
ରାଜନଗର: ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ ଓ ସଚେତନ କରି ଲୁଣାଜଙ୍ଗଲ ସୃଷ୍ଟି କରିପାରିଥିବା ବିଜୟ କୁମାର କବିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୧୩ ତାରିଖରେ ଟୁଇଟ୍ କରି ପ୍ରଶଂସା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବଡ଼କୋଟ ଗାଁର ହଂସୁଆ ନଦୀ କୂଳେ ୨୫ ଏକର ଜମିରେ ଲୁଣା ଜଙ୍ଗଲ ସୃଷ୍ଟି କରିଥିବାରୁ ବିଜୟଙ୍କୁ ପ୍ରଶଂସା କରିବା ସହ ଏ ନେଇ ଟୁଇଟ୍ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍ର ୧୫ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ରେ ଲୁଣାଜଙ୍ଗଲ ସୃଷ୍ଟି କରିଥିବା ବିଜୟଙ୍କୁ ପ୍ରଶଂସା କରିଥିଲେ। ଏଭଳି ଏକ ଉଦ୍ୟମ ଗୋଷ୍ଠୀସ୍ତରରେ ସ୍ବାଗତଯୋଗ୍ୟ। ତାଙ୍କ ନେତୃତ୍ବରେ ଲୁଣା ଜଙ୍ଗଲ ସୃଷ୍ଟି କରାଯାଇଥିବାରୁ ବିଜୟଙ୍କୁ ବଧାଇ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ବିଜୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। କେନ୍ଦ୍ରାପଡ଼ା ବ୍ଲକ କେଶପୁର ପଂଚାୟତ ହାଟପାଟଣା ଗାଁର ୫୦ ବର୍ଷୀୟ ବିଜୟ କୁମାର କବି ପରିବେଶ ସଚେତନ ଓ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛନ୍ତି।
୧୯୯୯ ମହାବାତ୍ୟା ପରେ ବଡକୋଟ ନିକଟରେ ହଂସୁଆ ନଈ ଗାଁ ଭିତରକୁ ମାଡି ଆସିବା ପରେ ନଈ ଆଁରୁ ଗାଁକୁ ରକ୍ଷା କରିବା ପାଇଁ ବିଜୟ ସେଠାରେ ଲୁଣା ଜଙ୍ଗଲର ପରିକଳ୍ପନା କରିଥିଲେ। ୨୦୦୭–୦୮ରେ ଗାଁରେ ପହଁଚି ଗ୍ରାମବାସୀଙ୍କ ସହ ଏ ନେଇ ଆଲୋଚନା କରିଥିଲେ। ପାଖ ଜଙ୍ଗଲରୁ ଲୁଣା ଜାତୀୟ ଗଛର ଚାରା ସଂଗ୍ରହ କରି ଗ୍ରାମବାସୀଙ୍କ ସହଯୋଗରେ ନଦୀ କୂଳେ କୂଳେ ଚାରାରୋପଣ କରିଥିଲେ। ପ୍ରତ୍ୟେକ ପରିବାରର ପୁରୁଷ ଓ ମହିଳା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶ୍ରମ ଦାନ କରିଥିଲେ। ଦୀର୍ଘ ୧୨ ବର୍ଷର ପ୍ରଚେଷ୍ଟା ଫଳରେ ନଈ କୂଳେ କୂଳେ ୨୫ ଏକରର ଲୁଣାଜଙ୍ଗଲ ସୃଷ୍ଟି ହୋଇପାରିଛି। ଏହି ଲୁଣା ଜଙ୍ଗଲ ସୃଷ୍ଟି ପାଇଁ କୌଣସି ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ନାହିଁ। ଜଙ୍ଗଲରେ ପ୍ରାୟ ୩୦ ହଜାରରୁ ଅଧିକ ଗଛ ରହିଛି। ଏହି ଜଙ୍ଗଲ ବିଭିନ୍ନ ପକ୍ଷୀ ଓ ପଶୁମାନଙ୍କ ବାସସ୍ଥଳୀ ପାଲଟିଛି। କୋଇଲିପୁର ପଂଚାୟତର ସରପଂଚ ରଶ୍ମିତା ପ୍ରତିହାରୀ ଶ୍ରୀ କବିଙ୍କୁ ବଧାଇ ଜଣାଇବା ସହିତ ତାଙ୍କର ପ୍ରୋତ୍ସାହନ ଓ ସଚେତନତା କାର୍ଯ୍ୟକ୍ରମ ଫଳରେ ଏହି ପଂଚାୟତରେ ନଦୀ କୂଳେ କୂଳେ ଲୁଣା ଜଙ୍ଗଲ ସୃଷ୍ଟି ହୋଇପାରିଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ନଦୀ କୂଳେ କୂଳେ ଲୁଣା ଜଙ୍ଗଲ ସୃଷ୍ଟି ହେବାପରେ ତାହା ଗାଁର ସୁରକ୍ଷା କବଚ ପାଲଟିଛି।
The post ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ରେ ପ୍ରଶଂସା; ଗ୍ରାମବାସୀଙ୍କ ସହଯୋଗରେ ଲୁଣା ଜଙ୍ଗଲ ସୃଷ୍ଟି କରି ଚର୍ଚ୍ଚାରେ ବିଜୟ first appeared on Sambad.from ବିଶେଷ | Sambad https://ift.tt/3u5EdcL
0 Comments