ନିଶ୍ଚିହ୍ନ ହେବାକୁ ବସିଛି ମୁଣ୍ଡା ଆଦିବାସୀ ଜନଜାତି

ରାଉରକେଲା, (ମଳୟ ରଂଜନ ସାହୁ): ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ରହିଛି ଖଣିଜ ସମ୍ପଦଭରା କୋଇଡା ବ୍ଲକ। ୧୫ରୁ ଅଧିକ ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକରେ ୬୦% ହେଉଛନ୍ତି ମୁଣ୍ଡା ଜନଜାତି। କାଲ୍‌ଟା, ଜାମୁଡିହି, ରେଙ୍ଗୁଳା, ଟେନ୍‌ସା, ସୋଏମ୍ଭା, ମାଲ୍‌ଦା, ରେହ୍ଲାତୁ, ବିମଳାଗଡ, କୋଇଡା, ପାଟମୁଣ୍ଡା, ସାକିରା ଆଦି ପଞ୍ଚାୟତରେ ଅଧିକାଂଶ ହେଉଛି ମୁଣ୍ଡା ସମ୍ପ୍ରଦାୟର। ବ୍ଲକର ଚତୁଃପାର୍ଶ୍ବରେ ବସ୍ତି, ପଡା, ଗ୍ରାମରେ ପରିବାର ସହ ରହୁଛନ୍ତି। ପେଶା ହେଉଛି ଖଣି ଶ୍ରମିକ। ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଝାଳବୁହା ପରିଶ୍ରମ କଳେ ଚାଲେ ଏମାନଙ୍କର ତେଳ ଲୁଣର ସଂସାର। ଏମାନଙ୍କ କଠିନ ପରିଶ୍ରମରେ କୋଟି କୋଟି ଟଙ୍କାର ରାଜସ୍ବ ରାଜ୍ୟ, କେନ୍ଦ୍ର ସରକାରଙ୍କ ରାଜକୋଷକୁ ଯାଏ। ଏହି ମାଟି କେତେ ନାହିଁ କେତେ ସାଧାରଣ ମଣିଷକୁ ସାହେବ କରିଛି। କେବଳ ଏତିକି ନୁହେଁ , ଦୁଇ ଦୁଇ ଥର ଦେଶକୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଦେବାରେ ରହିଛି ଏମାନଙ୍କ ସହଭାଗୀ।

ହେଲେ ଦେଶକୁ ବିକାଶର ସ୍ବାଦ ଚଖାଉଥିବା ଏହି ବ୍ଲକ ଏବେ ଶ୍ରୀହୀନ। ଏହି ଜାତି ଏବେ ବିକାଶ ଦେଖି ପାରିଲାନି। ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ। ଏମାନଙ୍କ ଉତ୍‌ଥାନ ପାଇଁ ରହିଛି ସ୍ବତନ୍ତ୍ର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା। କୋଟି କୋଟି ଟଙ୍କା ଆସୁଛି। କେବଳ କାଜଗଜପତ୍ର ବିକାଶ ଦର୍ଶାଇ କୋଟି କୋଟି ଟଙ୍କା ହରିଲୁଟ୍‌ କରାଯାଉଛି। ମଣିଷ ଦ୍ବାରା ଚାଲୁଥିବା ଖଣି ମେସିନରେ ଚାଲୁଛି। ଆଉ କିଛି ଖଣି ବନ୍ଦ ହୋଇଯାଇଛି। ଫଳରେ ବିଗତ କିଛି ବର୍ଷ ଧରି ପେଟପାଟଣା ପାଇଁ ଖଣି ଅଞ୍ଚଳ ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି।

ବହୁ ପରିବାର ପୁରୁଷ ଶୂନ୍ୟ। ବହୁ ଦାଦନ ଖଟିବାକୁ ଯାଇ ନିଖୋଜ। ଶିକ୍ଷା ଓ ସଚେତନତା ଅଭାବରୁ ଆଜି ବି ଏମାନଙ୍କ ମନରେ ବସା ବାନ୍ଧିଛି ଅନ୍ଧବିଶ୍ବାସ। ଅର୍ଥ ଅଭାବରୁ ଏସବୁ ଅଞ୍ଚଳରେ ବିଗତ କିଛି ବର୍ଷ ଧରି ଘରୋଇ ହିଂସା, ହତ୍ୟାକାଣ୍ଡ ବଢୁଛି। କେତେକ ପରିବାର ଭାଙ୍ଗି ଏବେ ନିଶ୍ଚିହ୍ନ। ଆଦିବାସୀ ମୁଣ୍ଡା ଜନଜାତିଙ୍କ ସଂଖ୍ୟା କମି କମି ଗଲାଣି।
ଚାରି ଦଶନ୍ଧି ଧରି ଏହି ଅଞ୍ଚଳରେ ମୂଳବାସିନ୍ଦା ସଂଖ୍ୟା ଥିଲା ୫ହଜାରରୁ ଅଧିକ। ଏବେ ଏହି ସଂଖ୍ୟା ପହଞ୍ଚି ୨ ହଜାର‌ରେ। ବ୍ଲକ ଠାରୁ ମାତ୍ର ୧୦ରୁ ୧୫ କି.ମି. ପରିଧି ମଧ୍ୟରେ ରହୁଥିବା ନିରୀହ ଆଦିବାସୀଙ୍କ ଦୁଃଖ ଶୁଣିବାକୁ ସେମିତି କାହାରି ପାଖରେ ସମୟ ନାହିଁ। ବିକାଶ ନାଁରେ ଛିଡା କରିଛନ୍ତି ପ୍ରତିଶ୍ରୁତିର ପାହାଡ। ସବୁ ଯୋଜନା ଯେମିତି ଏମାନଙ୍କ ପାଇଁ ବାଟବଣା ହୋଇଯାଇଛି। ଆଦିବାସୀ ବିଧାୟକ, ମନ୍ତ୍ରୀ ଏମାନଙ୍କ ସମସ୍ୟାକୁ ପାସୋରି ଯାଇଛନ୍ତି।

The post ନିଶ୍ଚିହ୍ନ ହେବାକୁ ବସିଛି ମୁଣ୍ଡା ଆଦିବାସୀ ଜନଜାତି first appeared on Sambad.



from ବିଶେଷ – Sambad https://ift.tt/2K4GTGe

Post a Comment

0 Comments