
ଡେରାଡୁନ୍: ଚାମୋଲି ଜିଲ୍ଲାରେ ଚାଲିଥିବା ରିଲଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନେତୃତ୍ୱ ନେଉଛନ୍ତି ୪ଜଣ ମେଧାବିନୀ ସରକାରୀ ଅଧିକାରୀ। ସେମାନେ ହେଉଛନ୍ତି, ଚାମୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ୱାତୀ ଭଦୋରିଆ, ଆଇଟିବିପି ଡିଆଇଜି ଅପର୍ଣ୍ଣା କୁମାର, ଡିଆଇଜି ଗର୍ଓ୍ଵାଲ୍ ରାଙ୍ଗେ ନୀରୁ ଗର୍ଗ ଏବଂ ଏସ୍ଡିଆର୍ଏଫ୍ ଡିଆଇଜି ଋଦ୍ଧିମ ଅଗ୍ରଓ୍ଵାଲ୍।
ଘଟଣାସ୍ଥଳରେ ଡେରା ପକାଇବା ହେଉ, ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ହେଉ, କଂଣ୍ଟ୍ରୋଲ୍ ରୁମ୍ ବସାଇବା ହେଉ, ଉଦ୍ଧାର କାର୍ଯ୍ୟ ତଦାରଖ କରିବା ହେଉ କିଂବା ରିଲିଫ୍ ସାମଗ୍ରୀ ବାଣ୍ଟିବା ହେଉ, ସବୁ କାର୍ଯ୍ୟରେ ଏହି ୪ ମହିଳା ସରକାରୀ ଅଧିକାରିଣୀ ନେତୃତ୍ୱ ନେଉଛନ୍ତି।
ଉଦ୍ଧାର ଓ ରିଲିଫ୍ ଅଭିଯାନରେ ସମ୍ପୃକ୍ତ ଏଜେନ୍ସିମାନଙ୍କ ମଧ୍ୟରେ ସମନ୍ଵୟ ରହିଲେ ଫଳାଫଳ ସକାରାତ୍ମକ ହୁଏ ବୋଲି ସେମାନେ ସୁନିଶ୍ଚିତ କରିଛନ୍ତି।
ଫେବ୍ରୁଆରି ୭ ଗ୍ଲାସିଆ ବିପର୍ଯ୍ୟୟ ପରବର୍ତ୍ତୀ ସୁଡ଼ଙ୍ଗରୁ ଉଦ୍ଧାର ଅଭିଯାନ ଥିଲା ୨୦୧୧ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଚାମୋଲିର ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ୱାତୀ ଭଦୋରିଆଙ୍କ ଲାଗି ଏ ଧରଣର ପ୍ରଥମ ଅନୁଭୂତି ଏବଂ ବଡ଼ ଆହ୍ଵାନ। ଉଦ୍ଧାର ଅଭିଯାନରେ ସମନ୍ଵୟ ରକ୍ଷା କରିବା, କଣ୍ଟ୍ରୋଲ୍ ରୁମ୍ ବସାଇବା, ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା, ଉଦ୍ଧାର ଓ ରିଲିଫ୍ରେ ସମ୍ପୃକ୍ତ ବିଭିନ୍ନ ଏଜେନ୍ସିଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା, ପୁନର୍ବାର ବିଜୁଳି ଯୋଗାଣ ଆରମ୍ଭ କରିବା, ଖାଦ୍ୟ ପୁଡ଼ିଆ ଯୋଗାଇବା ଏବଂ ନିଖୋଜମାନଙ୍କର ତାଲିକା ପ୍ରସ୍ତୁତ କରିବା ଥିଲା ଖୁବ୍ କଷ୍ଟକର ବ୍ୟାପାର।
ପ୍ରଥମ ତିନି ଦିନ ଧରି ସେ ତପୋବନରେ ଡେରା ପକାଇଥିବା ବେଳେ ତାଙ୍କ ତିନି ବର୍ଷର ପୁଅଟି ଗୋପେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ଥିଲା। ତିନି ଦିନ ପରେ ସେ ପୁଅକୁ ତପୋବନକୁ ଅଣାଇ ଆହୁରି ୪ ଦିନ ସେଠାରେ ରହିଥିଲେ।
୨୦୦୫ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଗରଓ୍ଵାଲ୍ ରେଞ୍ଜ୍ର ଡିଆଇଜି ନୀରୁ ଗର୍ଗ ରାଇନି ତପୋବନ ଅଞ୍ଚଳରେ ପୁଲିସ ଅଭିଯାନର ନେତୃତ୍ୱ ନେଇଥିଲେ। ଲୋକମାନଙ୍କ ଜୀବନ ରକ୍ଷା କରିବା ଏବଂ ନିଖୋଜମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଏଥିପାଇଁ ହରିଦ୍ୱାରରେ ପରୀକ୍ଷା ଦେଉଥିବା ତାଙ୍କ ୯ ବର୍ଷୀୟ ଝିଅ ଲାଗି ସମୟ ଦେଇ ପାରି ନ ଥିଲେ।
ସେହିଭଳି, ୨୦୦୨ ବ୍ୟାଚ୍ ଆଇପିଏସ୍ ଅଧିକାରିଣୀ ଅପର୍ଣ୍ଣା କୁମାର ଆଇଟିବିପି ଟିମ୍ର ନେତୃତ୍ୱ ନେଉଥିବା ବେଳେ, ୨୦୦୫ ବ୍ୟାଚ୍ ଆଇପିଏସ୍ ଅଧିକାରିଣୀ ଋଦ୍ଧିମ ଅଗ୍ରଓ୍ଵାଲ୍ ଡିଆଇଜି ଭାବେ ‘ଏସ୍ଡିଆର୍ଏଫ୍’ ଟିମ୍ର ନେତୃତ୍ୱ ନେଇଥିଲେ।
‘ଏସ୍ଆର୍ଡିଏଫ୍’ ଟିମ୍ ହିଁ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାର କର୍ମଚାରୀମାନେ ପର୍ବତ ଆରୋହଣ କରି ରାଇନି ଗ୍ରାମରେ ସୃଷ୍ଟି ହୋଇଥିବା ହ୍ରଦ ପରିଦର୍ଶନ କରିଥିଲେ। ସମୁଦାୟ ଉଦ୍ଧାର ଓ ରିଲିଫ୍ ଅଭିଯାନରେ ‘ଏସ୍ଡିଆର୍ଏଫ୍’ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କଥା ଋଦ୍ଧିମ୍ କହିଛନ୍ତି।
ଏହାଛଡ଼ା, ରିଲିଫ୍ ଓ ଉଦ୍ଧାର ଅଭିଯାନରେ ଅନ୍ୟ ଜଣେ ମହିଳା ସ୍ଥାନୀୟ ଏସ୍ଡିଏମ୍ କୁମ୍କୁମ୍ ଜୋଶୀ ମଧ୍ୟ ଚମୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ସହାୟତା କରିଥିଲେ।
The post ଉତ୍ତରାଖଣ୍ଡର ଚାମୋଲିରେ ଉଦ୍ଧାର କାର୍ଯ୍ୟର ନେତୃତ୍ୱ ନେଇଥିବା ୪ ମହିଳା ଅଧିକାରୀ first appeared on Sambad.
from ବିଶେଷ – Sambad https://ift.tt/3qojr6u
0 Comments