୨୦୨୧: ସୁନା ମହରଗ ରହିବ, ପେଟ୍ରୋଲ୍ କନ୍ଦାଇବ

ସଙ୍କଟ ସହିତ ସୁନା ଦାମ୍‌ର ପ୍ରତ୍ୟକ୍ଷ ସମ୍ପର୍କ ରହିଛି। କରୋନା ମହାମାରୀ ସାରା ବିଶ୍ବ ପାଇଁ ଏକ ବଡ଼ ସଙ୍କଟ ହୋଇ ଆସିଥିବାରୁ ୨୦୨୦ରେ ଭାରତରେ ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଥିଲା। ଅଗଷ୍ଟ ମାସରେ ସୁନାର ୧୦ ଗ୍ରାମ ପିଛା ଦାମ ୫୭ ହଜାର ଟଙ୍କାରୁ ଅଧିକ ରହିଥିବା ବେଳେ ରୁପା ମୂଲ୍ୟ ୭୭ ହଜାର ଟଙ୍କାରୁ ଅଧିକ ସ୍ତରରେ ପହଞ୍ଚିଯାଇଥିଲା। ତେବେ ବର୍ଷ ଶେଷ ଆଡ଼କୁ କରୋନା ସଂକ୍ରମଣ ହ୍ରାସ ପାଇବା ଓ ଟିକା ଆସିବାର ସମ୍ଭାବନା ସୃଷ୍ଟି ହେବାରୁ ସୁନା ଦାମ୍ ହ୍ରାସ ପାଇଥିଲା। ଡିସେମ୍ବର ବେଳକୁ ସୁନାର ୧୦ ଗ୍ରାମ ପିଛା ଦାମ ୪୮ ହଜାର ଟଙ୍କା ପାଖାପାଖି ରହିଛି।

ତେବେ ଆନ୍ତର୍ଜାତିକ ସ୍ତରରେ ପରିବହନ ସ୍ବାଭାବିକ ନ ହେବା ଏବଂ ଟିକା ନଆସିବା ପର୍ଯ୍ୟନ୍ତ ସୁନା ଦାମ ସ୍ବାଭାବିକ ସ୍ତରକୁ ହ୍ରାସ ପାଇବାର ବହୁତ କମ୍ ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅଶୋଧିତ ତେଲ ଦାମ୍ ଆମେରିକାରେ ବିଯୁକ୍ତ ସ୍ତରକୁ ଖସିଥିଲା। ଭାରତ କିଣୁଥିବା ତେଲର ଦାମ୍ ବ୍ୟାରେଲ ପିଛା ୨୦ ଡଲାର ସ୍ତରକୁ ହ୍ରାସ ପାଇଥିଲା। କିନ୍ତୁ ‌ସାଧାରଣ ଜନତା କିଣୁଥିବା ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ କମି ନଥିଲା। ଆନ୍ତର୍ଜାତିକ ବଜାରରେ ଦର ଯେତିକି ଖସୁଥିଲା କେନ୍ଦ୍ର ଓ ରାଜ୍ୟ ସରକାର ସେହି ଅନୁସାରେ ଟିକସ ବଢ଼ାଉଥିଲେ। ଫଳରେ ଗ୍ରାହକମାନେ ଦର ହ୍ରାସର ଯେଉଁ ଲାଭ ପାଇବା କଥା ତାହା ପାଇ ନଥିଲେ। ଲକ୍‌ଡାଉନ୍‌ ସମୟରେ କିନ୍ତୁ ପେଟ୍ରୋଲ୍‌ ଓ ଡିଜେଲ୍ ବିକ୍ରି ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା। ସୁଧାର ହେବାକୁ ଅନେକ ସମୟ ଲାଗିଥିଲା। ‌ତେବେ ବର୍ଷର ଶେଷ ଆଡ଼କୁ ପେଟ୍ରୋଲ ଓ ଡିଜେଲ୍‌ ଦାମ୍‌ରେ ପୁଣି ଲଗାତାର ବୃଦ୍ଧିର ଧାରା ଆରମ୍ଭ ହୋଇଯାଇଛି।

The post ୨୦୨୧: ସୁନା ମହରଗ ରହିବ, ପେଟ୍ରୋଲ୍ କନ୍ଦାଇବ first appeared on Sambad.



from ବିଶେଷ – Sambad https://ift.tt/3r6Bm2o

Post a Comment

0 Comments