ଦିବ୍ୟାଙ୍ଗ ଚୁଡ଼ି ବେପାରୀ ପାଲଟିଲେ ଆଇଏଏସ୍‌ ଅଧିକାରୀ, ଏମିତି ତାଙ୍କ ସଫଳତାର କାହାଣୀ…

ରାଞ୍ଚି: ଯେକୌଣସି ସମୟରେ ଜୀବନ ପରିବର୍ତ୍ତନ ହୋଇପାରେ। ବାସ୍‌ ଖାଲି ପରିବର୍ତ୍ତନ ପାଇଁ ଦୃଢ଼ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ରମେଶ ଘୋଲାପଙ୍କଠାରୁ ଏହି କଥାକୁ ଆଉକେହି ବେଶି ଭଲ ଭାବେ ବୁଝିପାରିବେ ନାହି। ୨୦୧୨ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ରମେଶ ପିଲାଦିନରେ ରାମୁ ନାମରେ ପରିଚିତ ଥିଲେ ଓ ସେ ସମୟରେ ସେ ଅନେକ କଷ୍ଟକୁ ଅଙ୍ଗେ ନିଭାଇ ବଡ଼ ହୋଇଛନ୍ତି। ରମେଶଙ୍କ କାହାଣୀ ନିଶ୍ଚିତ ଭାବରେ ଆପଣଙ୍କୁ ଅନେକ ପ୍ରେରଣା ଦେବ।

ରମେଶଙ୍କ ବାପା ଗୋରଖ ଏକ ସାଇକେଲ୍‌ ମରାମତି ଦୋକାନ ଚଳାଉଥିଲେ, ଯାହା ତାଙ୍କ ଚାରି ପ୍ରାଣୀ ବିଶିଷ୍ଟ ପରିବାରକୁ ରୋଜଗାର ଯୋଗାଇବା ପାଇଁ ଯଥେଷ୍ଟ ଥିଲା। କିନ୍ତୁ ଏହି ବ୍ୟବସାୟ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିଲା ନାହିଁ। ମଦ୍ୟପାନ କରି ଗୋରଖ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କର ଦେହାନ୍ତ ହୋଇଥିଲା।

ସେତେବେଳେ ରମେଶଙ୍କ ମା ବିମଲ ପରିବାର ଚଳାଇବା ପାଇଁ ଗାଁ ଗାଁ ବୁଲି ଚୁଡ଼ି ବିକ୍ରି କରିବା ଆରମ୍ଭ କରିଥିଲେ। ରମେଶଙ୍କ ବାଁ ଗୋଡ଼ ପୋଲିଓ ଦ୍ବାରା ଆକ୍ରାନ୍ତ ହୋଇଥିଲେ ବି ସେ ସେହି କୁନି ବୟସରୁ ନିଜ ମାଆଙ୍କୁ ବେଳେ ବେଳେ ସାହାଯ୍ୟ କରୁଥିଲେ। ରମେଶ ଓ ତାଙ୍କ ଭାଇ ମିଶି କରି ବଡ଼ ପାଟିରେ ‘ଚୁଡ଼ି ନିଅ ଚୁଡ଼ି’ ବୋଲି ଡାକି ଡାକି ଚାଲନ୍ତି, ଲୋକ ଜମା ହେଲେ ଚୁଡ଼ି ବିକନ୍ତି ମାଆ ବିମଳା।

ରମେଶଙ୍କ ପିଲାଟି ଦିନରୁ ପାଠପଢ଼ା ପ୍ରତି ବେଶ୍‌ ଆଗ୍ରହ ଥିଲା। ସେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ବାର୍ସି ତାଲୁକା ଅନ୍ତର୍ଗତ ମହାଗାଓଁ ନାମକ ଏକ ଦୂର ଗାଁରେ ନିଜ ମାମୁଙ୍କ ସହ ଯାଇ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଲେ। ନିଜର ସ୍କୁଲ୍‌ ପାଠ ସରିବା ପରେ ଡିପ୍ଲୋମା ପଢ଼ିଥିଲେ ରମେଶ। ପରେ ସେ ୨୦୦୯ ମସିହାରେ ସ୍ନାତକୋତ୍ତର ମଧ୍ୟ କରିଥିଲେ ଓ ଜଣେ ଶିକ୍ଷକ ହୋଇଥିଲେ।

ପରେ ସେ ଜଣେ ତହସିଲଦାରଙ୍କଠାରୁ ପ୍ରେରଣା ପାଇ ‌ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଲେ। ‌ନିଜର ଚେଷ୍ଟା ବଳରେ ସେ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨୮୭ ରାଙ୍କ୍‌ରେ ରହିଥିଲେ। କିଛି ଦିନ ପରେ ସେ ଦେଇଥିବା ଏମ୍‌ପିଏସ୍‌ସି ପରୀକ୍ଷାର ମଧ୍ୟ ଫଳାଫଳ ବାହାରିଲା। ସେଥିରେ ରମେଶ ସମୁଦାୟ ୧୮୦୦ରୁ ସର୍ବାଧିକ ୧୨୪୪ ନମ୍ବର ରଖି ଶୀର୍ଷରେ ରହିଥିଲେ। ବର୍ତ୍ତମାନ ସେ ଝାଡ଼ଖଣ୍ଡର ଶକ୍ତି ବିଭାଗର ଯୁଗ୍ମ ସଚିବ।

 

The post ଦିବ୍ୟାଙ୍ଗ ଚୁଡ଼ି ବେପାରୀ ପାଲଟିଲେ ଆଇଏଏସ୍‌ ଅଧିକାରୀ, ଏମିତି ତାଙ୍କ ସଫଳତାର କାହାଣୀ... first appeared on Sambad.



from ବିଶେଷ – Sambad https://ift.tt/3qh7yix

Post a Comment

0 Comments