ଅଭଙ୍ଗା କଣ୍ଢେଇର ବିନ୍ଧାଣୀ ଫକୀରପୁରର ହରିହର, ଚିରାକାଗଜ ହୋଇଉଠୁଛି ଜୀବନ୍ତ

ଆନନ୍ଦପୁର: ଘରେ ଏଣେତେଣେ ପଡି ନଷ୍ଟ ହେଉଥିବା ଅଦରକାରୀ କାଗଜ ହେଉଛି ତାଙ୍କର ସମ୍ବଳ। ତାଙ୍କର ଯାଦୁକରୀ ହାତ ସ୍ପର୍ଶରେ ଚିରାକାଗଜ ହୋଇଉଠୁଛି ଜୀବନ୍ତ। ଟସର ଲୁଗାପାଇଁ ସାରା ଦେଶରେ ପରଚିତ ଆନନ୍ଦପୁର ପୌରାଞ୍ଚଳ ଫକୀରପୁରର ଆଉ ଏକ ପରିଚୟ ହେଉଛି ପେପର ମାଚି। ପେପର ମାଚିର ଅନ୍ୟନାମ ହେଉଛି ‘ଅଭଙ୍ଗା କଣ୍ଢେଇ’। ଏହି କଳାର ଯାଦୁଗର ହେଉଛନ୍ତି ଫକୀରପୁର ଶିଳ୍ପୀ ହରିହର ସୂତାର। ହରିହର ନିଜେ ସ୍ବାବଲମ୍ବୀ ହେବା ସହିତ ଶହଶହ ଲୋକଙ୍କୁ ତାଲିମ୍ ଦେଇ ରୋଜଗାର ପନ୍ଥା ଯୋଗାଇ ଦେଇଛନ୍ତି। ଆନନ୍ଦପୁରର ପେପର ମାଚିକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବାପାଇଁ ସରକାରୀ ସ୍ତରରେ ଆଲୋଚନା ହୋଇଥିବା ବେଳେ ଫକୀରପୁରର ହରିହର ସୂତାରଙ୍କ ଏହି ସ୍ବତନ୍ତ୍ର କଳା ଏବେ ଚର୍ଚ୍ଚାରେ।

ହରିହରଙ୍କ ବାପା ସ୍ବର୍ଗତ ରଙ୍କନାଥ ସୂତାର ଫକୀରପୁରର ଜଣେ ନାମକରା କାଠ କାରିଗର। ମା’ କୁମୁଦିନୀଙ୍କ କହିବା ଅନୁସାରେ ହରିହର ପିଲାବେଳୁ ମାଟିରେ ମୂର୍ତ୍ତି ସହିତ ଅନ୍ୟାନ୍ୟ ସାମଗ୍ରୀରେ ମନ ବଳାଇଥିଲେ। ଏହା ପରଠାରୁ ସେ ପାଠପଢା ସହିତ ଚିତ୍ର ଆଙ୍କିବା, କାଗଜରେ ସାମଗ୍ରୀ ତିଆରିବାରେ ଲାଗି ପଡ଼ିଥିଲେ। ଏହାପରଠାରୁ ହରିହର ନିଜସ୍ବ ଉଦ୍ୟମରେ କାଗଜରେ ବିଭିନ୍ନ ଚିତ୍ରପଟ, ମୁଖା ତିଆରିରେ ଲାଗି ପଡ଼ିଥିଲେ। ଏହା ଅଧିକ ସମୟସାପେକ୍ଷ ହୋଇଥିବାବେଳେ ବିଶେଷଭାବେ ଲୋକମାନଙ୍କୁ ଆକର୍ଷିତ କରିପାରି ନ ଥିଲା। ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ ମେଳାକୁ ଯାଇ ସେଠାରୁ ନିରାଶରେ ଫେରିବାକୁ ପଡିଥିଲା।

୧୯୮୬ରେ ହରିହର ନୂଆଦିଲ୍ଲୀରେ ଏକ ଜାତୀୟସ୍ତରୀୟ ପ୍ରଦର୍ଶନୀ ମେଳାରେ ଭାଗ ନେବାକୁ ଯାଇଥିଲେ। ସେଠାରୁ ନିଜର ସମ୍ପର୍କୀୟଙ୍କଠାରୁ ଖବରପାଇ ହରିଆଣାର ସୁରଜକୁଣ୍ଡରେ ହେଉଥିବା ଏକ ଅନ୍ତର୍ଜାତୀୟ ହସ୍ତଶିଳ୍ପ ମେଳାରେ ଯୋଗଦେଇ ତାମିଲନାଡୁରୁ ଆସିଥିବା ପେପର ମାଚି ସମ୍ପର୍କରେ ପ୍ରଥମେ ଜାଣିବାକୁ ପାଇଥିଲେ। ଏହା ପରଠାରୁ ଆଉ ପଛକୁ ଫେରି ଚାହିଁନାହାଁନ୍ତି।

ଅଦରକାରୀ କାଗଜକୁ ଗ୍ରାଇଣ୍ଡିଂ କରି ସେଥିରେ ତେନ୍ତୁଳିମଞ୍ଜି ଗୁଣ୍ଡ, ପ୍ଲାଷ୍ଟର ପ୍ୟାରିସ୍ ଓ ଅଠା ମିଶାଯାଇ ଛାଞ୍ଚ ସାହାଯ୍ୟରେ ବିଭିନ୍ନ ମୂର୍ତ୍ତି ଓ ଘରକରଣା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହାକୁ ରଙ୍ଗ କରାଯାଇ ବିକ୍ରିପାଇଁ ପ୍ରସ୍ତୁତ କରାଯାଇଛି। ସାମ୍ପ୍ରତିକ ଜୀବନଶୈଳୀ ଓ ଗ୍ରାହକମାନଙ୍କ ରୁଚି ଅନୁସାରେ ନିର୍ମାଣ ହେଉଥିବା ବିଭିନ୍ନ ଘରକରଣା ସାମଗ୍ରୀ ଦେଖିବାକୁ ବେଶ୍ ଆକର୍ଷଣୀୟ। ସାମଗ୍ରୀର ମୂଲ୍ୟ ୩୦ଟଙ୍କାରୁ ଆରମ୍ଭକରି ୧୫ହଜାର ଟଙ୍କା ରହିଥିବାବେଳେ ସବୁଶ୍ରେଣୀର ଗ୍ରାହକଙ୍କୁ ସୁହାଇବାଭଳି ଦର ରହିଛି।

ଗୁରୁତ୍ବପୁର୍ଣ୍ଣ ବିଷୟ ହେଲା ଏହା କାଗଜରେ ନିର୍ମାଣ ହେଉଥିବା‌ରୁ ଅତ୍ୟନ୍ତ ହାଲୁକା ଓ ହାତରୁ ପଡିଗଲେ ଭାଙ୍ଗିବାର ସମ୍ଭାବନା ମଧ୍ୟ ନାହିଁ। ପଡିଗଲେ ଭାଙ୍ଗୁ ନ ଥିବାରୁ ଏହି ସାମଗ୍ରୀକୁ ‘ଅଭଙ୍ଗା କଣ୍ଡେଇ’ ନାମରେ ନାମିତ କରାଯାଇଛି। କେବଳ ହରିହର ନୁହଁନ୍ତି ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଏହି କାରବାର ସହିତ ସାମିଲ। ହରିହର ଏବେ ନିଜ ଘରେ ୨୫୦ଜଣଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି। ନିଜ ହାତତିଆରି ସାମଗ୍ରୀକୁ ସେ ଭାରତର ସମସ୍ତ ରାଜ୍ୟରେ ପହଞ୍ଚାଇ ସୁନାମ ଅର୍ଜନ କରିଥିବାବେଳେ ତାଙ୍କୁ ବହୁ ପୁରସ୍କାର ମଧ୍ୟ ମିଳିଛି। ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ଲଘୁ ଶିଳ୍ପ ବିଭାଗ ଦ୍ବାରା ତିନିକୋଟି ଟଙ୍କା ବ୍ୟୟରେ ତାଙ୍କ ଘର ସମ୍ମୁଖରେ ଏକ ଅତ୍ୟାଧୁନିକ ତାଲିମ୍ କେନ୍ଦ୍ର ଖୋଲିବାକୁ ଯାଉଛି। ଏଥିରେ ମେସିନ୍ ସହାୟତାରେ ସମସ୍ତ ସାମଗ୍ରୀ ନିର୍ମାଣ କରାଯିବା ସହିତ ଅତ୍ୟାଧୁନିକ ତାଲିମ୍ କକ୍ଷ, ହଷ୍ଟେଲ ନିର୍ମାଣ କରାଯାଉଛି।

The post ଅଭଙ୍ଗା କଣ୍ଢେଇର ବିନ୍ଧାଣୀ ଫକୀରପୁରର ହରିହର, ଚିରାକାଗଜ ହୋଇଉଠୁଛି ଜୀବନ୍ତ first appeared on Sambad.



from ବିଶେଷ – Sambad https://ift.tt/3e9kh3Y

Post a Comment

0 Comments