
ରାଞ୍ଚି: କୁହାଯାଏ ଜୀବନର ଅନ୍ଧକାରକୁ ଦୂରେଇ ଦେଇ ଆଲୋକ ଭରିଦେବା ବ୍ୟକ୍ତି ଜଣକ ହେଉଛନ୍ତି ଶିକ୍ଷକ। ପିଲାଙ୍କ ଭବିଷ୍ୟତକୁ ସୁନ୍ଦର କରି ଗଢ଼ି ତୋଳିବାରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେହିପରି ଜଣେ ଆଦର୍ଶ ଶିକ୍ଷକ ହେଉଛନ୍ତି ବଙ୍କଥି ଉତ୍କ୍ରମିତ୍ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଶ୍ୟାମ କିଶୋର ଗାନ୍ଧୀ। ସେ କାନ୍ଥରେ ଚିତ୍ର ଆଙ୍କି କୁନି କୁନି ପିଲାମାନଙ୍କୁ ପାଠ ପଢ଼ାଇବାର ପ୍ରୟାସ କରି ଚର୍ଚ୍ଚା ପାଲଟିଛନ୍ତି।
ସେ ଗାଁରେ ଥିବା କାନ୍ଥକୁ ଇଂରାଜି ଏବଂ ହିନ୍ଦି ଅକ୍ଷରରେ ଚିତ୍ରିତ କରିବା ସହ ଫଳ, ପଶୁ, ପନିପରିବା ଆଦିର ଛବି କରି ପିଲାଙ୍କୁ ଶିକ୍ଷାଦାନ କରିବାର ପ୍ରୟାସ କରିଛନ୍ତି, ଯେଉଁମାନେ କି ଲକ୍ଡାଉନ୍ କାରଣରୁ ଅଙ୍ଗନୱାଡ଼ୀ କେନ୍ଦ୍ରକୁ ଯିବା ବନ୍ଦ୍ କରି ଦେଇଛନ୍ତି। ଶ୍ୟାମ କିଶୋରଙ୍କ କହିବା କଥା ହେଲା ପିଲାମାନେ ଯାହା ପାଠ ପଢ଼ିଥିଲେ ଏହି ଲକ୍ଡାଉନ୍ରେ ପ୍ରାୟତଃ ତାହାକୁ ଭୁଲି ଯାଇଥିବେ। ତେଣୁ ସେମାନଙ୍କୁ ଚିତ୍ର ଜରିଆରେ ସେହି ପାଠକୁ ପୁଣି ଥରେ ମନେ ପକାଇ ଦେବାର ପ୍ରୟାସ ସେ କରିଛନ୍ତି।
ସେମାନେ ନିଜ ଘରୁ ବାହାରକୁ ଆସିବା ପରେ ଏହି କାନ୍ଥର ଚିତ୍ରଗୁଡ଼ିକ ସେମାନଙ୍କ ଆଖି ସାମ୍ନାକୁ ଆସିବ ଓ ଗାଁ ରାସ୍ତାରେ ଖେଳିବା ସମୟରେ ଏହି ଚିତ୍ରକଳା ଆଖିରେ ପଡ଼ିଲେ ଭୁଲି ଯାଇଥିବା ପାଠ ଧୀରେ ଧୀରେ ପିଲାମାନଙ୍କ ସ୍ମରଣକୁ ଆସିବ ବୋଲି ସେ କହିଛନ୍ତି।
ଶ୍ୟାମ୍ କିଶୋର ପିଲାମାନଙ୍କ ଭବିଷ୍ୟତ ପାଇଁ ନିଜ ପକେଟ୍ରୁ ୬ ହଜାର ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ କରି ପ୍ରାୟ ୩୦ଟି ସ୍ଥାନରେ ଏହି ଚିତ୍ର କରିଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶା ମିଳିବାରେ ଲାଗିଛି
The post ପିଲାଙ୍କ ଭବିଷ୍ୟତ ପାଇଁ ନିଜ ପକେଟ୍ରୁ ଟଙ୍କା ଖର୍ଚ୍ଚ କରି ଗାଁ କାନ୍ଥକୁ ଚିତ୍ରରେ ଭରିଦେଲେ ଆଦର୍ଶ ପ୍ରିନ୍ସିପାଲ୍ first appeared on Sambad.
from ବିଶେଷ – Sambad https://ift.tt/3i3XwOR
0 Comments