କପିଳାସ ଚିଡ଼ିଆଖାନାର ଶୋଭା ବଢ଼ାଉଛନ୍ତି ୬ ହାତୀ : ନ ଦେଖିଲେ ପର୍ଯ୍ୟଟକଙ୍କ ମନ ଭରୁନି

ଢେଙ୍କାନାଳ : ପ୍ରାକୃତିକ ସୌନ୍ଦର୍ଯ୍ୟଭରା କପିଳାସ ଯେତିକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସେହି ପରିମାଣରେ ପାଦଦେଶରେ ରହିଥିବା ଚିଡ଼ିଆଖାନା ପର୍ଯ୍ୟଟକଙ୍କ ପାଇଁ ଦର୍ଶନୀୟ ସ୍ଥାନ ପାଲଟିଛି। ତା ଭିତରେ ରହିଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ସ୍ଥିତ ୬ ଟି ଛୋଟ ବଡ଼ ହାତୀ ଚିଡ଼ିଆଖାନର ଶୋଭା ବଢାଉଛନ୍ତି। ଅନ୍ୟ ପଶୁପକ୍ଷୀ ଅପେକ୍ଷା ଛୁଆ ହାତୀଠାରୁ ଆରମ୍ଭ କରି ଦନ୍ତାହାତୀକୁ ନ ଦେଖିଲେ ପର୍ଯ୍ୟଟକଙ୍କ ମନ ଭରୁ ନାହିଁ।

୨୦୦୭-୨୦୦୮ ମସିହାରୁ ହାତୀମାନଙ୍କର ରକ୍ଷଣାବେକ୍ଷଣ ପାଇଁ କପିଳାସ ପ୍ରାଣୀ ଉଦ୍ୟାନରେ ହାତୀ ରେସ୍‌କ୍ୟୁ ସେଣ୍ଟର ଆରମ୍ଭ କରାଯାଇଛି। ୨୦୧୦ ମସିହା ଜୁଲାଇ ୭ ତାରିଖରେ ଆଠଗଡ଼ ବନାଞ୍ଚଳରୁ ୨ ବର୍ଷ ବୟସରେ ‘କାର୍ତ୍ତିକ’କୁ ଉଦ୍ଧାର କରି ଢେଙ୍କାନାଳ ଚିଡ଼ିଆଖାନାକୁ ଅଣାଯାଇଥିଲା। ଏବେ ତାକୁ ୧୧ ବର୍ଷ ହୋଇଗଲାଣି। ୨୦୧୧ ମସିହା ଡିସେମ୍ବର ୨୪ ତାରିଖରେ ବରଗଡ଼ ବନଖଣ୍ଡରୁ ଉଦ୍ଧାର ହୋଇଥିବା ୧ବର୍ଷର ହାତୀ ଛୁଆ ‘ଚନ୍ଦୁ’ ଦୀର୍ଘ୧୦ ବର୍ଷ ଧରି ଏହି ପ୍ରାଣୀ ଉଦ୍ୟାନରେ ରହିଆସୁଛି। ସେହିପରି ୨୦୧୨ ମସିହା ସେପ୍ଟେମ୍ବର ୪ ତାରିଖରେ ୧ବର୍ଷ ବୟସର ମାଇ ହାତୀ ଛୁଆ ‘ଉମା’ ଢେଙ୍କାନାଳ ବନାଞ୍ଚଳର ଷଡଙ୍ଗୀ ରେଞ୍ଜରୁ ଉଦ୍ଧାର ହୋଇ ଆସିଥିଲା। ସେ ଏବେ ୯ ବର୍ଷ ୪ ମାସରେ ପଦାର୍ପଣ କରିଛି। ସମ୍ବଲପୁର ଜିଲ୍ଲ ବାମରା ବନଖଣ୍ଡର ଗିରୀଶଚନ୍ଦ୍ର ପୁର ରେଞ୍ଜ ଅଞ୍ଚଳରେ ଏକ ରୋଗାକ୍ରାନ୍ତ ମାଈ ହାତୀ ବୁଲୁଥିଲା। ତା’ପାଖରେ ତାର ୧ବର୍ଷ ୩ମାସର ଏକଛୁଆ ହାତୀ ରହିଥିଲା। ବନ ବିଭାଗ ଏହା ଜାଣିପାରି ମାଆ ହାତୀଟିର ଚିକିତ୍ସା କରାଇଥିଲେ ମଧ୍ୟ ସେ ବଞ୍ଚିନଥିଲା। ମା’ ହାତୀର ମୃତ୍ୟୁ ପରେ ସୁରକ୍ଷା ଦୃଷ୍ଟିରୁ ସେହି ହାତୀ ଛୁଆଟିକୁ ଜଙ୍ଗଲକୁ ଛଡ଼ାନଯାଇ ୧୫ ଦିନ ପର୍ଯ୍ୟନ୍ତ ବନ ବିଭାଗର ତତ୍ତ୍ବାବଧାନରେ ରଖାଯାଇଥିଲା। ୨୦୧୯ ମସିହା ଜୁନ୍ ୭ ତାରିଖରେ ହାତୀ ଛୁଆଟି କପିଳାସକୁ ଅଣାଯାଇଥିଲା। ପିସିସିଏଫ୍ ତାର ନାମ ‘ହିରୋ’ ରଖିଥିଲେ। ତାକୁ ଏବେ ୩ ବର୍ଷ ହୋଇଛି।

ତାଳଚେର ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ୫ଟି ମୁଣ୍ଡ ନେଇଥିବା ନରହନ୍ତା ଜଙ୍ଗଲୀ ହାତୀ(୧୨ବର୍ଷ)କୁ ଟ୍ରାଙ୍କୁଲାଇଜ୍ କରି ଗତ ଜାନୁଆରି ୨୨ ତାରିଖରେ କପିଳାସ ଚିଡ଼ିଆଖାନାକୁ ଅଣାଯାଇଥିଲା। ରାକସ୍ ନାମକ ଜଙ୍ଗଲରୁ ସେ ଆସିଥିବାରୁ ସେହି ଅନୁଯାୟୀ ତାର ନାମ ‘ରାକେଶ’ ରଖାଯାଇଛି। ସେଥିପାଇଁ ବ୍ୟୟ ବରାଦ କରାଯାଇ ଏକ ଏକର ଜାଗାରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଥାଇ ତା ପାଇଁ ଓପନ୍ ଏନ୍‌କ୍ଲୋଜର କରାଯାଇଛି। ଯେଉଁଠାରେ ତାକୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଉଛି ଏବଂ ସେଠାରେ ସେ ବୁଲୁଥିବା ଦେଖାଯାଉଛି। ବର୍ତ୍ତମାନ ଆଉ ଏକ ୬ ମାସର ହାତୀଛୁଆ ଏହି ପ୍ରାଣୀ ଉଦ୍ୟାନକୁ ଆସିଛି। ବ୍ରହ୍ମପୁରରେ ହାତୀ ଗୋଠରୁ ବାହାରି ଆସି ମଣିଷ ଛୁଆଁ ହୋଇଥିବା ଏହି ମାଈ ହାତୀଛୁଆକୁ ୨୦୨୦ ଡିସେମ୍ବର ୩୧ ତାରିଖରେ କପିଳାସ ଚିଡିଆଖାନାକୁ ଅଣାଯାଇଥିଲା ଏବଂ ତାର ନାମ ‘ପଦ୍ମା’ ରଖାଯାଇଛି। ସମସ୍ତ ଚିକିତ୍ସା କରାଯିବା ପରେ ତାକୁ ଏକୁଟିଆ ୪ଦିନ ପାଇଁ ଏକ କୋଠରିରେ ରଖାଯାଇଥିଲା। ସେ ସଂପୂର୍ଣ୍ଣ ସୁସ୍ଥ ରହିଥିବା ଓ.ୟୁ.ଏ.ଟି ଠାରୁ ରିପୋର୍ଟ ମିଳିବା ପରେ ବର୍ତ୍ତମାନ ତାକୁ ଅନ୍ୟ ହାତୀମାନଙ୍କ ସହ ମିଶିବାକୁ ଦିଆଯାଉଛି। ପଦ୍ମା ବର୍ତ୍ତମାନ ଚାଲି ଅନ୍ୟ ହାତୀମାନଙ୍କ ସହ ଯେତିକି ନ ମିଶୁଛି ତା ଠାରୁ ଅଧିକ ସମୟ ତାର ଯତ୍ନ ନେଉଥିବା ମାହୁନ୍ତ ପଛ ପଛେ ଯାଉଛି।

The post କପିଳାସ ଚିଡ଼ିଆଖାନାର ଶୋଭା ବଢ଼ାଉଛନ୍ତି ୬ ହାତୀ : ନ ଦେଖିଲେ ପର୍ଯ୍ୟଟକଙ୍କ ମନ ଭରୁନି first appeared on Sambad.



from ବିଶେଷ – Sambad https://ift.tt/2L8OHY5

Post a Comment

0 Comments