ଯୁବକଙ୍କ ନିଆରା ସଉକ: ଘଂଚ ଜଙ୍ଗଲରେ ପ୍ରାକୃତିକ ସାମଗ୍ରୀକୁ ନେଇ ଆରମ୍ଭ କରିଛନ୍ତି ମୁକ୍ତାକାଶ ଜିମ୍

ଜୟପୁର: ଯୁଗ ସହ ଲୋକଙ୍କର ରୁଚି ବଦଳିଛି। ଛୋଟ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଫିଟ୍ ରହିବାକୁ ଚାହୁଁଛନ୍ତି। ନିଜର ବ୍ୟସ୍ତତା ତଥା କର୍ମଜଂଜାଳ ମଧ୍ୟରୁ ସମୟ କାଡ଼ି କିଏ ଜିମ୍ କୁ ଯାଉଛି ତ ଆଉ କିଏ ପ୍ରାତଃ ଭ୍ରମଣରେ। ଜିମ୍ କୁ ଗଲେ ମୋଟା ଅଙ୍କର ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ୁଛି। ଅପରପକ୍ଷରେ ଜଣେ ଯୁବକଙ୍କ ପ୍ରଚେଷ୍ଟାରେ ଜଙ୍ଗଲ ମଧ୍ୟରେ ରହିଛି ଶୁଳ୍କ ମୁକ୍ତ ଜିମ୍। ଜୟପୁର ସହରର ଅତି ନିକଟରେ ଥିବା ପାଜିଂଆଗୁଡା ନିକଟସ୍ଥ ଜଙ୍ଗଲ ମଧ୍ୟରେ ମୁକ୍ତାକାଶରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜଙ୍ଗଲ ମଧ୍ୟରେ ରହିଛି ଏହି ଜିମ୍। । ଏହି ମୁକ୍ତାକାଶ ଜଙ୍ଗଲ ଜିମ୍ କୁ ନେଇ ଏବେ ସହରରେ ଚର୍ଚ୍ଚା। ଏଠାରେ ପ୍ରତିଦିନ ୩୦ରୁ ୩୫ଜଣ ବିଭିନ୍ନ ବୟସ ବର୍ଗର ଯୁବକ ମାନେ ଶାରିରୀକ କ୍ରୀଡା କୌଶଳ କରି ନିଜକୁ ସୁସ୍ଥ ରଖିବାକୁ ପ୍ରୟାସ କରୁଛନ୍ତି।

ବ୍ୟାୟାମ ପାଇଁ ସବୁ ପ୍ରକାର ଉପକରଣ ବି ରହିଛି।ହେଲେ ଏସବୁ ଅନ୍ୟ ଜିମ୍ ପରି ବ୍ରାଣ୍ଡେଡ ନୁହେଁ କି ଲୁହା କିମ୍ବା ଅନ୍ୟ ଉପକରଣ କିମ୍ବା ଯନ୍ତ୍ରରେ ତିଆରି ନୁହେଁ। ବରଂ ଏ ସବୁ ତିଆରି ହୋଇଛି ଜଙ୍ଗଲର କିଛି କାଠ,ଡାଳ,ଟାୟାର ଓ ସିମେଣ୍ଟ କଂକ୍ରିଟ ଖଣ୍ଡ, ନଦୀ ବାଲିରେ । ଏହି ମୁକ୍ତାକାଶ ଜଙ୍ଗଲ ଜିମ୍ ପଛରେ ପ୍ରଛନ୍ନ ଭୂମିକା ରହିଛି ସ୍ଥାନୀୟ ଆଦିବାସୀ ଯୁବକ ଶିବରାମ କଟିଆଙ୍କ ର।ଶିବରାମ ବୃତ୍ତିରେ ଜଣେ ଗାଡି ଡ୍ରାଇଭର ହୋଇଥିଲେ ବି ନିଶା କିନ୍ତୁ ନିଜେ ଶାରିରୀକ ସୁସ୍ଥ ରହିବା ସହ ଯୁବବର୍ଗଙ୍କୁ ପ୍ରକୃତିଦତ୍ତ ଉପାୟରେ ହିଁ (ଫିଜିକାଲ ଫିଟନେସ୍) ତାଲିମ ଦେବା। ଆଉ ତାଙ୍କର ଏହି ଉଦ୍ୟମ ଫଳରେ ଅନେକ ଯୁବକ ପୋଲିସ ଓ ସୈନ୍ୟ ବାହିନୀରେ ଯୋଗ ଦେବା ଆଶାରେ ଏହି ଜିମ୍ ରେ ତାଲିମ ନେଉଛନ୍ତି। ଗତ ୨ ବର୍ଷରୁ ଅଧିକ ସମୟ ହେବ ଏହା ଚାଲିଛି। ଜିମରେ ମାଗଣା ତାଲିମ ଦିଆଯାଉଥିବା ବେଳେ ଏହାର ରକ୍ଷଣାବେକ୍ଷଣ ସହ ଅନ୍ୟାନ୍ୟ ଖର୍ଚ୍ଚ ଶିବରାମ ନିଜ ଦରମା ଟଙ୍କାରୁ କରି ଆସୁଛନ୍ତି।

ଶିବରାମଙ୍କ ପିଲାଟି ଦିନରୁ ଫିଜିକାଲ ଫିଟନେସ ପ୍ରତି ପ୍ରବଳ ଆଗ୍ରହ ରହି ଆସିଥିଲା। ବାପା ସୀତାରାମ କୋଟିଆଙ୍କ ଠାରୁ ସେ ପିଲାଟି ବେଳରୁ ସେ ବାଡ଼ି , ଖଣ୍ଡା ଆଦି ବୁଲାଈବା ପରି ଆଖାଡ଼ା ବ୍ୟାୟମ ଶିଖିଥିଲେ। ବାପା ରିକ୍ସାଚାଳକ ହୋଇଥିଲେ ହେଁ ସେ ତାଙ୍କ ଦୁଇ ପୁଅଙ୍କୁ କିଭଳି ସୁସ୍ଥ ଓ ସୁନ୍ଦର ସ୍ବାସ୍ଥ୍ୟ ଗଠନ କରିବେ ତାହା ଶିଖାଉଥିଲେ। ପିଲାଟି ବେଳରୁ ଶିଖି ଆସିବା ଏବଂ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପିଲାଟି ବେଳରୁ ହିଁ ଶିବରାମ ଅଙ୍ଗେ ନିଭାଇଥିବାରୁ ଏଭଳି ମାଗଣା ଜିମ୍ କରି ପିଲାଙ୍କୁ ଶିଖାଇବାକୁ ନିଷ୍ପତି ନେଇଥିଲେ। ବାପାଙ୍କ ମାଧ୍ୟମରେ ସେ ଶିବା ଲଜ୍ ନିକଟସ୍ଥ ଖ୍ରୀଷ୍ଠୀୟାନପେଟ୍ଟାରେ ଥିବା ଜିମକୁ ୬ମାସ କାଳ ଯାଇ ବ୍ୟାୟମ ଆଦି କିଭଳି କରାଯାଏ ଶିଖିଥିଲେ। ହେଲେ ଆର୍ଥିକସ୍ଥିତି ଭଲ ନଥିବାରୁ ସବୁ ଦିନ ପାଇଁ ସମ୍ଭବ ହୋଇ ପାରିଲାନି।

ଜିମରେ ବ୍ୟବହାର କରୁଥିବା ସାମଗ୍ରୀ ଗୁଡ଼ିକୁ ଦେଖି ପ୍ରଥମେ ନିଜ ଘରେ ଗୋଟିଏ ଛୋଟିଆ ଜିମ୍ ଟିଏ କରିଥିଲେ। କିନ୍ତୁ ପରେ ସ୍ଥାନ ଅଭାବରୁ ସେ ପାଂଜିଆଗୁଡା ତଥା ଓପିଟିସିଏଲ୍ ଗେଟ ସମ୍ମୁଖରେ ଥିବା ଘଂଚ ଜଙ୍ଗଲ ମଧ୍ୟରେ ଜିମ୍ ଆରମ୍ଭ କରିଥିଲେ। ପ୍ରଥମେ ୩ଜଣ ଯୁବକ ଆସୁଥିବା ବେଳେ ଏବେ ସହରର ନୂଆସାହି, ଜୟନଗର, ବାରିଣୀପୁଟ, ଖ୍ରୀଷ୍ଠୀୟାନ ସାହି ସହ ପାଂଜିଆଗୁଡା, ବାୟାଗୁଡା ଆଦି ଆଖପାଖ ଗାଁର ୩୫ଜଣ ପିଲା ସବୁ ଦିନ ଶାରିରୀକ ବ୍ୟାୟମ କରୁଥିବା କହିଛନ୍ତି ଶିବରାମ। ସ୍ବଳ୍ପ ଦରମାରେ ସ୍ତ୍ରୀ,୩ଟି ଛୁଆ, ବାପା ଓ ମା ଆଦିର ପରିବାରର ପ୍ରତିପୋଷଣ କରିବା ସହ ଜିମର ମରାମତି, ରକ୍ଷଣାବେକ୍ଷଣ, ଦେଖାରଖା କରି ଆସୁଛନ୍ତି ଶିବରାମ। ତେବେ ଅତ୍ୟାଧୁନିକ ଜିମ୍ କୁ ଯାଇ ବିଭିନ୍ନ ଔଷଧ ଖାଇ ଦେହ ଖରାଫ କରିବା ବଦଳରେ ମୁକ୍ତାକାଶ ଜିମରେ ପ୍ରାକୃତିକ ଉପାୟରେ ଶରୀର ଗଠନ କରିପାରିଲେ ସମଗ୍ରୀ ଜୀବନ ଏହି ଶରୀର ଶକ୍ତ ଓମଜଭୁତ ରହିବ ବୋଲି କହିଛନ୍ତି ଶିବରାମ। ମାନସିକ, ଶାରିରୀକ ଭାବେ ଜଣେ ସୁସ୍ଥ ରହିଲେ ସେ ଯେ କୌଣସି କାମ କରି ପାରିବ, ସୁସ୍ଥ ଓ ବିକଶିତ ସମାଜ ଗଠନରେ ଏମାନେ ପ୍ରମୁଖ ଭୁମିକା ଗ୍ରହଣ କରିପାରିବେ ବୋଲି କହିଛନ୍ତି ଶିବରାମ। ଶିବରାମଙ୍କ ଏଭଳି ଉଦ୍ୟମ ଓ ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

 

The post ଯୁବକଙ୍କ ନିଆରା ସଉକ: ଘଂଚ ଜଙ୍ଗଲରେ ପ୍ରାକୃତିକ ସାମଗ୍ରୀକୁ ନେଇ ଆରମ୍ଭ କରିଛନ୍ତି ମୁକ୍ତାକାଶ ଜିମ୍ first appeared on Sambad.



from ବିଶେଷ – Sambad https://ift.tt/2MfH4PD

Post a Comment

0 Comments