ବର୍ଲିନ: ସାଧାରଣତଃ ଅଧିକାଂଶ ପରିବାର ମଧ୍ୟରେ ଯଦି କୌଣସି ବିବାଦ ହୋଇଥାଏ, ତେବେ ତାହା ସମ୍ପତ୍ତି ପାଇଁ ହିଁ ସୃଷ୍ଟି ହୋଇଥାଏ | ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ, ରାଗରୁଷାର ଅନେକ ଉଦାହରଣ ଆପଣ ଶୁଣିଥିବେ | କିନ୍ତୁ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ପଡୋଶୀଙ୍କ ନାମରେ କରିଦେବା ଭଳି ଘଟଣା କେବେ ଶୁଣିଛନ୍ତି କି ? ଯଦି ନା, ତେବେ ଜର୍ମାନୀରେ ଏଭଳି ଏକ ଘଟଣା ଘଟିଛି | ଯେଉଁଠି ମହିଳା ଜଣକ ମୃତ୍ୟୁ ପୂର୍ବରୁ ସମସ୍ତ ସମ୍ପତ୍ତି ପଡୋଶୀଙ୍କ ନାମରେ କରିଦେଇଛନ୍ତି |
ମିଳିଥିବା ସୂଚନା ମୁତାବକ ଜର୍ମାନୀର ବର୍ଲିନରେ ରହୁଥିବା ବୃଦ୍ଧ ମହିଳା ରେନେଟ୍ ପଡ଼ୋଶୀଙ୍କୁ ୫୫.୩୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଦେଇଦେଇଛନ୍ତି । ପଡ଼ୋଶୀମାନଙ୍କୁ ସମ୍ପତ୍ତି ଦାନ କରିଥିବା ରେନେଟଙ୍କର ଡିସେମ୍ବର ୨୦୧୯ ରେ ମୃତ୍ୟୁ ହୋଇଯାଇଛି, ଆଉ ଯେତେବେଳେ ଜିଲ୍ଲା ପ୍ରଶାସନ ରେନେଟଙ୍କର ଇଚ୍ଛାପତ୍ର ଘୋଷଣା କରିଥିଲା ସେତେବେଳେ ସମସ୍ତ ପଡୋଶୀ ଆଶ୍ଚର୍ଯ୍ୟ ଯୋଇଯାଇଛନ୍ତି | ରେନେଟ ୧୯୭୫ ମସିହାରୁ ବର୍ଲିନର ୱିପରଫେଲ୍ଡନରେ ରହିଆସୁଥିଲେ | ତାଙ୍କ ସ୍ୱାମୀ ଆଲଫ୍ରେଡ୍ ଷ୍ଟକ୍ ମାର୍କେଟରେ ପୁଞ୍ଜି ବିନିଯୋଗ କରୁଥିଲେ ଏବଂ ଏଥିରୁ ବହୁତ ଟଙ୍କା ରୋଜଗାର କରୁଥିଲେ। ଆଲଫ୍ରେଡଙ୍କର ୨୦୧୪ ରେ ମୃତ୍ୟୁ ଘଟିଥିଲା ଏବଂ ଡିସେମ୍ବର ୨୦୧୯ ରେ ୮୧ ବର୍ଷ ବୟସରେ ରେନେଟଙ୍କର ମୃତ୍ୟୁ ହୋଇଯାଇଥିଲା |
କିନ୍ତୁ ମୃତ୍ୟୁ ପୂର୍ବରୁ ରେନେଟ ନିଜର ଇଚ୍ଛାପତ୍ର ପ୍ରଶାସନ ନିକଟରେ ଦାଖଲ କରିଦେଇଥିଲେ | ରେନେଟଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ତାଙ୍କ ଇଚ୍ଛାପତ୍ର ବାବଦରେ ସୂଚନା ଦେଇଛି | ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ରେନେଟ ତାଙ୍କର ସମସ୍ତ ବ୍ୟାଙ୍କ ବାଲାନ୍ସ, ସେୟାର ଏବଂ ମୂଲ୍ୟବାନ ସମ୍ପତ୍ତି ପଡୋଶୀ ମାନଙ୍କ ପାଇଁ ଛାଡିଛନ୍ତି। କିନ୍ତୁ ପଡ଼ୋଶୀମାନେ ଏହି ଟଙ୍କାକୁ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ବ୍ୟବହାର କରିପାରିବେ ନାହିଁ ଏବଂ ସ୍ଥାନୀୟ ଅଂଚଳର ବିକାଶ ପାଇଁ ହିଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ରେନେଟ ଇଚ୍ଛାପତ୍ରରେ ଉଲ୍ଲେଖ କରିଥିଲେ |
The post ମୃତ୍ୟୁ ପୂର୍ବରୁ ପଡୋଶୀଙ୍କ ନାମରେ କରିଦେଲେ ୫୫ କୋଟି ଟଙ୍କାର ସମ୍ପତ୍ତି first appeared on Sambad.
from ବିଶେଷ – Sambad https://ift.tt/2JZ1QlC
0 Comments