ଉଦ୍ୟମ ସାମ୍ନାରେ ହାର ମାନିଲା ପ୍ରତିରୋଧ, ଜଳ ପରିଚାଳନା ଯନ୍ତ୍ର ତିଆରି କରି ଚର୍ଚ୍ଚାରେ ଖଞ୍ଜନେତ୍ର

ଜୟପାଟଣା: ଗୋଟିଏ ଏକର ଜମି ଚାଷ କରି ପରିବାର ପୋଷଣ କରୁଥିଲେ ଖଞ୍ଜନେତ୍ର ରାଉତ। କିନ୍ତୁ ଉପର ମୁଣ୍ଡର ଚାଷୀମାନେ ତାଙ୍କୁ ଅସହଯୋଗ କରି ପାଣି ଯୋଗାଇବାକୁ ସମ୍ପୂର୍ଣ୍ଣ ମନା କଲେ। ଏହି ଘଟଣା ପ୍ରଥମେ ତାଙ୍କ ମନକୁ ଆଘାତ ଦେଇଥିଲା। କିନ୍ତୁ ଏହି ଘଟଣାରେ ସେ ଭାଙ୍ଗି ପଡ଼ିନଥିଲେ। ସ୍ବଳ୍ପ ଶିକ୍ଷା ମଧ୍ୟରେ ବୁଦ୍ଧି ପ୍ରୟୋଗ କରି ଏକ ମାସର ଅକ୍ଳାନ୍ତ ପରିଶ୍ରମରେ କେନାଲ୍‌ ଉପରେ ଏକ ଜଳ ପରିଚାଳନା ଯନ୍ତ୍ର ତିଆରି କଲେ। କାଠ ବାଉଁଶ, ଟିଣ, ବୋତଲ ଓ ରଶି ସାହାଯ୍ୟରେ ଏକ ଅଭିନବ ଜଳ ପରିଚାଳନା ଯନ୍ତ୍ର ତିଆରି କଲେ। ନିଜେ ସଫଳତା ପାଇବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଗଲେ।

ଖଞ୍ଜନେତ୍ରଙ୍କ ଅଭିନବ ଯନ୍ତ୍ରକୁ ପ୍ରତିଦିନ ଲୋକମାନେ ଦେଖିବାକୁ ଯାଉଛନ୍ତି, ପ୍ରଶଂସା ବି କରୁଛନ୍ତି। ପରିବାରର ମୋଟ୍‌ ୫ଜଣଙ୍କୁ ନେଇ ଗୋଟିଏ ଏକର ଜମି ଓ ଛୋଟିଆ ଏକ ତେଜରାତି ଦୋକାନ ସହାୟତାରେ ପେଟପାଟଣା କରିଥିବା ଜୟପାଟଣା ବ୍ଲକ୍‌ ମଙ୍ଗଳପୁର ପଞ୍ଚାୟତ ରଜାମୁଣ୍ଡା ଗ୍ରାମର ଖଞ୍ଜନେତ୍ର ସବୁବେଳେ ସଂଘର୍ଷମୟ ଜୀବନ ବିତାଉଥିଲେ। ଚଳିତ ଡାଳୁଅରେ ଉପର ମୁଣ୍ଡର ଚାଷୀମାନେ ପାଣି ଛାଡ଼ିବା ପାଇଁ ରୋକ୍‌ଠୋକ୍‌ ମନା କରିଥିଲେ।

ତେଣୁ ସ୍ଥାନୀୟ ଅଞ୍ଚଳରେ ବିନାମୂଲ୍ୟରେ ମିଳୁଥିବା ସାମଗ୍ରୀକୁ ଏକାଠି କରି ନିଜର ଜ୍ଞାନକୌଶଳ ବିନିଯୋଗ କରିଥିଲେ। ଜମିଠାରୁ ତିରିଶ ମିଟର ଦୂରରେ ଖାଲୁଆ ସ୍ଥାନରେ କେନାଲ୍‌ ଅଛି। ସେଠାରୁ ଉକ୍ତ ପରିଚାଳନା ଯନ୍ତ୍ରରୁ ଅନବରତ ଜମିକୁ ପାଣି ପହଞ୍ଚୁଛି। ଏହି ଯନ୍ତ୍ରକୁ ବୈଜ୍ଞାନିକ ପଦ୍ଧତିରେ ସରକାରଙ୍କ ଦ୍ୱାରା ବିକଶିତ କରାଗଲେ କେନାଲ, ନାଳା ପାଖରେ ଥାଇ ଜଳସେଚନରୁ ବଞ୍ଚିତ ଥିବା ଚାଷୀଙ୍କ ପାଇଁ ଏହା ବହୁତ ଲାଭପ୍ରଦ ହୁଅନ୍ତା। ଏହାସହ ମୋର ଶ୍ରମ ସାର୍ଥକ ହୁଅନ୍ତା ବୋଲି ଖଞ୍ଜନେତ୍ର ପ୍ରକାଶ କରିଛନ୍ତି।

The post ଉଦ୍ୟମ ସାମ୍ନାରେ ହାର ମାନିଲା ପ୍ରତିରୋଧ, ଜଳ ପରିଚାଳନା ଯନ୍ତ୍ର ତିଆରି କରି ଚର୍ଚ୍ଚାରେ ଖଞ୍ଜନେତ୍ର first appeared on Sambad.

from ବିଶେଷ | Sambad https://ift.tt/32LY4SN

Post a Comment

0 Comments