‘ମୁଁ ନେତାଜୀଙ୍କୁ ଦେଖିଛି’

‘ମତେ ବଞ୍ଚିବା ପାଇଁ ଦୁଇ ମୁଠା ଅନ୍ନ ଦିଅନ୍ତୁ। ମତେ ଖାକି ପ୍ୟାଣ୍ଟି ହଳେ, ସାର୍ଟ ହଳେ ଓ ଟୋପି ଦେଇ ସୈନ୍ୟ ବିଭାଗର ସାମିଲ କରନ୍ତୁ। ଏତକ କହିଲା ପରେ ମତେ ନେତାଜୀ ଆର୍ମି ଟ୍ରେନିଂ ଦେଇଥିଲେ। ମୁଁ ନିଜର ସବୁକିଛି ନେତାଜୀଙ୍କୁ ଦାନ କରି ଦେଇଥିଲି। ନେତାଜୀ ଯେତେବେଳେ ସେନାବାହିନୀ ଗଠନ ପାଇଁ ଅର୍ଥ ସଂଗ୍ରହ କରୁଥିଲେ ତାଙ୍କର ଏକ ଫୁଲମାଳକୁ ୮ ଲକ୍ଷ ଟଙ୍କା ଦେଇ ମୁଁ କିଣିଥିଲି। ସେହି ଟଙ୍କାକୁ ନେତାଜୀ ସେନାବାହିନୀ ଗଠନରେ ବ୍ୟବହାର କରିଥିଲେ।’ ଇଏ ହେଉଛି ନେତାଜୀଙ୍କ ସେନାବାହିନୀରେ ସାମିଲ ହୋଇଥିବା ସେତେବେଳର ଜଣେ ବଡ଼ ବ୍ୟବସାୟୀ ହରଗୋବିନ୍ଦ ସିଂହଙ୍କ ଉକ୍ତି। ନେତାଜୀ ଜୟନ୍ତୀ ଅବସରରେ ଉନ୍ମୋଚିତ ହେବାକୁ ଯାଉଥିବା ‘ମୁଁ ନେତାଜୀଙ୍କୁ ଦେଖିଛି’ ପୁସ୍ତକରେ ଏଭଳି ଅନେକ କିଛି ରୋଚକ, ଅବିଶ୍ବସନୀୟ ଆଉ ଚକିତ କଲା ଭଳି କଥା ଉଲ୍ଲେଖ ରହିଛି।

କଟକ ବଡ଼ ମେଡିକାଲର ଅବସରପ୍ରାପ୍ତ ଡାକ୍ତର ନିର୍ମଳେନ୍ଦୁ କୁମାର ଦାସଙ୍କ ଦ୍ବାରା ଅନୁବାଦିତ ଏହି ପୁସ୍ତକର ମୂଳ ଲେଖକ ହେଉଛନ୍ତି ନାରାୟଣ ସାନ୍ୟାଲ। ପାଖାପାଖି ୫୦୦ ପୃଷ୍ଠାର ଏହି ବହିରେ ନେତାଜୀଙ୍କୁ ଦେଖିଥିବା ଚାରି ଜଣଙ୍କ ବକ୍ତବ୍ୟ ସ୍ଥାନ ପାଇଛି। ଏମାନେ ହେଇଛନ୍ତି ଝାନ୍‌ସୀରାଣୀ ବାହିନୀର ଆରତୀ ନାୟର, ବ୍ୟକ୍ତିଗତ ଷ୍ଟେନୋ ଭାସ୍କରନ୍, ପ୍ରଚାର ସଚିବ ଏସ.ଏ ଆୟାର, ସୈନିକ ହରଗୋବିନ୍ଦ ସିଂହ।

ଆରତୀ ନାୟାର କହିଛନ୍ତି… ‘ସନ୍ଧ୍ୟା ବେଳେ ସେନାବାହୀନିର କ୍ୟାମ୍ପକୁ ନେତାଜୀ ଡ୍ରାମା ଦେଖିବାକୁ ଆସୁଥିଲେ। ସେହି କାର୍ଯ୍ୟକ୍ରମରେ ମୁଁ ରାଣୀ ଭୂମିକାରେ ଅଭିନୟ କରିଥିଲି। ଡ୍ରାମା ଶେଷ ହେବା ପରେ ନେତାଜୀଙ୍କ ପାଦ ଧରି ନମସ୍କାର କରିଥିଲି। ନେତାଜୀ କହିଥିଲେ ଆଶୀର୍ବାଦ କରୁଛି, ଏପରି ରାଜରାଣୀ ହୋଇ ତୁମେ ମଧ୍ୟ ଦିନେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିବ। ସେହି ମୂହୁର୍ତ୍ତଟି ଥିଲା ମୋ ଜୀବନର ଅତ୍ୟନ୍ତ ଦୁର୍ଲଭ। ଆଜି ମଧ୍ୟ ଆଖି ବନ୍ଦ କଲେ ଦେଖିବାକୁ ପାଏ, ସେହି ହଜାର ବତୀ ଆଲୋକ। ସେହି ହଜାର ଦର୍ଶକଙ୍କ ମୁଗ୍ଧ ବିଷ୍ମୟ ଆଉ ସେହି ଶୁଭ୍ର ହିମାଳୟ ପରି ଗୋଟିଏ ବ୍ୟକ୍ତିତ୍ବ। ତାଙ୍କର ସେହି ଆଶୀର୍ବାଦ ଆଜି ମଧ୍ୟ ସଫଳ ହୋଇନାହିଁ ମୋ ଜୀବନରେ। କିନ୍ତୁ ମୁଁ ବିଶ୍ବାସ ହରାଇ ନାହିଁ। ’

ଡାକ୍ତର ଦାସ ନେତାଜୀଙ୍କ ସମ୍ପର୍କିତ ୫ଟି ପୁସ୍ତକ ସଂଗ୍ରହାଳୟକୁ ଦାନ କରିଛନ୍ତି। ଏଥିରେ ‘ମୁଁ ନେତାଜୀଙ୍କୁ ଦେଖିଛି’ ସମେତ ଭାରତ ପଥିକ, ନେତାଜୀ ରହସ୍ୟ ସନ୍ଧାନ, ମୁଁ ସୁଭାଷ କହୁଛି(ଦ୍ବିତୀୟ ଓ ତୃତୀୟ ଖଣ୍ତ) ପୁସ୍ତକ ରହିଛି। ଏବେ ସଂଗ୍ରହାଳୟର ଲାଇବ୍ରେରିରେ ପ୍ରାୟ ୫୦୦ ଖଣ୍ଡ ପୁସ୍ତକ ଥିବା ବେଳେ ସେଥିରେ ଚଳିତ ବର୍ଷ ଏହି ୫ଟି ବହି ଯୋଡ଼ି ହୋଇଛି।

The post ‘ମୁଁ ନେତାଜୀଙ୍କୁ ଦେଖିଛି’ first appeared on Sambad.



from ବିଶେଷ – Sambad https://ift.tt/3o7zpA5

Post a Comment

0 Comments