
‘ବାଇବେଲ୍’ ପରେ ନୀତିକଥା ସମ୍ବଳିତ ପ୍ରାଚୀନ ଭାରତୀୟ କଥା-ସାହିତ୍ୟ ‘ପଞ୍ଚତନ୍ତ୍ର’ ସର୍ବାଧିକ ଲୋକପ୍ରିୟ। ସମସ୍ତ ଭାରତୀୟ ଭାଷାରେ ଏବଂ ଇ˚ଲିସ୍ ସମେତ ବିଶ୍ବର ପଚାଶରୁ ଅଧିକ ଭାଷାରେ ଏହା ଅନୂଦିତ। ଅଦ୍ୟାବଧି ଏହାର ସାତ ଶହରୁ ଅଧିକ ସ˚ସ୍କରଣ ପ୍ରକାଶ ପାଇସାରିଛି। ଏହା ବିଶ୍ବର ଲୋକପ୍ରିୟ କଥା-ସାହିତ୍ୟ ଭିତରେ ଗୋଟିଏ। ମୂଳ ‘ପଞ୍ଚତନ୍ତ୍ର’ ସ˚ସ୍କୃତ ଭାଷାରେ ରଚନା କରାଯାଇଥିଲା। ତେବେ, ଅତି ପ୍ରାଚୀନ କାଳରୁ ତାହା ଲୁପ୍ତ। ଏହାକୁ କିଏ ରଚନା କରିଥିଲେ, ତାହା ମଧୢ ନିର୍ଦିଷ୍ଟ ଭାବେ ପ୍ରମାଣିତ ନୁହେଁ। ପଣ୍ତିତ ବିଷ୍ଣୁ ଶର୍ମାଙ୍କୁ ଏହାର ରଚୟିତା ଭାବେ ଗ୍ରହଣ କରାଯାଇଛି। ତେବେ, ସେ କେଉଁ ନଗର ବା ଅଞ୍ଚଳର ବାସିନ୍ଦା ଥିଲେ, ଏହାକୁ ନେଇ ଏକାଧିକ ମତ ରହିଛି। ତାଙ୍କୁ କିଏ କଶ୍ମୀରୀ ତ କିଏ କନ୍ନଡ଼ କହନ୍ତି। ସେ ମାଠର ବ˚ଶୀୟ ରାଜା ଅନନ୍ତଶକ୍ତି ବର୍ମାଙ୍କ ରାଜସଭାର ପଣ୍ତିତ ଥିଲେ ବୋଲି ମଧ୍ୟ କେହି କେହି ବିଶ୍ବାସ କରନ୍ତି।
ରାଜାଙ୍କ କୁପଥଗାମୀ ଦୁଷ୍ଟ-ଦୁର୍ଦାନ୍ତ-ଅଯୋଗ୍ୟ ରାଜପୁତ୍ରମାନଙ୍କୁ ନୀତିକଥା ମାଧୢମରେ ସେ, ଶାନ୍ତ-ସୁଶୀଳ-ସତ୍ପଥଗାମୀ-ସର୍ବଶାସ୍ତ୍ରଜ୍ଞ ଏବ˚ ସୁଯୋଗ୍ୟ କରିପାରିଥିଲେ। ସେହି ନୀତିକଥାଗୁଡ଼କ ‘ପଞ୍ଚତନ୍ତ୍ର’ରେ ସନ୍ନିବେଶିତ। ଏହାର ମୂଳ ସ˚ସ୍କୃତ ୪୭୬-୫୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ରଚନା କରାଯାଇଥିଲା। ୫୩୧-୫୭୯ ଖ୍ରୀଷ୍ଟାବ୍ଦ ମଧୢରେ ଏହା ପ୍ରଥମେ ପହ୍ଲବୀ ଭାଷାରେ ଅନୂଦିତ ହୋଇଥିଲା। ନାମ ରଖାଯାଇଥିଲା-‘କରଟକଦମନକ କଥା’। ଜୈନ ସନ୍ନ୍ୟାସୀ ପୂର୍ଣ୍ଣଭଦ୍ର ଏବ˚ ମେଘବିଜୟ ଏଥିରେ କିଛି କିଛି ପରିବର୍ତ୍ତନ ଆଣିଥିଲେ। ତାହା ମଧ୍ୟ ବିଲୁପ୍ତ। ପରେ ଏହା ସିରିଆନ୍ ଏବ˚ ପାରସୀ ଭାଷାରେ ଅନୂଦିତ ହୋଇଥିଲା। ଏବେ ଆମେ ଯେଉଁ ଅନୁବାଦମାନ ଦେଖୁଛୁ, ତାହା ବିଦେଶୀ ଭାଷା ଉପରେ ଆଧାରିତ। ‘ପଞ୍ଚତନ୍ତ୍ର’ର ଅନ୍ୟ ଲୋକପ୍ରିୟ ନାମଗୁଡିକ ହେଲା- ‘ତନ୍ତ୍ରାଖ୍ୟାୟିକା’, ‘ପଞ୍ଚାଖ୍ୟାନକ’, ‘ପଞ୍ଚାଖ୍ୟାନୋଦ୍ଧାର’ ଏବ˚ ‘ପଞ୍ଚୋପାଖ୍ୟାନ’।
The post ପଞ୍ଚତନ୍ତ୍ର first appeared on Sambad.
from ବିଶେଷ – Sambad https://ift.tt/35hLUmh
0 Comments