ୍ସିଜେନ ଅଭାବ ବି ଦେଖା ଦେଇଛି। ଏଣୁ ନିକଟରେ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ଅକ୍ସିଜେନ ସିଲିଣ୍ଡର ଧରି ୨୪ଘଣ୍ଟା ମଧ୍ୟରେ ୧୪୦୦କିମି ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି।
ମଧ୍ୟପ୍ରଦେଶରେ ଚମ୍ପାଲାଲ ଗର୍ଜର ବସବାସ କରନ୍ତି। ସେ ନିଜର ଝିଅର ବିବାହ ପାଇଁ ବହୁ କଷ୍ଟରେ ଦୁଇଲକ୍ଷ ଟଙ୍କା ଏକାଠି କରିଥିଲେ। ଏବେ କରୋନା ସଂକ୍ରମିତ ଲୋକେ ଅକ୍ସିଜେନ ଅଭାବରୁ ପ୍ରାଣ ହରାଉଥିବା ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ପରିସ୍ଥିତିକୁ ଦୃଷ୍ଟି ରଖି ଚମ୍ପାଲାଲ ଗର୍ଜର ଜିଲ୍ଲା ପ୍ରଶାସନଙ୍କୁ ୨ଲକ୍ଷ ଟଙ୍କା ଅକ୍ସିଜେନ କିଣିବାକୁ ଦାନ କରିଛନ୍ତି। ଏହାପରେ ଲୋକେ ଚମ୍ପାଲାଲ ଗର୍ଜରଙ୍କ ଏହି କାମକୁ ଭୁରଭୁରି ପ୍ରଶଂସା କରୁଛନ୍ତି।

ମଧ୍ୟପ୍ରଦେଶର ନିମଚ ଜିଲ୍ଲାରେ ରହୁଥିବା ଚାଷୀ ଚମ୍ପାଲାଲ ଗର୍ଜରଙ୍କ ଝିଅ ବିବାହ ପାଇଁ ୨ଲକ୍ଷ ଟଙ୍କା ଏକାଠି କରିଥିଲେ। ଏହି ଟଙ୍କାକୁ ଚମ୍ପାଲାଲ ନିମଚ ଜିଲ୍ଲା ପ୍ରଶାସନକୁ ଦାନ କରିଛନ୍ତି।
ଚମ୍ପାଲାଲ ଗର୍ଜର କହନ୍ତି, ସବୁ ବାପାଙ୍କ ଭଳି ମୋର ବି ଇଚ୍ଛା ଥିଲା କି ଝିଅର ବିବାହକୁ ଧୁମଧାମରେ କରିବି। କିନ୍ତୁ କରୋନା ମହାମାରୀ ପାଇଁ ତାହା ସମ୍ଭବ ହୋଇ ପାରିଲା ନାହିଁ। ତେଣୁ ଝିଅ ବିବାହକୁ ମନେ ରଖିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଥିଲି।
ଚମ୍ପାଲାଲ ଗର୍ଜରଙ୍କ ଝିଅ ଅନୀତା କହନ୍ତି, ବାପା ଯେଉଁ ନିଷ୍ପତ୍ତି ନେଇଛନ୍ତି ସେଥିରେ ମୁଁ ଖୁସି ଅଛି। ମୋର ବିବାହ ପାଇଁ ଯେଉଁ ଖର୍ଚ୍ଚ ହୋଇଥାଆନ୍ତା, ସେହି ଟଙ୍କା ଦ୍ବାରା ରୋଗୀଙ୍କ ଜୀବନ ବଞ୍ଚି ପାରିବ।
The post ଝିଅ ବିବାହ ପାଇଁ ବହୁ କଷ୍ଟରେ ଏକାଠି କରିଥିବା ୨ଲକ୍ଷ ଟଙ୍କାକୁ ଅକ୍ସିଜେନ କିଣିବା ପାଇଁ ଦାନ କରିଦେଲେ ଚାଷୀ ବାପା first appeared on Sambad.from ବିଶେଷ | Sambad https://ift.tt/3e1GQqA
0 Comments