ସାମ୍ୟବାଦୀ ଜଳଦସ୍ୟୁ

୧୬୭୪ରେ ମିସନ୍‌ ନାମକ ଫରାସୀ ଜଳଦସ୍ୟୁ ଏକ ସାମ୍ୟବାଦୀ ରାଷ୍ଟ୍ର ସ୍ଥାପନ କରିଥିବା ଇତିହାସ କହେ। ମାଡାଗାସ୍କାର‌୍‌ ଅନ୍ତର୍ଗତ ଡିଏଗୋ ସୁଆରେଜ୍‌ ଦ୍ବୀପରେ ସେ ଏହି ସ୍ବାଧୀନ ରାଷ୍ଟ୍ର ସ୍ଥାପନ କରିଥିଲେ। ନାମ ଥିଲା- ଲିବର୍ଟାସିଆ। ମିସନ୍‌ ଜାହାଜ ଲୁଣ୍ଠନ କରିକରି ବିରକ୍ତ ହୋଇଯାଇଥିଲେ। ଲୁଣ୍ଠନ ଛାଡ଼ି କୌଣସି ଏକ ସ୍ଥାନରେ ସ୍ଥାୟୀ ଭାବେ ବସବାସ କରିବାକୁ ଦିନେ ଇଚ୍ଛା କଲେ। ପୋପ୍‌ଙ୍କ ଦ୍ବାରା ବିତାଡ଼ିତ ଜଣେ ଧର୍ମଯାଜକ ବନ୍ଧୁ କାରାସିଓଲିଙ୍କ ଉପଦେଶ କ୍ରମେ ସେ ମାଡାଗାସ୍କାର ଅଞ୍ଚଳକୁ ବାଛିଥିଲେ। କାରଣ, ତାହା ଥିଲା ଅପେକ୍ଷାକୃତ ନିରାପଦ। ବାସିନ୍ଦା ଥିଲେ ଶାନ୍ତିପ୍ରିୟ ସ୍ବଭାବର। ସାଥୀ ଓ ସହଚରଙ୍କୁ ନେଇ ସେ ପ୍ରଥମେ ଦ୍ବୀପଟିକୁ ନିଜ ଅଧିକାରକୁ ଆଣିଥିଲେ। ଅବଶ୍ୟ କେହି ତାଙ୍କୁ ପ୍ରତିରୋଧ କରି ନ ଥିଲେ। ଦ୍ବୀପର ମଧୢ ଭାଗକୁ ସୁରକ୍ଷିତ କରିବା ନିମନ୍ତେ ସେ ତାହାର ଦୁର୍ଗୀକରଣ କରାଇଥିଲେ।

ମିସନ୍‌ ନିଜକୁ ରାଷ୍ଟ୍ରମୁଖ୍ୟ ଘୋଷିତ କରିବା ସହ କାରାସିଓଲିଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ବନାଇଥିଲେ। ଥୋମାସ୍‌ ତିଉ ନାମକ ମାର୍କିନ୍‌ ଜଳଦସ୍ୟୁ ତାଙ୍କ ନୌ-ଭେଳାର ଆଡ୍‌ମିରାଲ୍‌ ଭାବେ ନିଯୁକ୍ତ ‌ହୋଇଥିଲେ। ଲିବର୍ଟାସିଆରେ କେହି କୌଣସି ପ୍ରକାରର ସ˚ପତ୍ତି ରଖିପାରିବେନାହିଁ ବୋଲି ଆଇନ ପ୍ରଣୟନ କରାଯାଇଥିଲା। ସମସ୍ତଙ୍କ ମଧୢରେ ଖାଦ୍ୟ ଓ ପାନୀୟ ସମାନ ଭାବେ ଏବଂ ମାଗଣାରେ ବିତରଣ ପାଇଁ ବ୍ୟବସ୍ଥା କରାଯାଇଥିଲା। ଦୁର୍ଗ ଭିତରେ ସମସ୍ତଙ୍କ ପାଇଁ ରହିବାର ବନ୍ଦୋବସ୍ତ ହେଇଥିଲା। ମିସନ୍‌ ଏବ˚ ତାଙ୍କର ସାଥୀମାନେ ସେଠାରେ ପ୍ରାୟ ଏକୋଇଶ ବର୍ଷ ବାସକରିଥିଲେ। ଲିବର୍ଟାସିଆର ବାସିନ୍ଦାମାନଙ୍କୁ ଏକାଧିକ ପତ୍ନୀ ରଖିବା ପାଇଁ ମିସନ୍‌ ଅନୁମତି ଦେଇଥିଲେ। ତାହାହିଁ ମିସନ୍‌ଙ୍କ ପାଇଁ କାଳ ହୋଇଥିଲା। ଦ୍ବୀପରେ ମହିଳାଙ୍କ ସ˚ଖ୍ୟା କମ୍‌ ଥିଲା। ସେଠାକାର ମହିଳାଙ୍କୁ ବଳପୂର୍ବକ ଅପହରଣ କରିବାରୁ, ଉତ୍‌କ୍ଷିପ୍ତ ସ୍ଥାନୀୟ ଅଧିବାସୀ ଦିନେ ଅତର୍କିତ ଆକ୍ରମଣ କରି କାରାସିଓଲି ଏବ˚ ତିଉଙ୍କୁ ହତ୍ୟା କରିଥିଲେ। ତେବେ, ମିସନ୍‌ ଖସିଯାଇଥିଲେ ଏବଂ ଲିବର୍ଟାସିଆର ପତନ ହୋଇଥିଲା।

The post ସାମ୍ୟବାଦୀ ଜଳଦସ୍ୟୁ first appeared on Sambad.



from ବିଶେଷ – Sambad https://ift.tt/39glxOP

Post a Comment

0 Comments