ଶୀତକୁ ନାହିଁ ଭୟ: ରାସ୍ତା କଡରେ ବସି ଅଁଳା ବିକ୍ରି କରୁଛନ୍ତି ଅସହାୟ ବୃଦ୍ଧ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ଜଗଦଲପୁର ରାସ୍ତାରେ କଡରେ କିଛି ଅଁଳା ନେଇ ଜଣେ ବୃଦ୍ଧ ଶୀତକୁ ଖାତିରି ନକରି ଗ୍ରାହକମାନଙ୍କ ଅପେକ୍ଷାରେ ଦିନ ତମାମ ବସୁଥିବା ଦେଖିବାକୁ ମିଳେ। ଜଂଗଲରୁ ବିଭିନ୍ନ ସମୟରେ ବିଭିନ୍ନ କୋଳି କିମ୍ବା ଜଂଗଲଜାତ ଦ୍ରବ୍ୟ ଧରି ସେ ରାସ୍ତା କଡରେ ବିକ୍ରି ପାଇଁ ବସି ରହିଥାନ୍ତି। ମାଲକାନଗିରି ସୀମାନ୍ତ ଗ୍ରାମ ଦୋରନାପାଲ ଗ୍ରାମର ଏହି ବୃଦ୍ଧ ଜଣକ। ପେଟ ପାଇଁ ସେ ଭିକ ମାଗିବା ଅପେକ୍ଷା କିଛି କାମ କରି ପେଟ ଭର୍ତ୍ତି କରନ୍ତି ବୋଲି କହନ୍ତି।

ରାମବାବୁ ନାମକ ଏହି ବ୍ୟକ୍ତି ଜଣକ ପ୍ରାୟତଃ ପ୍ରତିଦିନ ଏଭଳି ଜାତୀୟ ରାଜପଥ କଡରେ ବସି କେତେବେଳେ ଅମୃତଭଣ୍ଡା, ଅଁଳା, ଜାମୁକୋଳି, କେନ୍ଦୁ, ଆମ୍ବ ଭଳି ବିଭିନ୍ନ ରକମର ଫଳ ବିକ୍ରି କରୁଥିବା ଦେଖିବାକୁ ମିଳେ। ବର୍ତ୍ତମାନ ହାଡଭଙ୍ଗା ଶୀତ ପ୍ରବାହିତ ହେଉଥିଲେ ମଧ୍ୟ ସେ ସକାଳୁ ଯାହା ତାଂକ ନିକଟରେ ଥାଏ ସେତିକି ନେଇ ସେ ରାସ୍ତା କଡକୁ ଆସନ୍ତି। ତେବେ ଶୀତରେ ଥରି ଥରି ମଧ୍ୟ ସେ ଯାହା ରୋଜଗାର କରନ୍ତି ସେତିକିରେ ସେ ନିଜର ଗୁଜରାଣ ପାଇଁ ଟଂକା ଯୋଗାଡ କରନ୍ତି ବୋଲି କହନ୍ତି।

ତେବେ ଏହି ଖବର ମାଲକାନଗିରିର ସମାଜସେବୀ ବିନୋଦ ଟାଵରୀ ପାଇବା ପରେ ତୁରନ୍ତ ରାମବାବୁଙ୍କୁ ସହାୟତାର ହାତ ବଢାଇଥିଲେ। ତାଂକୁ ଆହୁରି ଅଧିକା ବେପାର କରିବା ପାଇଁ ନଗଦ ୫ ହଜାର ଟଂକା ଦେବା ସହ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ଏବଂ ରାସନ ମଧ୍ୟ ପ୍ରଦାନ କରିଥିଲେ। ଜଣେ ଅଜଣା ବ୍ୟକ୍ତିଙ୍କ ତରଫରୁ ଏତେ ଜିନିଷ ପାଇବା ପରେ ରାମବାବୁ ବିଶ୍ବାସ କରିପାରିନଥିଲେ। ଜୀବନରେ କେତେ ଲୋକଙ୍କୁ ସେ ନିଜର କୋଳି ବିକ୍ରି କରିଛନ୍ତି, କିନ୍ତୁ କେହି ମଧ୍ୟ ତାଙ୍କୁ ଆହା ବୋଲି ପଦେ କହିନଥିଲେ। ବିନୋଦଙ୍କ ଏହି ବଦାନ୍ୟତା ପାଇଁ ସେ ତାଂକୁ କୃତଜ୍ଞତା ଜଣାଇଥିଲେ। ସମାଜପ୍ରତି ଏବଂ ଗରିବ, ନିଷ୍ପସିତ ଲୋକଙ୍କୁ ସହଯୋଗ କରିଆସୁଥିବା ବିନୋଦଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି। ତାଂକର ଏହି ମାନବ ସେବା ଜାରି ରହୁ ବୋଲି କୁହାଯାଇଛି।

The post ଶୀତକୁ ନାହିଁ ଭୟ: ରାସ୍ତା କଡରେ ବସି ଅଁଳା ବିକ୍ରି କରୁଛନ୍ତି ଅସହାୟ ବୃଦ୍ଧ first appeared on Sambad.



from ବିଶେଷ – Sambad https://ift.tt/37S29bq

Post a Comment

0 Comments