ନ୍ୟୁଜ୍‌ ମେକର୍‌ ୨୦୨୦; ମହାମାରୀ ଆଗରେ ମଣିଷ ନଗଣ୍ୟ: ବାଗ୍‌ଚୀ

ମଣିଷ କେତେ ନଗଣ୍ୟ, ତାହା କରୋନା ମହାମାରୀ ସମୟ‌ରେ ଜଳଜଳ ହୋଇ ବାରି ହୋଇପଡ଼ିଥିଲା। ଟଙ୍କା ଓ କ୍ଷମତା ସବୁ ତୁଚ୍ଛ ପାଲଟି ଯାଇଥିଲା। କିନ୍ତୁ ଭଲ କଥା ହେଉଛି, ଏହା ଆମକୁ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରିବାର ଶିକ୍ଷା ଦେଲା। କନକ ନ୍ୟୁଜ୍‌ ମେକର୍‌-୨୦୨୦ର ପ୍ରଥମ ଅଧିବେଶନରେ କନକ ନ୍ୟୁଜ୍‌ ସଂପାଦକ ମନୋରଂଜନ ମିଶ୍ରଙ୍କ ସହ ବାର୍ତ୍ତାଳାପରେ ଏପରି କହିଛନ୍ତି ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା କୋଭିଡ୍‌-୧୯ର ରାଜ୍ୟ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ଶ୍ରୀ ବାଗ୍‌ଚୀ ଆହୁରି କହିଥିଲେ, ମହାମାରୀ ସମୟରେ ସାମ୍ବାଦିକ ସମ୍ମିଳନୀ ପାଇଁ ପ୍ରତିଦିନ ଅପରାହ୍‌ଣ ସାଢ଼େ ୪ଟାରେ ରିପୋର୍ଟ ପ୍ରସ୍ତୁତ କରିବାକୁ ପଡ଼ୁଥିଲା। ଏଥିପାଇଁ ଭୋର୍‌ ସାଢ଼େ ୫ଟାରୁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ୫-ଟି ସଚିବ ଭି. କାର୍ତିକେୟନ ପାଣ୍ଡିଆନ୍ ୨୪ ଘଣ୍ଟା ପୂର୍ବରୁ କ’ଣ ସବୁ ଘଟିଛି, ସେ ସଂପର୍କ‌ରେ ଭୋର୍‌ରୁ ସୂଚନା ଦେଉଥିଲେ। ସକାଳ ସାଢ଼େ ୮ଟାରେ ଲୋକସେବା ଭବନର ତୃତୀୟ ମହଲାରେ ଏଥିପାଇଁ ବୈଠକ ବସୁଥିଲା। ଏଥିରେ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦେଶକ, ଉନ୍ନୟନ କମିସନର, ଆଇଟି ସଚିବ, ସୂଚନା ଓ ଲୋକ ସଂପର୍କ ବିଭାଗ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରମୁଖ ଉପସ୍ଥିତ ରହୁଥିଲେ। ସାଢ଼େ ୯ଟାରେ ନିଜର କିଛି ‌ଗବେଷଣା ଟିମ୍‌ଙ୍କ ସହିତ ଆଲୋଚନା କରୁଥିଲି। ଏପରିକି ବିଦେଶରେ ରହୁଥିବା ଜଣେ ଯୁବ ସ୍ବେଚ୍ଛାସେବୀ ମଧ୍ୟ ତାଙ୍କୁ ସହାୟତା କରୁଥିଲେ। ଯଦି କୌଣସି ଦିନ ଓଡ଼ିଶାର କିଂବଦନ୍ତି ସଂପର୍କରେ ଲୋକମାନଙ୍କୁ କହିବାକୁ ପଡ଼ୁଥିଲା, ତାହାଲେ ସାଢ଼େ ୧୦ଟାରେ ବିଶେଷଜ୍ଞମାନଙ୍କ ସହ ଏନେଇ ଆଲେଚନା କରାଯାଉଥିଲା। ସାଢ଼େ ୨ଟାରେ ଏହାର ପ୍ରଡକ୍ସନ୍ ଆରମ୍ଭ ହେଉଥିଲା। ତା’ ପରେ ଯାଇ ସାଢ଼େ ୪ଟା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ପୁଣି ସଂଧ୍ୟା ସାଢ଼େ ୬ଟାରେ ସମୀକ୍ଷା ‌ବୈଠକ ହେଉଥିଲା। କରୋନା ମହାମାରୀର ପ୍ରଥମ ୬୦ ଦିନ ସମ୍ବେଦନଶୀଳ ଥିଲା। ତେଣୁ ଲୋକଙ୍କ ସହ ଯୋଗାଯୋଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ୨ ମାସରେ ୬୬ଥର ସାମ୍ବାଦିକ ସମ୍ମିଳନୀରେ କରୋନା ସଂପର୍କରେ ସଚେତନତା କରିବାର ସୁଯୋଗ ପାଇଛି। ତେବେ କ‌ରୋନା ତାଙ୍କୁ ଜୀବନରେ ବହୁତ କିଛି ଶିକ୍ଷା ଦେଇଛି ବୋଲି ସେ କହିଥିଲେ।
ଆଗାମୀ ଦିନରେ ସେ ରାଜନୀତିରେ ପ୍ରବେଶ କରିବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବାଗ୍‌ଚୀ କହିଥିଲେ, ଓଡ଼ିଶା ପ୍ରତି ମୁଁ ଋଣୀ। ତେଣୁ ଓଡ଼ିଶା ଫେରିଛି। କିନ୍ତୁ ରାଜନୀତି ପାଇଁ ମୁଁ ସମର୍ଥ ନୁହେଁ ବୋଲି ସେ କହିଥିଲେ।

ଟିକା ନ ଆସିବା ଯାଏ ମାସ୍କ ହିଁ ବିକଳ୍ପ
ସପ୍ତମ ଅଧିବେଶନରେ ଯୋଗଦେଇ ସୋଆ କୁଳପତି ପ୍ରଫେସର୍‌ ଅଶୋକ ମହାପାତ୍ର କହିଥିଲେ, କରୋନା ଚୀନ୍‌ରୁ ଆରମ୍ଭ ହେବା ସମୟରେ ଏତେ ଭୟାନକ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ଆକଳନ କରିପାରି ନ ଥିଲା। ବିଶ୍ବରେ ୨୦ କୋଟି ଆକ୍ରାନ୍ତ ଓ ୧୬ଲକ୍ଷ ପ୍ରାଣ ହରାଇଲେଣି। ଦେଶରେ ବି ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟିରେ ପହଞ୍ଚିଛି ଏବଂ ୧ଲକ୍ଷ ୬୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ୩ ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ଦୁଇ ହଜାର ଲୋକଙ୍କ ଜୀବନ ଯାଇଛି। ଏହି ଭୂତାଣୁ ଏତେ କ୍ଷୁଦ୍ର ଯେ ୧.୫ ଗ୍ରାମ ଭୂତାଣୁ ସାରା ବିଶ୍ବକୁ ନଷ୍ଟ କରିଦେବାର କ୍ଷମତା ରହିଛି। ଏବେ ଏହି ବିପର୍ଯ୍ୟୟ ଉପରେ ରୋକ୍‌ ଲାଗିଛି ସତ, କିନ୍ତୁ ଆଶ୍ବସ୍ତ ହେବାର ବେଳ ଆସିନି କି କରୋନା ଉପରେ ବିଜୟ ନେଇ ଉତ୍ସାହିତ ହେବାର ଆବଶ୍ୟକତା ନାହିଁ। ଯେ ପର୍ଯ୍ୟନ୍ତ ଟିକା ନ ଆସିଛି, ‌ସେତେବେଳ ଯାଏ ମାସ୍କ ହିଁ ଏକମାତ୍ର ବିକଳ୍ପ। ଆଲୋଚନାରେ ଭାଗ ନେଇ ଅଶ୍ବିନୀ ଗ୍ରୁପ୍‌ ଅଫ୍‌ ହସ୍ପିଟାଲ୍ସର ଅଧ୍ୟକ୍ଷ ସୁବ୍ରତ ଜେନା କହିଲେ, ଉପଯୁକ୍ତ ପ୍ଲାନିଂ ଲାଗି ଆଜି କରୋନା ନିୟନ୍ତ୍ରଣରେ ରହିଛି। ଡାକ୍ତର ଓ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଏବଂ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ସଫଳତା ହାସଲ କରିଛୁ। ଅଶ୍ବିନୀ ହସ୍ପିଟାଲ ପକ୍ଷରୁ ‌ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସମସ୍ତ ପ୍ରକାର ସହାୟତା ଦିଆଯାଇଛି। ଅଧିବେଶନକୁ କନକ ନ୍ୟୁଜ୍‌ ଉପସ୍ଥାପକ ସଂଗ୍ରାମ ଷଡ଼ଙ୍ଗୀ ପରିଚାଳନା କରିଥିଲେ।

The post ନ୍ୟୁଜ୍‌ ମେକର୍‌ ୨୦୨୦; ମହାମାରୀ ଆଗରେ ମଣିଷ ନଗଣ୍ୟ: ବାଗ୍‌ଚୀ first appeared on Sambad.



from ବିଶେଷ – Sambad https://ift.tt/2KdivSZ

Post a Comment

0 Comments