କୁଖ୍ୟାତ ଚଢ଼େଇ ଡିମ୍ବ ଚୋର!

କଲିନ୍‌ ୱାଟ୍‌ସନ୍‌ ଥିଲେ, ଇ˚ଲଣ୍ତ୍‌ର କୁଖ୍ୟାତ ଚଢ଼େଇ ଡିମ୍ବ ଚୋର। ସେଲ୍‌ବିର ବାସିନ୍ଦା କଲିନ୍‌ ଏକ ଶକ୍ତି ଉଦ୍ୟୋଗରେ ଚାକିରି କରୁଥିଲେ। ନିଜର ସମସ୍ତ ଅବସର ସମୟକୁ ସେ ଚଢ଼େଇ ଅଣ୍ତା ଚୋରିରେ ଲଗାଉଥିଲେ। ଚଢ଼େଇ ଅଣ୍ତା ସ˚ଗ୍ରହ କରିବା ଥିଲା, ତାଙ୍କର ଏକ ମାତ୍ର ଝୁଙ୍କ ବା ନିଶା। ୧୯୮୧ ପର୍ଯ୍ୟନ୍ତ ବିନା ବାଧାରେ ସବୁ ଚାଲିଥିଲା। ସେହି ବର୍ଷ କେହି ଘରୋଇ ଭାବେ ଚଢ଼େଇ ଅଣ୍ତା ସ˚ଗ୍ରହ କରିପାରିବେନାହିଁ ବୋଲି ଆଇନ ପ୍ରଣୟନ ହେଲା। ସେତେ ବେଳକୁ କଲିନ୍‌ଙ୍କ ନିକଟରେ ଥାଏ ୨୨୦୦ଟି ବିରଳ ପକ୍ଷୀ ଡିମ୍ବ। ସ˚ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ସେତକ ଜମା ଦେଇଥିଲେ କଥା ଛିଡ଼ିଥା’ନ୍ତା। ସେ କିନ୍ତୁ ତାହା ନ କରି ଚଢ଼େଇ ଡିମ୍ବ ଚୋରିରେ ଲିପ୍ତ ରହିଲେ।

କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆଢ଼ୁଆଳରେ ଛପି ରହିପାରିବେ କେତେ ଦିନ! ଦିନେ ଗଛରେ ଚଢ଼ି, ଚଢ଼େଇ ବସାରୁ ଅଣ୍ତା ଚୋରି କରୁଥିବା ବେଳେ ଧରାପଡ଼ିଲେ। ଜରିମାନା ଦେଲେ। କିନ୍ତୁ, ସୁଧୁରିଲେନାହିଁ। ଅଣ୍ତା ଚୋରି କରୁଥିବା ବେଳେ ସେ ମୋଟ ଛଅ ଥର ଧରାପଡ଼ି, ଜରିମାନା ବାବଦକୁ ଗଣିଥିଲେ, ଭାରତୀୟ ମୁଦ୍ରାରେ ପ୍ରାୟ ଛଅ ଲକ୍ଷ ଟଙ୍କା। ଆଉ ଚଢ଼େଇ ଡିମ୍ବ ହିଁ ଦିନେ ତାଙ୍କ ଅକାଳ ମୃତ୍ୟୁର କାରଣ ବନିଥିଲା। ଦକ୍ଷିଣ ୟର୍କ‌୍‌ସାୟାର‌୍‌ର ଗୋଟିଏ ଉଞ୍ଚା ଗଛରେ ଚଢ଼ି ଡିମ୍ବ ଚୋରି କରୁଥିବା ବେଳେ ଗୋଡ଼ ଖସିଯିବାରୁ ପଡ଼ିଥିଲେ, ପ୍ରାୟ ଚାଳିଶ ଫୁଟ୍‌ ତଳେ। ପରିଣାମ ସ୍ବରୂପ ମାତ୍ର ତେଷଠି ବର୍ଷ ବୟସରେ ଜୀବନ ଯାଇଥିଲା।

The post କୁଖ୍ୟାତ ଚଢ଼େଇ ଡିମ୍ବ ଚୋର! first appeared on Sambad.



from ବିଶେଷ – Sambad https://ift.tt/3cGUxK2

Post a Comment

0 Comments