ଛୋଟ ହେଲେ ବି ବିରାଟ ପ୍ରଶ୍ନ

ଯେକୌଣସି ଜଳଉତ୍ସକୁ ପାଥେୟ କରି ଆଗେଇ ଚାଲିଲେ, ଜଳଚକ୍ର ଆମକୁ ପୃଥିବୀର ସମସ୍ତ ଜଳର ଉତ୍ସ- ଅଥଳ ସମୁଦ୍ରରେ ପହଞ୍ଚାଇ ଦିଏ। ‘ନେତି ନେତି’ ସ୍ରୋତରେ ପ୍ରଶ୍ନ ଓ ଉତ୍ତରମାନଙ୍କୁ ଭସାଇ ଚାଲିଲେ, ପହଞ୍ଚି ହୁଏ ବ୍ୟକ୍ତ ପିଣ୍ଡବ୍ରହ୍ମାଣ୍ଡର ଉତ୍ସ, ଚେତନାର ଅବ୍ୟକ୍ତ ସର୍ବବ୍ୟାପକତାରେ। ‘ନେତି ନେତି’ ବା ‘ଏହା ନୁହେଁ, ଏହା ନୁହେଁ’ କୁ ବ୍ୟବହାର କରିବା ଆରମ୍ଭ କରିଥିବା ବ୍ୟକ୍ତି ଅଗଣିତ ପ୍ରଶ୍ନମାନଙ୍କର ଉତ୍ତୁଙ୍ଗ ତରଙ୍ଗରେ ଉବୁଟୁବୁ ହୁଏ। କେଉଁ ପ୍ରଶ୍ନକୁ ଧରିବ ଓ କାହାକୁ ଛାଡ଼ିବ- କିଛି ଥଳକୂଳ ମିଳେନି। ଏହି ସ୍ଥିତିରେ ଅନେକେ ପ୍ରଶ୍ନ ପଚାରିବା ପରିତ୍ୟାଗ କରିବା ସହ ଜାଣିବାର ଇଚ୍ଛାକୁ ବି ମାରି ଦିଅନ୍ତି।

ନିଜ ପିଣ୍ଡବ୍ରହ୍ମାଣ୍ଡ ମାଧ୍ୟମରେ ବ୍ରହ୍ମାଣ୍ଡର ଅବ୍ୟକ୍ତ ପରିଚୟକୁ ଉପଲବ୍‌ଧି କରିଥିବା ଦିବ୍ୟଦ୍ରଷ୍ଟାମାନେ ବି ପ୍ରାରମ୍ଭିକ ସୋପାନରେ ଏହି ଅସୁବିଧା ଭୋଗିଛନ୍ତି। ସେମାନେ ଅନ୍ୟମାନଙ୍କ ପାଇଁ ‘ନେତି ନେତି’ର ପଥ ସୁଗମ କରିବା ନିମନ୍ତେ ବାଛିଛନ୍ତି ଜୀବନ ବିଜ୍ଞାନର ମୂଳ ପ୍ରଶ୍ନ- ‘କୋ ଅହମ୍‌’ ବା ‘ମୁଁ କିଏ’? ଏହା ସେହି ପ୍ରଶ୍ନ- ଯାହାକୁ ଅଜାଣତରେ ପଚାରି ପଚାରି ଆମେ ଭୂମିଷ୍ଠ ହେଉ ଏବଂ ଦେହତ୍ୟାଗ ସମୟରେ ନିଜକୁ ଏହି ପ୍ରଶ୍ନ ପଚାରିବାକୁ ବାଧ୍ୟ ହେଉ। ପ୍ରଶ୍ନଟି ଛୋଟ; ହେଲେ ଏହାର ଉତ୍ତରର ଡୋରି ଅନନ୍ତ। ଅଧିକାଂଶ ସମୟରେ ଆମେ ଏହି ପ୍ରଶ୍ନର ସମାଧାନ ଅନ୍ୟମାନଙ୍କ ଦ୍ୱାରା ପ୍ରଦତ୍ତ ଉତ୍ତର ଦ୍ୱାରା କରି ସହଜରେ ସନ୍ତୁଷ୍ଟ ହୋଇଯାଉ।

ଜୀବନକାଳରେ ଆମେ କେବେ ବି ନିଜର ସ୍ଥୂଳ ପରିଚୟ ସୂଚକ ମୁହଁକୁ ଦେଖିପାରୁନା। ଆମେ ଯାହା ଦେଖୁ, ତାହା ହେଉଛି ଦର୍ପଣ କିମ୍ବା ଅନ୍ୟର ଆଖିରେ ନିଜ ମୁଖର ପ୍ରତିବିମ୍ବ। ନିଜ ଦୃଷ୍ଟିରେ ଅନ୍ୟକୁ ଜାଣିବା ସମ୍ଭବ। ହେଲେ ଅନ୍ୟର ଦୃଷ୍ଟିରେ ନିଜ ପିଣ୍ଡବ୍ରହ୍ମାଣ୍ଡର ପରିଚୟ ଜାଣିବା ଅସମ୍ଭବ। ‘କୋ ଅହମ୍‌’ ନିଜଦ୍ୱାରା ନିଜକୁ ଜାଣିବାର ଉପାୟ। ଏହି ପ୍ରଶ୍ନ ମାନବ ସଭ୍ୟତାର ସମସ୍ତ ଜ୍ଞାନ-ବିଜ୍ଞାନର କାରଣ। ଏହି ପ୍ରଶ୍ନ ଆମକୁ ମହାକାଶର ବିରାଟତା ଓ ପରମାଣୁର ସୂକ୍ଷ୍ମତାକୁ ଅନ୍ୱେଷଣ କରିବାପାଇଁ ପ୍ରବର୍ତ୍ତାଇଛି। ବ୍ରହ୍ମାଣ୍ଡର ସତ୍ୟଦ୍ରଷ୍ଟାମାନେ ‘କୋ ଅହମ୍‌’ ପ୍ରଶ୍ନୋତ୍ତରର ଅନନ୍ତ ପଥକୁ କିଛିଟା ସରଳ କରିବାପାଇଁ ନିଜ ଅନ୍ୱେଷଣର ଉପାୟ ଓ ଅନୁଭବକୁ ଅନ୍ୟମାନଙ୍କୁ ଜଣାଇବାକୁ ଚେଷ୍ଟା କରିଛନ୍ତି। ସେମାନେ ‘କୋ ଅହମ୍‌’ ଦ୍ୱାରା ନିଜ ପିଣ୍ଡବ୍ରହ୍ମାଣ୍ଡର ପରିଚୟ ଖୋଜିବା ବେଳେ ଦୃଶ୍ୟମାନ ଅନୁଭବ ଓ ପ୍ରକ୍ରିୟା ହେଉଛି ‘ଦର୍ଶନ’। ସନାତନ ଜ୍ଞାନ ଅନ୍ୱେଷଣ ପ୍ରକ୍ରିୟାକୁ ୬ଟି ପ୍ରମୁଖ ବିଭାଗରେ ଦର୍ଶାଯାଇଛି, ଯାହାକୁ ‘ଷଡ଼୍‌ଦର୍ଶନ’ କୁହାଯାଏ।

The post ଛୋଟ ହେଲେ ବି ବିରାଟ ପ୍ରଶ୍ନ first appeared on Sambad.



from ବିଶେଷ – Sambad https://ift.tt/3gZ3hwG

Post a Comment

0 Comments