
ଏପ୍ରିଲରୁ କିମ୍ସ ହସ୍ପିଟାଲ ପ୍ରତି ମାସରେ ୧୫ କୋଟି ଟଙ୍କା କ୍ଷତି ସହୁଛି। କୋଭିଡ୍-୧୯ ପୂର୍ବରୁ ହସ୍ପିଟାଲରୁ ମାସକୁ ୧୮ କୋଟି ଟଙ୍କାର ବ୍ୟବସାୟ ହେଉଥିଲା। ସଂକ୍ରମଣ ଆରମ୍ଭ ହେବା ପରେ ସାଧାରଣ ଲୋକ ମେଡିକାଲକୁ ଆସିଲେ ନାହିଁ। ଏଥିପାଇଁ ପ୍ରତି ମାସରେ ମାତ୍ର ୩ କୋଟି ଟଙ୍କାର ବେପାର ହେଉଛି। କେବଳ ଯେ କିମ୍ସ ହସ୍ପିଟାଲ କ୍ଷତି ସହୁଛି, ତାହା ନୁହେଁ, ଓଡ଼ିଶାର ସମସ୍ତ ହସ୍ପିଟାଲ କ୍ଷତିରେ ଚାଲୁଛି। ଏମିତିକି ଦିଲ୍ଲୀର ନାମକରା କର୍ପୋରେଟ୍ ହସ୍ପିଟାଲ କ୍ଷତିରେ ଚାଲୁଥିବା ଜଣାପଡ଼ିଛି। ଯାହାକୁ ଭରଣା କରିବା ଏବେ ସମ୍ଭବପର ନୁହେଁ। ଅଷ୍ଟମ ଅଧିବେଶନରେ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସଙ୍କ ସହ ଆଲୋଚନା କରି କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏପରି କହିଥିଲେ। ସେ ଆହୁରି କହିଥିଲେ ଯେ ପ୍ରଥମେ କରୋନା ଚିକିତ୍ସାକୁ ନେଇ ସାରା ରାଜ୍ୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଥିଲା। ଜୁଲାଇ ଓ ଅଗଷ୍ଟରେ ପ୍ରବଳ ଚାପ ରହିଥିଲା। ତେବେ କିମ୍ସର ଡାକ୍ତର ଓ କର୍ମଚାରୀଙ୍କ କଠିନ ପରିଶ୍ରମ ଲାଗି ୩ରୁ ୪ମାସ ହେଲା କୌଣସି ଅଭିଯୋଗ ଆସି ନାହିଁ। ନିଜର ଭବିଷ୍ୟତ ସମ୍ପର୍କରେ ସେ କହିଛନ୍ତି ଯେ ମୁଁ ବାଧ୍ୟବାଧକତାରେ କିଛି କରିନି। ୩୦ ବର୍ଷ ହେଲା ସାମାଜିକ ସେବା ଓ ଶିକ୍ଷାକ୍ଷେତ୍ରରେ କାର୍ଯ୍ୟ କରୁଛି। ଏହିଥିରୁ ହିଁ ଆନନ୍ଦ ପାଏ।
‘ଗଞ୍ଜାମ ମଡେଲ’ ହେଉଛି ଟିମ୍ ୱାର୍କ
ଦ୍ବିତୀୟ ଅଧିବେଶନରେ ବକ୍ତା ଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଶ୍ରୀ କୁଲାଙ୍ଗେ କହିଥିଲେ, କମ୍ୟୁନିଟିର ସହଭାଗିତା ଯୋଗୁଁ ଗଞ୍ଜାମ ମଡେଲ ସଫଳ ହୋଇପାରିଥିଲା। ଏପ୍ରିଲ ମାସ ପର୍ଯ୍ୟନ୍ତ ଜିଲ୍ଲାରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇ ନଥିବା ବେଳେ ଲକ୍ଷାଧିକ ପ୍ରବାସୀ ଫେରିବା ପରେ ସଂକ୍ରମଣ ଦ୍ରୁତଗତିରେ ବଢ଼ିଥିଲା। ସେମାନଙ୍କ ରହିବା ଲାଗି ଜିଲ୍ଲା ୩୧ଶହ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ବା ଟିଏମ୍ସି ରହିଥିଲା। ସେଠାରେ ଖାଇବା ପିଇବା ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ଦିନ ୧୭ଟି ଟ୍ରେନ୍ରେ ୧୮ ହଜାର ଲୋକ ଫେରିଥିଲେ ଗଞ୍ଜାମକୁ। ସାମାଜିକ ଗଣମାଧ୍ୟମ ହେଉ ବା ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟକୁ ସମାଲୋଚନା ଦୃଷ୍ଟିରେ ନ ଦେଖି ଏହାକୁ ଫିଡବ୍ୟାକ୍ ଭାବେ ଗ୍ରହଣ କରିଥିଲୁ। ଘରକୁ ଘର ବୁଲି ଥଣ୍ଡା ଜ୍ବର ଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିଲା। ଏପରିକି ଜିଲ୍ଲାରେ ୯ଥର ଏହାକୁ କରାଯାଇଥିଲା। ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଅଙ୍ଗନବାଡ଼ି କର୍ମୀ, ସ୍ବେଚ୍ଛାସେବୀ ସଂଗଠନର ସକ୍ରିୟ ସଂପୃକ୍ତି ରହିଥିଲା। ଟିମ୍ରେ କରୋନାକୁ ନେଇ କାହାରି ମନରେ ଭୟ ନ ଥିଲା, ମାତ୍ର କାଳେ ସ୍ବାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ, ସେଥିପାଇଁ ଡର ଥିଲା। ମାତ୍ର ସମସ୍ତଙ୍କ ଉଦ୍ୟମ ପାଇଁ ଜୁଲାଇ ଶେଷ ଆଡ଼କୁ ସଂକ୍ରମଣ ଖସିଥିଲା। ତେଣୁ ଗଞ୍ଜାମ ମଡେଲର ଶ୍ରେୟ ଜଣଙ୍କର ନୁହେଁ। ଏହା ଏକ ଟିମ୍ ୱାର୍କ ବୋଲି ଶ୍ରୀ କୁଲୋଙ୍ଗେ କହିଥିଲେ। ଏହି ଅଧିବେଶନକୁ ପରିଚାଳନା କରିଥିଲେ କନକ ନ୍ୟୁଜ୍ର ସହକାରୀ ସଂପାଦକ ସ୍ବୟଂ ପ୍ରକାଶ ମିଶ୍ର।
The post ୧୫ କୋଟି କ୍ଷତି ସହୁଛି କିମ୍ସ: ଅଚ୍ୟୁତ ସାମନ୍ତ first appeared on Sambad.
from ବିଶେଷ – Sambad https://ift.tt/3hbplo0
0 Comments