ଗ୍ରାହକମାନଙ୍କୁ ଖୁସି କରିବା ପାଇଁ ଥାଇଲାଣ୍ଡ୍‌ ରେସ୍ତୋରାଁରେ ଗଞ୍ଜାଇପତ୍ର ଦିଆ ପାଉଁରୁଟି ଓ ସାଲାଡ୍‌ ପରିବେଷଣ

ବ୍ୟାଙ୍ଗ୍‌କକ୍‌: ଥାଇଲାଣ୍ଡ୍‌ ସାଧାରଣ ଖାଦ୍ୟ ତାଲିକାରେ ‘ହସ-ପାଉଁରୁଟି’ ଓ ‘ନାଚ ସାଲାଡ୍‌’ (ଗିଗ୍‌ଲିଙ୍ଗ୍‌ ବ୍ରେଡ୍‌ ଓ ଜୟଫୁଲି ଡ୍ୟାନ୍‌ସିଙ୍ଗ୍‌ ସାଲାଡ୍‌) ବୋଲି କିଛି ନାହିଁ। କିନ୍ତୁ, ବିଦେଶୀ ପର୍ଯ୍ୟଟକମାନଙ୍କୁ ପ୍ରଲୋଭିତ କରି ଭଲ କିଛି ଆୟ କରିବା ଲାଗି ଗୋଟାଏ ରେସ୍ତୋରାଁ ଗଞ୍ଜାଇପତ୍ର ଦେଇ ଉପରୋକ୍ତ ଦୁଇ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରୁଛି।

ଗଞ୍ଜାଇକୁ ମାଦକଦ୍ରବ୍ୟ ତାଲିକାରୁ ବାଦ ଦେଇ ରାଜ୍ୟ ସ୍ୱୀକୃତିପ୍ରାପ୍ତ ଫାର୍ମଗୁଡ଼ିକୁ ଗଞ୍ଜାଇ ଚାଷ କରିବାକୁ ଥାଇଲାଣ୍ଡ୍‌ ଅନୁମତି ଦେବା ପରେ ଚଳିତ ମାସରୁ ପ୍ରାଚୀନ ବୁରିସ୍ଥିତ ‘ଚାଓ ଫିୟା ଅଭୟିଭୁବେଝର ହସ୍ପିଟାଲ୍‌’ରେ ଥିବା ରେସ୍ତୋରାଁରେ ଏଭଳି ଆନନ୍ଦପ୍ରଦ ଖାଦ୍ୟ ପରିବେଷଣ ଆରମ୍ଭ କରିଛି।

Image Courtesy of WION

ଏହି ରେସ୍ତୋରାଁରେ ପରିବେଷଣ ହେଉଥିବା ଆନନ୍ଦଦାୟକ ଖାଦ୍ୟ ତାଲିକାରେ ରହିଛି ‘ହାପି ପର୍କ ସୁପ୍‌’, ‘ଉପରେ ଗଞ୍ଜାଇପତ୍ର ଓ ଘୁଷୁରି ମାଂସ ସଜ୍ଜିତ ‘ଡିପ୍‌-ଫ୍ରାଏଡ୍‌ ବ୍ରେଡ୍‌’ ଏବଂ ବଟା ହୋଇଥିବା ଘୁଷୁରି ମାଂସ ଓ ଚୂନା ଚୂନା ହୋଇ କଟାଯାଇଥବା ପରିବା ସହ ମୁସ୍‌ମୁସିଆ ଗଞ୍ଜାଇପତ୍ର।
ଉପରୋକ୍ତ ବ୍ୟଞ୍ଜନ ଖାଇବା ପରେ କେତେକ ଗ୍ରାହକ ସେମାନଙ୍କ ଅନୁଭୂତି ବଖାଣିଛନ୍ତି। କେଟ୍‌ସିନ୍‌ ବୁନ୍‌ସିରି ନାମକ ଜଣେ ଗ୍ରାହକ କହନ୍ତି, ମୁଁ ଆଗରୁ କେବେ ଗଞ୍ଜାଇ ଖାଇ ନ ଥିଲି। ଏହା ଖାଇବାକୁ ଅଡୁଆ ଲାଗିଲେ ବି ସ୍ୱାଦିଷ୍ଠ। ନାଟ୍ଟାନନ୍‌ ନାରାନାନ୍‌ କହନ୍ତି, ଗଞ୍ଜାଇପତ୍ର ସାଧାରଣ ପରିବା ଭଳି। କିନ୍ତୁ, ଏହାକୁ ଖାଇବା ପରର ପ୍ରଭାବ ବଡ଼ ବିଚିତ୍ର। ମୋର ତଣ୍ଟି ଶୁଖିଗଲା ଓ ମିଠା ଖାଇବାକୁ ଭାରି ମନ ବଳିଲା।

ହସ୍ପିଟାଲ୍‌ର ପ୍ରକଳ୍ପ ମୁଖ୍ୟ ପାକାକ୍ରୋଙ୍ଗ୍‌ କ୍ୱାନ୍‌କାଓ କହିଛନ୍ତି, ଖାଦ୍ୟରେ ଅଳ୍ପ ପରିମାଣର ଗଞ୍ଜାଇପତ୍ର ମିଶାଇ ପରିବେଷଣ କରାଗଲେ ରୋଗୀମାନେ ଅପେକ୍ଷାକୃତ ଶୀଘ୍ର ସୁସ୍ଥ ହେଉଛନ୍ତି। ଗଞ୍ଜାଇପତ୍ର ଭୋକ ବଢ଼ାଏ। ଏହାକୁ ଖାଇବାଦ୍ୱାରା ଭଲ ନିଦ ହେଉଥିବାରୁ ଲୋକମାନଙ୍କର ମିଜାଜ୍‌ ମଧ୍ୟ ଭଲ ରହୁଛି।

ଗଞ୍ଜାଇ ଏବଂ ତାହାର ଯନ୍ତ୍ରଣା ଓ କ୍ଳାନ୍ତି ନିବାରକ ଗୁଣ ଉପରେ ଅଧ୍ୟୟନ କରିବାରେ ଥାଇଲାଣ୍ଡ୍‌ର ଏହି ଡାକ୍ତରଖାନା ହେଉଛି ପ୍ରଥମ।
୨୦୧୭ରେ ଗଞ୍ଜାଇକୁ ନୈଦାନିକ ବ୍ୟବହାର ପାଇଁ ଆଇନସମ୍ମତ ବୋଲି ଘୋଷଣା କରିବାରେ ଥାଇଲାଣ୍ଡ୍‌ ହେଉଛି ପ୍ରଥମ ଦକ୍ଷିଣ ଏସୀୟ ଦେଶ। ସେବେଠାରୁ ଥାଇଲାଣ୍ଡ୍‌ରେ ଅନେକ ଡାକ୍ତରୀ ଗଞ୍ଜାଇ କ୍ଲିନିକ୍‌ ଖୋଲିଛି।

The post ଗ୍ରାହକମାନଙ୍କୁ ଖୁସି କରିବା ପାଇଁ ଥାଇଲାଣ୍ଡ୍‌ ରେସ୍ତୋରାଁରେ ଗଞ୍ଜାଇପତ୍ର ଦିଆ ପାଉଁରୁଟି ଓ ସାଲାଡ୍‌ ପରିବେଷଣ first appeared on Sambad.



from ବିଶେଷ – Sambad https://ift.tt/39IFDkI

Post a Comment

0 Comments