ଝିଅର ପ୍ରେରଣା ପାଇବା ପରେ ୬୨ ବର୍ଷରେ ପରୀକ୍ଷା ଦେଲେ ବିଜେପି ବିଧାୟକ

ଜୟପୁର: ଝିଅର ପ୍ରେରଣା ପାଇବା ପରେ ପରୀକ୍ଷା କେନ୍ଦ୍ରରେ ପହଁଚିଲେ ବିଧାୟକ ଫୁଲ ସିଂହ ମିନା | ଆଜି ଆମେ ଆପଣଙ୍କୁ ଏମିତି ଜଣେ ବିଧାୟକଙ୍କ କାହାଣୀ କହିବୁ, ଯାହାକି ପ୍ରମାଣ କରିଛି ଯେ ଜଣଙ୍କର ପାଠ ପଢ଼ିବାର ଇଚ୍ଛା ଥିଲେ କୌଣସି ପ୍ରତିବନ୍ଧକ ବାଧକ ସାଜିପାରିବ ନାହିଁ | ୪୦ ବର୍ଷ ପୂର୍ବେ ଘରର ଆର୍ଥିକ ଅବସ୍ଥାକୁ ଦେଖି ପାଠପଢ଼ାରେ ଡୋରି ବାନ୍ଧିଥିଲେ ଫୁଲ ସିଂହ | ଖଣ୍ଡେ ଚାକିରି ଆଶାରେ ନିଜ ଘର ଭିଲୱାରା ଛାଡି ଉଦୟପୁରକୁ ଆସି ଏଠାରେ କାମ କରିବା ଆରମ୍ଭ କରିଥିଲେ | ଫୁଲ ସିଂହ ଉଦୟପୁରରେ ଶ୍ରମିକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ | ଶ୍ରମିକ ଭାବେ ନିଜ ସହକର୍ମୀଙ୍କ ସହ ଭଲ ସମ୍ପର୍କ ପାଇଁ ସେ ଉଦୟପୁର ମ୍ୟୁନିସିପାଲିଟି ପରିଷଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ବିଜୟୀ ହୋଇଥିଲେ। ତାଙ୍କର ସ୍ୱଭାବ ଏବଂ ଲୋକପ୍ରିୟତାକୁ ଦେଖି ବିଜେପି ପକ୍ଷରୁ ୨୦୧୩ ରେ ଉଦୟପୁର ଗ୍ରାମୀଣରୁ ବିଧାୟକ ପ୍ରାର୍ଥୀ ଭାବେ ଟିକଟ ଦିଆଯାଇଥିଲା |

ଆଉ ଫୁଲ ସିଂହ ବିଧାୟକ ଭାବେ ଜିତିଥିଲେ | ପରେ ୨୦୧୮ରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ଯଦିଓ ସେ ଜଣେ ବିଧାୟକ ହୋଇଥିଲେ ତଥାପି ତାଙ୍କ ମନରେ ପାଠ ପଢ଼ିବାର ଇଚ୍ଛା ସବୁବେଳେ ରହିଥିଲା | କୌଣସି ବିଦ୍ୟାଳୟକୁ ଅତିଥି ଭାବରେ ତାଙ୍କୁ ଡକାଯାଉଥିଲେ ବି ପାଠପଢ଼ାରେ ଡୋରି ବାନ୍ଧିଥିବାରୁ ସେ ଲଜ୍ଜିତ ଅନୁଭବ କରୁଥିଲେ | ଏହା ପରେ ସେ ତାଙ୍କ ମନରେ ସ୍ଥିର କଲେ ଯେ ସେ ପାଠ ପଢିବେ ଓ ଏହି କାର୍ଯ୍ୟରେ ତାଙ୍କ ଝିଅମାନେ ତାଙ୍କୁ ସାହାଯ୍ୟ କରିଥିଲେ |

୨୦୧୪ ମସିହାରେ ଫୁଲ ସିଂହଙ୍କ ଝିଅ ତାଙ୍କର ଦଶମ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିବାବେଳେ ବିଧାୟକ ହେବା ପରେ ବ୍ୟସ୍ତତା ହେତୁ ପରୀକ୍ଷା ଦେଇପାରିନଥିଲେ। ୨୦୧୫ ମସିହାରେ ତାଙ୍କ ଝିଅ ପୁଣି ଫର୍ମ ପୂରଣ କରିଥିଲେ, ଆଉ ଫୁଲ ସିଂହ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ | ୨୦୧୬-୧୭ ବର୍ଷରେ ସେ ଯୁକ୍ତ ଦୁଇ ପାସ କରିବା ପରେ ବର୍ତ୍ତମାନ ସେ ମହାବୀର ବିଶ୍ୱବିଦ୍ୟାଳୟରେ ୨୦୨୧ ରେ ଯୁକ୍ତ ୩ କଳାର ଶେଷ ବର୍ଷ ପରୀକ୍ଷା ଦେଉଛନ୍ତି | ସୂଚନା ମୁତାବକ ବିଧାୟକ ଫୁଲ ସିଂଙ୍କର ପାଞ୍ଚ ଜଣ ଝିଅ ଥିବାବେଳେ ସମସ୍ତେ ଶିକ୍ଷିତା । ଆଉ ଫୁଲ ସିଂହ କହିଛନ୍ତି ଯେ ଝିଅମାନଙ୍କର ପ୍ରେରଣା ଓ ନିଜର ଆଗ୍ରହ ଯୋଗୁଁ ହିଁ ସେ ପରୀକ୍ଷା ଦେବାକୁ ଆସିଛନ୍ତି |

The post ଝିଅର ପ୍ରେରଣା ପାଇବା ପରେ ୬୨ ବର୍ଷରେ ପରୀକ୍ଷା ଦେଲେ ବିଜେପି ବିଧାୟକ first appeared on Sambad.



from ବିଶେଷ – Sambad https://ift.tt/308F9jB

Post a Comment

0 Comments