ଧାନ ଯନ୍ତ୍ରଣା : ଅଘୋଷିତ ଭାବେ ମଣ୍ଡି ବନ୍ଦ, ଯୋଗାଣମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ହତାଶ

କଟକ : ଅଘୋଷିତ ଭାବେ ମଣ୍ଡି ବନ୍ଦ। କମଳାଡ଼ିହଠାରୁ ଆରମ୍ଭ କରି ନିଶ୍ଚିନ୍ତକୋଇଲି; ଏପଟେ ନିଆଳି, ବାରଙ୍ଗ.. ସବୁଠି ସମାନ ଅବସ୍ଥା। ନାଁକୁ କେବଳ କାଗଜପତ୍ରରେ ମଣ୍ଡି ଖୋଲା, କିନ୍ତୁ ଧାନ ଉଠୁନି। ହଜାର ହଜାର ଟୋକନର ଅବଧି ସରିଗଲାଣି। ୧୫ହଜାର ଚାଷୀ ଏବେ ବି ମଣ୍ଡି ଅପେକ୍ଷାରେ। କେଉଁଠି ବିକ୍ରି କରିବେ ଧାନ? ଧାନ ବିକ୍ରିକୁ ନେଇ ଏଭଳି ସଙ୍ଗିନ ସ୍ଥିତି ଦେଖିବାକୁ ମିଳିଛି ଖୋଦ୍‌ ଯୋଗାଣମନ୍ତ୍ରୀଙ୍କ ଜିଲ୍ଲା କଟକରେ। ଏବେ ବି ୧୫ହଜାର ଚାଷୀ ଧାନ ବିକ୍ରି କରିପାରିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସରକାରୀ ଧାର୍ଯ୍ୟ ସମୟ ଅନୁସାରେ ମାର୍ଚ୍ଚ ୩୧ ସୁଦ୍ଧା ସାରା ରାଜ୍ୟରେ ସରିବ ଧାନକିଣା। କିନ୍ତୁ ତା ପୂର୍ବରୁ କଟକ ଜିଲ୍ଲାରେ ଅଘୋଷିତ ଭାବେ ମଣ୍ଡି ବନ୍ଦ, କାରଣ ମଣ୍ଡିକୁ ଟାର୍ଗେଟ ଆସୁନି। ଫଳରେ ମଣ୍ଡିକୁ ଆସି ବି ଧାନ ବିକ୍ରି ପାଇଁ ବଜାର ପାଉନାହାନ୍ତି ଚାଷୀ। କଟକ ଜିଲ୍ଲାରେ ୧୫ଲକ୍ଷ ୫୦ ହଜାର କ୍ବିଣ୍ଟାଲ ଧାନ କିଣାଯିବା ପାଇଁ ଟାର୍ଗେଟ ରଖାଯାଇଛି। ହେଲେ ତା’ରି ଭିତରେ ଆଜି ସୁଦ୍ଧା ୧୪ ଲକ୍ଷ ୯୩ ହଜାର ୧୩୫ କ୍ବିଣ୍ଟାଲ ଚା‌ଷୀ ଧାନ ବିକ୍ରି କରି ସାରିଲେଣି। ଜିଲ୍ଲାରେ ୬୧ହଜାର ଚାଷୀ ପଞ୍ଜୀକରଣ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ବିକିଛନ୍ତି ୪୬ ହଜାର ୨ଶହ ଜଣ। ଚାଷୀଙ୍କ ଠାରୁ ପ୍ରଶାସନ ଧାନ କିଣାସାରିଥିବା ଯୋଗାଣ ବିଭାଗ ତଥ୍ୟ କହୁଛି। ଫଳରେ ଏବେ ବି ୧୫ହଜାର ଚାଷୀ ଧାନ ବିକ୍ରି କେମିତି କରିବେ, ତାକୁ ନେଇ ଚିନ୍ତାରେ ଅଛନ୍ତି।

ଅନ୍ୟପଟେ କଟକ ଜିଲ୍ଲାକୁ ମଡେଲ ଜିଲ୍ଲା ଭାବେ ପ୍ରଶାସନ ପକ୍ଷରୁ ଧାନସଂଗ୍ରହ ପ୍ରକ୍ରିୟା ଯେପରି ଠିକ୍‌ ଢଙ୍ଗରେ ପରିଚାଳିତ ହେବ ସେଥିପାଇଁ ‘ହାପି ଯୋଜନା ’ କାର୍ଯ୍ୟକାରୀ କରାଯାଇଥିଲା। ତାହା କିନ୍ତୁ ସଫଳ ହେଲାନି। ଯେଉଁ ଉଦ୍ଦେଶ୍ୟ ନେଇ ଯୋଜନା ହୋଇଥିଲା ତାହା ପ୍ରଥମରୁ ଫେଲ୍‌ ମାରିଲା।

କଟକ ଜିଲ୍ଲାରେ ଗତବର୍ଷ ଖରିଫ୍‌ରେ ୪୯ ହଜାର ୯୦୦ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୪୩ ହଜାର ଚାଷୀଙ୍କଠାରୁ ୧୪ ଲକ୍ଷ ୯୬ ହଜାର କ୍ବିଣ୍ଟାଲ ଧାନ କିଣାଯାଇଥିଲା। କିନ୍ତୁ ଚଳିତବର୍ଷ ଅଧିକ ୧୧ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିଲେ। ଜିଲ୍ଲାରୁ ଧାନକିଣା ଟାର୍ଗେଟ ପ୍ରଥମେ ଦିଆଯାଇଥିଲା ୧୧ଲକ୍ଷ ୬୧ହଜାର କ୍ବିଣ୍ଟାଲ ଓ ପରେ ଏହାକୁ ବୃଦ୍ଧି କରାଯାଇ ୧୫ଲକ୍ଷ ୫୦ହଜାର କ୍ବିଣ୍ଟାଲ କରାଯାଇଛି। ଧାନ ବିକି ନ ପାରି ଟୋକନ ଧରି ବସିଥିବା ୧୫ ହଜାର ଚାଷୀ ମଣ୍ଡିକୁ ଦୌଡ଼ି ଦୌଡ଼ି ଥକିଲେଣି। ଯୋଗାଣ ବିଭାଗର ଟାର୍ଗେଟ ପୂରଣ ହେବାକୁ ଆଉ ୧ଲକ୍ଷ କ୍ବିଣ୍ଟାଲ ବାକି ରହିଥିବାବେଳେ ଏହି ଟାର୍ଗେଟ ପୂରଣ କରିବା ପାଇଁ ଖୁବ୍ ବେଶୀରେ ଦୁଇଶହ ଚାଷୀ ଧାନ ବିକି ପାରିବେ କି ନାହିଁ ତାକୁ ନେଇ ଖୋଦ୍‌ ଯୋଗାଣ ବିଭାଗ ବି ସନ୍ଦେହରେ। ଖୋଦ୍‌ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଯଦି ଧାନ କିଣା ସ୍ଥିତି ଏମିତି, ତାହେଲେ ଅନ୍ୟ ଜିଲ୍ଲାର ସ୍ଥିତି ସହଜେ ଅନୁମେୟ।

The post ଧାନ ଯନ୍ତ୍ରଣା : ଅଘୋଷିତ ଭାବେ ମଣ୍ଡି ବନ୍ଦ, ଯୋଗାଣମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ହତାଶ first appeared on Sambad.



from ବିଶେଷ – Sambad https://ift.tt/3cxEXjK

Post a Comment

0 Comments