ରାଜମୁକୁଟ ଚୋରାଇଥିବା ରାଜପୁରୁଷ

୧୬୭୧ରେ ଧର୍ମଯାଜକର ଛଦ୍ମବେଶରେ ଇ˚ଲଣ୍ତ୍‌ର ‘ଟାୱାର‌୍‌ ଅଫ୍‌ ଲଂଡନ୍‌’ ଦୁର୍ଗରୁ ରାଜମୁକୁଟ ଚୋରାଇନେଇଥିଲେ ଜଣେ ରାଜପୁରୁଷ। ପରେ ରାଜରକ୍ଷୀମାନେ ସର୍ବସାଧାରଣଙ୍କ ଲାଗି ଉଦ୍ଦିଷ୍ଟ ‘କ୍ରାଉନ୍‌ ଆଣ୍ତ୍‌ କୁସନ୍‌’ ନାମକ ଏକ ସାଧାରଣ ପାନ୍ଥଶାଳାରେ ଉକ୍ତ ରାଜପୁରୁଷଙ୍କୁ ଧରି ମୁକୁଟ ଉଦ୍ଧାର କରିଥିଲେ। ରାଜପୁରୁଷ ଜଣକ ଥିଲେ ଆୟାର୍‌ଲାଣ୍ତ୍‌ର କର୍ନେଲ୍‌ ଥୋମାସ୍‌ ବ୍ଲଡ୍‌।

ଏହି ସ˚ଭ୍ରାନ୍ତ ପୁରୁଷ କୌଣସି ପେସାଦାର ଅପରାଧୀ ବା ଚୋର-ଖଣ୍ଟ ନ ଥିଲେ। ସେ ଥିଲେ ବାଟି ବାଟି ଭୂ-ସ˚ପତ୍ତିର ମାଲିକ। ସେ ଥିଲେ ଅତି ମାତ୍ରାରେ ରୋମାଞ୍ଚପ୍ରିୟ। ରାଜମୁକୁଟ ଚୋରି କରି, ଚହଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ, ତିନି ଜଣ ସଙ୍ଗୀଙ୍କ ସହ ସେ ଦୁର୍ଗ ମଧୢକୁ ପ୍ରବେଶ କରିଥିଲେ। ମୁକୁଟ ଜଗୁଥିବା ରାଜରକ୍ଷୀଙ୍କୁ ମାଡ଼ ମାରି, ଲହୁ-ଲୁହାଣ କରି, ସେମାନେ ମୁକୁଟ ନେଇ ଖସିଯାଇଥିଲେ। ବ୍ଲଡ୍‌ଙ୍କୁ ଗିରଫ କରି ‘ଟାୱାର‌୍‌ ଅଫ୍‌ ଲଂଡନ୍‌’ରେ ବନ୍ଦୀ କରାଯାଇଥିଲା। ଏ ଭଳି ଅପରାଧ ପାଇଁ ମୃତ୍ୟୁଦଣ୍ତର ବ୍ୟବସ୍ଥା ଥିଲେ ହେଁ ରାଜା ଦ୍ବିତୀୟ ଚାର୍ଲ‌୍‌ସ କିଛି ଦିନ ପରେ ତାଙ୍କୁ କ୍ଷମା ଦେଇ, ସସମ୍ମାନେ ଜବତ କରାଯାଇଥିବା ତାଙ୍କ ଜାଗିରି ଫେରାଇଦେଇଥିଲେ। ଏପରିକି ତାଙ୍କ ପାଇଁ ବାର୍ଷିକ ପାଞ୍ଚ ଶହ ପାଉଣ୍ତ୍‌ ଭତ୍ତାର ବ୍ୟବସ୍ଥା କରିଥିଲେ।

ବ୍ଲଡ୍‌ଙ୍କୁ ଦଣ୍ତିତ କରାଗଲେ, ତାଙ୍କ ସମର୍ଥକ ଆଇରିସ୍‌ମାନେ ପ୍ରତିଶୋଧ ନେବାକୁ ବାହାରିବେ ଭାବି, ଭୟାଳୁ ରାଜା ତାଙ୍କୁ କ୍ଷମା ଦେଇଥିବା ବିଶ୍ବାସ କରାଯାଏ। ଯେଉଁ ପାନ୍ଥଶାଳାରେ ବ୍ଲଡ୍‌ ଧରାପଡ଼ିଥିଲେ, ତାହା ଆଜି ବି ରହିଛି, ହା˚ପସାୟାର‌୍‌ର ମାଇନ୍‌ଲେଠାରେ। ତାହା ସମ୍ମୁଖରେ ରହିଛି ସେହି ସମୟର ୟିଉ ବୃକ୍ଷଟିଏ। ଘଟନାଟିକୁ ମନେରଖିବା ପାଇଁ ପ୍ରତି ବର୍ଷ ଗଛଟିକୁ କାଟି, ଗାଦି ଉପରେ ଥୁଆହେଇଥିବା ମୁକୁଟର ରୂପ ଦିଆଯାଏ।

The post ରାଜମୁକୁଟ ଚୋରାଇଥିବା ରାଜପୁରୁଷ first appeared on Sambad.



from ବିଶେଷ – Sambad https://ift.tt/2ZTnX1c

Post a Comment

0 Comments