
ରାଞ୍ଚି: ଚାକିରିରୁ ଅବସର ନେବା ପରେ ଲୋକମାନେ ପ୍ରାୟତଃ ବିଶ୍ରାମ ନେବା କଥା ଚିନ୍ତା କରିଥାନ୍ତି। ମାତ୍ର ଝାଡ଼ଖଣ୍ଡର ଜଣେ ଶିକ୍ଷକଙ୍କ ମୁହଁର କଥା ଶୁଣିଲେ ଆପଣ ଅନୁପ୍ରାଣିତ ହେବେ ନିଶ୍ଚୟ। ଶିକ୍ଷକ ଜଣକ ନିଜ ଚାକିରିରୁ ଅବସର ନେବା ପରେ କହିଛନ୍ତି କି ‘ଚାକିରିରୁ ଅବସର ନେଲି ମାତ୍ର ଶିକ୍ଷାଦାନରୁ ନୁହେଁ’।
ଶିକ୍ଷକ ଜଣକ ହେଉଛନ୍ତି ଲୋବିନ୍ ସାବର। ସାବର୍ ଚାଇବାସା ଜିଲ୍ଲାରେ ଥିବା ଅନୁସୂଚିତ ଜନଜାତି ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ। ଏବେ ସେ ଚାକିରିରୁ ଅବସର ନେବା ପରେ ବି ଆଦିବାସୀ ପିଲାମାନଙ୍କୁ ମାଗଣା ଶିକ୍ଷାଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସାବର ଚଳିତବର୍ଷ ଫେବ୍ରୁଆରିରେ ଅବସର ନେଇଥିଲେ।
ସାବର୍ ଚାକିରିରୁ ଅବସର ନେଇ ଘରକୁ ଫେରିବା ପରେ ଦେଖିଲେ ଯେ ତାଙ୍କ ଗାଁର ପିଲାମାନେ ଦିନସାରା ବୁଲୁଛନ୍ତି ଏବଂ ଖେଳୁଛନ୍ତି। ଯେତେବେଳେ ସେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ବିଷୟରେ ପିତାମାତାଙ୍କ ସହ କଥା ହୋଇଥିଲେ, ସେମାନଙ୍କର ଉତ୍ତର ତାଙ୍କୁ ଚକିତ କରି ଦେଇଥିଲା। ସେମାନେ କହିଥିଲେ, ଯଦି ପିଲାମାନେ ବଡ଼ ହୋଇ କୃଷକ ହେବେ, ତେବେ ସ୍କୁଲ୍ କାହିଁକି ଯିବେ? ସାବର ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ କିଛି କରିବାକୁ ନିଷ୍ପତ୍ତି ନେଲେ। ଯେକୌଣସି ପ୍ରକାରେ ଦୁଇ ଜଣ ପଡ଼ୋଶୀଙ୍କୁ ବୁଝାଇ ସେମାନଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ମନାଇଥିଲେ। ଫଳରେ ସେମାନଙ୍କୁ ମୌଳିକ ଶିକ୍ଷା ଦେବା ଆରମ୍ଭ କରିଥିଲେ। ଧୀରେ ଧୀରେ ଅନ୍ୟମାନେ ମଧ୍ୟ ନିଜ ପିଲାମାନଙ୍କୁ ପଠାଇବା ଆରମ୍ଭ କଲେ। ବର୍ତ୍ତମାନ ସାବର୍ଙ୍କ ପାଖରେ ୩୬ ଜଣ ପିଲା ପାଠ ପଢୁଛନ୍ତି।
The post ଚାକିରିରୁ ଅବସର ନେଇଛି, ଶିକ୍ଷାଦାନରୁ ନୁହେଁ; ଶିକ୍ଷକଙ୍କ ଏହି ମାନସିକତା ଏବେ ଅନେକ ପିଲାଙ୍କୁ ରାସ୍ତା କଢ଼ାଇ ନେଉଛି first appeared on Sambad.
from ବିଶେଷ – Sambad https://ift.tt/37JXNmk
0 Comments