ଗୁହାଳ ସଫା କରୁଥିଲେ, କ୍ଷୀର ବିକ୍ରି କରୁଥଲେ; ଏବେ ସେସନ କୋର୍ଟରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ହେଲେ ସୋନଲ

ଉଦୟପୁର: ଗାଈ ଗୁହାଳରୁ ଅଦାଲତ। ଅନ୍ୟମାନେ ଅସମ୍ଭବ ଭାବୁଥିବା କାମକୁ ସମ୍ଭବ କରି ଦେଖାଇଛନ୍ତି ଉଦୟପୁରର ସୋନଲ ଶର୍ମା। ପଢ଼ିବା ପାଇଁ ଘର ନଥିବାରୁ ଗାଈ ଗୁହାଳରେ ପଢ଼ୁଥିଲେ ସୋନଲ। ସାମ୍ନାକୁ ଅନେକ ପ୍ରତିବନ୍ଧକ ଆସିଥିଲେ ମଧ୍ୟ ଲକ୍ଷସ୍ଥଳ‌ରେ ପହଞ୍ଚିବାର ଇଚ୍ଛା ତାଙ୍କୁ ଅଟକାଇପାରିନଥିଲା। ଦିନରାତି ଏକ କରି ପାଠ ପଢ଼ିବା ପରେ ଏବେ ସୋନଲ ନିଜ ଲକ୍ଷ ସ୍ଥଳରେ ପହଞ୍ଚିଛନ୍ତି। ପ୍ରଥମ ଚେଷ୍ଟ‌ାରେ ସେ ରାଜସ୍ଥାନ ନ୍ୟାୟିକ ସେବା ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ବେଳେ ଏବେ ସେ ବିଚାରପତି ଭାବେ ଦାୟିତ୍ବ ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୮ରେ ସେ ପରୀକ୍ଷ‌ାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏବେ ସେ ସେସନ କୋର୍ଟରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି।

ସୁଚନା ମୁତାବକ, ସୋନଲଙ୍କ ବାପା ଖ୍ୟାଲି ଲାଲ ଶର୍ମା ଜଣେ ଗୋପାଳକ। ଘରର ଚଳାଇବା ପାଇଁ ସେ ଗାଈ କ୍ଷୀର ବିକ୍ରି କରିଥାନ୍ତି। ବାପାଙ୍କୁ ଏକା ଘର ସମ୍ଭାଳୁଥିବା ଦେଖି ସୋନଲ ଛୋଟ ବେଳୁ ବାପାଙ୍କୁ ସାହାଯ୍ୟ କରିଆସିଛନ୍ତି। ପ୍ରତିଦିନ ଭୋର ୪ଟାରୁ ଉଠି ବାପାଙ୍କୁ ସାହାଯ୍ୟ କରିଥାନ୍ତିି ସୋନଲ। ଗୁହାଳ ସଫା କରିବା ସହ ଗୋବର କାଢ଼ିବା ଏବଂ କ୍ଷୀର ବାଣ୍ଟିବା ଭଳି କାମ କରିଥାନ୍ତିି ସୋନଲ। ସବୁ ସରିବା ପରେ ସେ ଗୁହାଳରେ ବସି ପାଠ ପଢ଼ିଥାନ୍ତି। କୌଣସି କାଠ ତିଆରି ଟେବୁଲ ନୁହେଁ, ସରିଯାଇଥିବା ତେଲ ଡ଼ବାକୁ ରଖି ସୋନଲ ପାଠ ପଢ଼ୁଥିଲେ ବୋଲି ଜଣା ପଡ଼ିଛି।

Sonal Sharma
timesnownews

୨୦୧୮ରେ ସେ ରାଜସ୍ଥାନ ନ୍ୟାୟିକ ସେବା ପରୀକ୍ଷା ଦେଇଥିବା ବେଳେ ନଭେମ୍ବର ୨୦୧୯ରେ ପରୀକ୍ଷା ଫଳାଫଳ ଆସିଥିଲା। କିନ୍ତୁ ସୋନଲଙ୍କ ନାଁ ପ୍ରତୀକ୍ଷା ସୂଚୀରେ ରହିଥିଲା। ବର୍ଷେ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯୋଗ ‌ନଦେବାରୁ ସୋନଲଙ୍କୁ ବୁଧବାର ସେସନ କୋର୍ଟରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ବ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଏବେ ନିଜ ସଫଳତାକୁ ନେଇ ସୋନଲ କହିଛନ୍ତି ଯେ, ବହୁ କଷ୍ଟ‌ରେ ମୋ ବାପା-ମା’ ମୋତେ ପାଠ ପଢ଼ାଇଛନ୍ତି। ଘର ଚଳାଇବା ପାଇଁ ସେ ଅନେକ ଋଣ ମଧ୍ୟ ନେଇଛନ୍ତି। ଏବେ ମୋ ପାଳି ଆସିଛି। ମୁଁ ଏବେ ଘରର ସବୁ ଦାୟିତ୍ବ ବୁଝିବି।

The post ଗୁହାଳ ସଫା କରୁଥିଲେ, କ୍ଷୀର ବିକ୍ରି କରୁଥଲେ; ଏବେ ସେସନ କୋର୍ଟରେ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍ ହେଲେ ସୋନଲ first appeared on Sambad.



from ବିଶେଷ – Sambad https://ift.tt/2KBh6Wl

Post a Comment

0 Comments