
୧୯୪୩ର କଥା। ବିଶ୍ବର ଅର୍ଦ୍ଧାଧିକ ଅଞ୍ଚଳରେ ଚାଲିଥାଏ ଭୟଙ୍କର ଦ୍ବିତୀୟ ବିଶ୍ବ ଯୁଦ୍ଧ। ସମୁଦ୍ର ବି ନ ଥାଏ ନିରାପଦ। ମୁଖ୍ୟ ସାମୁଦ୍ରିକ ପଥଗୁଡ଼ିକରେ ଜର୍ମାନ୍ ୟୁ-ବୋଟ୍ଗୁଡ଼ିକ ଆଧିପତ୍ୟ ବିସ୍ତାର କରିଥାଆନ୍ତି। ସେହି ସମୟରେ ‘ବେନ୍ ଲୋମଂଡ୍’ ନାମକ ବ୍ରିଟିସ୍ ପଣ୍ୟବାହୀ ଜାହାଜ ବ୍ରାଜିଲ୍ ଅଭିମୁଖେ ଯାତ୍ରା କରୁଥିଲା। କୌଣସି କାରଣ ନ ଥାଇ ଏକ ଜର୍ମାନ୍ ୟୁ-ବୋଟ୍, ଟର୍ପେଡୋ ଦ୍ବାରା ତାହାକୁ ଧ୍ବ˚ସ କରିଦେଲା। ସେଥିରେ ଥିବା ସମସ୍ତ ନାବିକ ପ୍ରାଣ ହରାଇଲେ। ତେବେ, ଦୈବାତ୍ ବର୍ତ୍ତିଗଲେ ପୁନ୍ ଲିମ୍ ନାମକ ନାବିକ। ଜାହାଜଟି ବୁଡ଼ିବା ପୂର୍ବରୁ ଏକ ଜୀବନ ରକ୍ଷାକାରୀ ଭେଳା ଉପରକୁ ଡେଇଁ କୌଣସି ପ୍ରକାରେ ପ୍ରାଣ ବଞ୍ଚାଇଲେ ଲିମ୍।
ରାତ୍ରିର ଘନ ଅନ୍ଧକାର ମଧୢରେ କିଛି ଦିଶୁ ନ ଥାଏ। ସକାଳେ ମଝି ସମୁଦ୍ରରେ ନିଜକୁ ସଂପୂର୍ଣ୍ଣ ଏକୁଟିଆ ଆବିଷ୍କାର କଲେ। ଭେଳାରେ ଥାଏ, ଅଳ୍ପ କିଛି ଶୁଖିଲା ଖାଦ୍ୟ ଓ କିଛି ବୋତଲ ପାଣି। ନା ଥାଏ କାତ ନା ଅଝାଲ। ସମୁଦ୍ର ସ୍ରୋତ ଉପରେ ଭରସା କରିବା ଛଡ଼ା ଅନ୍ୟ ଗତି ନ ଥିଲା। ସେହି ଅବସ୍ଥାରେ ସମୁଦ୍ର ଭିତରେ କଟିଥିଲା ୧୩୩ ଦିନ। ଶେଷରେ ଜାହାଜ ବୁଡ଼ିଥିବା ସ୍ଥାନଠାରୁ ପ୍ରାୟ ଦୁଇ ହଜାର ମାଇଲ୍ ଦୂରରେ କେତେକ ବ୍ରାଜିଲୀୟ ଧୀବର ତାଙ୍କୁ ଉଦ୍ଧାର କରିଥିଲେ। ଲିମ୍ଙ୍କ ଛଡ଼ା ଅନ୍ୟ କେହି ଏତେ ଦିନ ଧରି ସମୁଦ୍ର ଭିତରେ ଏକଲା ଜୀବନ ବିତାଇଥିବାର ଦୃଷ୍ଟାନ୍ତ ନାହିଁ। ସେହି କଷ୍ଟଦାୟକ ଅବସ୍ଥାରେ ତାଙ୍କର ଶରୀରର ଓଜନ ଅଧାକୁ ଖସିଆସିଥିଲେ ହେଁ ସେ ରୋଗରେ ପଡ଼ି ନ ଥିଲେ। ତାଙ୍କର ଅପୂର୍ବ ସାହସ ପାଇଁ ବ୍ରିଟେନ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଚର୍ଚିଲ୍ ତାଙ୍କୁ ପୁରସ୍କୃତ କରିଥିଲେ।
The post ଭେଳା ଉପରେ ୧୩୩ ଦିନ first appeared on Sambad.
from ବିଶେଷ – Sambad https://ift.tt/3sLffi6
0 Comments