
ନୂଆଦିଲ୍ଲୀ: ନିକଟରେ ଫୁଡ୍ ଡେଲିଭରିଂ ସାଇଟ୍ ‘ଜୋମାଟୋ’ର ଜଣେ ଡେଲିଭରି ବୟ ବେଙ୍ଗାଲୁରର ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଡେଲିଭରି ବୟ ଜଣକ। ସେ କହିଛନ୍ତି ମହିଳା ଜଣକ ପ୍ରଥମେ ତାଙ୍କୁ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ଚପଲରେ ପିଟିଥିଲେ। ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ମହିଳା ଜଣକ ବରାଦ ଦେଇଥିବା ଖାଦ୍ୟ ବାତିଲ୍ କରିବା କାରଣରୁ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ‘ଜୋମାଟୋ’ର ଡେଲିଭରି ବୟ। ମାତ୍ର ଏହା ସଂପୂର୍ଣ୍ଣ ଗୁଜବ ବୋଲି ଅଭିଯୁକ୍ତ ଡେଲିଭରି ବୟ ଜଣକ ନିଜ ବୟାନରେ ସଫେଇ ଦେଇଛନ୍ତି।
ମହିଳା ଗ୍ରାହକ ଜଣକ ହେଉଛନ୍ତି ହିତେଶା ଚନ୍ଦ୍ରାଣୀ। ଡେଲିଭରି ବୟ ପୂରା ଘଟଣାର ବିବରଣୀ ଦେଇ କହିଛନ୍ତି କି ମହିଳା ଜଣକ ଜୋମାଟୋରୁ ଖାଦ୍ୟ ବରାଦ କରିଥିଲେ। ମାତ୍ର ଖାଦ୍ୟ ପହଞ୍ଚାଇବାରେ ଟିକେ ବିଳମ୍ବ ହୋଇ ଯାଇଥିଲା। ସେହି କାରଣରୁ ଡେଲିଭରି ବୟ ଜଣଙ୍କୁ ତାଙ୍କୁ ଅନେକ ବାର କ୍ଷମା ମଧ୍ୟ ମାଗିଥିଲେ। ମାତ୍ର ମହିଳା ଜଣକ ତାଙ୍କ ପରିସ୍ଥିତି ବୁଝିବା ବଦଳରେ ଓଲଟା ତାଙ୍କ ସହ କ୍ରୁର ବ୍ୟବହାର କରିଥିଲେ ବୋଲି ଡେଲିଭରି ବୟ ଜଣକ ଅଭିଯୋଗ ଆଣି କହିଛନ୍ତି।
ମହିଳାଙ୍କ ନାକରୁ ରକ୍ତ ବାହାରିବା ନେଇ ଡେଲିଭରି ବୟ ଜଣକ କହିଛନ୍ତି କି ମହିଳା ଜଣକ ଯେତେବେଳେ ତାଙ୍କୁ ଆକ୍ରମଣ କରୁଥିଲେ ସେ ନିଜକୁ ବଞ୍ଚାଇବା ପାଇଁ ହାତ ଦେଇ ଦେବାରୁ ହାତ ମୁଦି ବାଜି ମହିଳାଙ୍କ ନାକରୁ ରକ୍ତ ବାହାରିଥିଲା। ସେ ଜାଣି ଜାଣି ମହିଳାଙ୍କୁ ଆକ୍ରମଣ କରିନାହାନ୍ତି।
The post ମହିଳାଙ୍କୁ ଆକ୍ରମଣ କରିବା କଥାକୁ ଅସ୍ବୀକାର କଲେ ଜୋମାଟୋ ଡେଲିଭରି ବୟ first appeared on Sambad.
from ବିଶେଷ – Sambad https://ift.tt/3lgehrB
0 Comments