ଅକ୍ଟୋବର ମାସରୁ ସୌର ଶକ୍ତିରେ ଦୌଡିବ ଟ୍ରେନ, କେଉଁଠାରେ ଆରମ୍ଭ ହେବ ସେବା ଜାଣନ୍ତୁ

ଭିଲାଇ: ଆସନ୍ତା ଅକ୍ଟୋବର ମାସରୁ ସୌର ଶକ୍ତିରେ ଚାଲିବ ଟ୍ରେନ | ଛତିଶଗଡର ରାଜଧାନୀ ରାୟପୁର ଏବଂ ଦୁର୍ଗ ମଧ୍ୟରେ ଏହି ଟ୍ରେନ ଚାଲିବ | ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ୩୧୦ କୋଟି ଟଙ୍କା ବ୍ୟୟରେ ଜାଞ୍ଜଗିରିରେ ୨୧୦ ଏକରରେ ସୌର ବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରୁଛି। ସୌର ପ୍ୟାନେଲ ସ୍ଥାପନ ପାଇଁ ସ୍ତମ୍ଭ ନିର୍ମାଣ କରାଯାଇଥିବାବେଳେ କେବୁଲ ଲଗାଇବା କାମ ଆରମ୍ଭ ହେବାକୁ ଯାଉଛି। ମିଳିଥିବା ସୂଚନା ମୁତାବକ ନିର୍ମାଣ ହେବାକୁ ଥିବା ସୌର ପ୍ରକଳ୍ପ ପ୍ରତିଦିନ ପ୍ରାୟ ୫୦ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବ | ଏହା ସହିତ ରାୟପୁର ଏବଂ ଦୁର୍ଗ ମଧ୍ୟରେ ଚାଲୁଥିବା ୧୨୦ଟି ପାସେଞ୍ଜର ଏବଂ ମାଲବାହୀ ଟ୍ରେନ୍ ଏହି ସୌରଶକ୍ତି ଦ୍ୱାରା ଚାଲିବ |

photo-renewable watch

ଏହା ଦ୍ୱାରା ରେଳବାଇ ବାର୍ଷିକ ୧୪ କୋଟି ଟଙ୍କା ସଞ୍ଚୟ କରିବ। ଏହି ସୌର ପ୍ରକଳ୍ପଟି ଚେନ୍ନାଇର ସନ୍ ଏଡିସନ୍ ପ୍ରାଇଭେଟ ଲିମିଟେଡ୍ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଉଥିବାବେଳେ ରେଲୱେ ଏନର୍ଜି ମ୍ୟାନେଜମେଣ୍ଟ କମ୍ପାନୀ ଲିମିଟେଡ଼ ମଧ୍ୟ ଭାଗୀଦାର ରହିଛି | ସୌର ଶକ୍ତିରୁ ଉତ୍ପାଦିତ ବିଦ୍ୟୁତକୁ ପାୱାର ଗ୍ରୀଡ଼ ମାଧ୍ୟମରେ ରେଳବାଇକୁ ଯୋଗାଣ କରାଯିବ। ବର୍ତ୍ତମାନ ରେଳବାଇ ଛତିଶଗଡ ରାଜ୍ୟ ବିଦ୍ୟୁତ୍ କମ୍ପାନୀକୁ ୟୁନିଟ୍ ପିଛା ୫ ଟଙ୍କା ୭୦ପଇସା ରୁ ୬ ଟଙ୍କା ୧୦ ପଇସା ପ୍ରଦାନ କରୁଛି।

ସେହି ଅନୁଯାୟୀ, ରାୟପୁର ଡିଭିଜନ ପାଇଁ ମାସକୁ ଦୁଇ କୋଟି ଟଙ୍କା ପ୍ରଦାନ କରାଯାଏ। ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ରେଳବାଇ ୟୁନିଟ୍ ପିଛା ୨ ଟଙ୍କା ୭୦ ପଇସା ପର୍ଯ୍ୟନ୍ତ ସଞ୍ଚୟ କରିବ | ଆସନ୍ତା ୨୫ ବର୍ଷ ପାଇଁ ଏହି ସୌର କାରଖାନା କାର୍ଯ୍ୟକ୍ଷମ ରହିବ ବୋଲି ଲକ୍ଷ୍ୟ ରଖାଯାଇଛି | ରେଳ ମନ୍ତ୍ରାଳୟ ୨୭ ବର୍ଷ ପାଇଁ ସେମାନଙ୍କ ଜମି ଲିଜ୍ ଦେଇଛି | ଏହାଦ୍ୱାରା ରେଳବାଇ ବାର୍ଷିକ ପ୍ରାୟ ୧୪ କୋଟି ଟଙ୍କା ଏବଂ ୨୫ ବର୍ଷରେ ୩୬୦ କୋଟି ଟଙ୍କା ସଞ୍ଚୟ କରିପାରିବ |

The post ଅକ୍ଟୋବର ମାସରୁ ସୌର ଶକ୍ତିରେ ଦୌଡିବ ଟ୍ରେନ, କେଉଁଠାରେ ଆରମ୍ଭ ହେବ ସେବା ଜାଣନ୍ତୁ first appeared on Sambad.



from ବିଶେଷ – Sambad https://ift.tt/3tkTVjM

Post a Comment

0 Comments