
ସୁନ୍ଦରଗଡ଼ : ସବୁଜ ବନାନୀ ବଣ ପାହାଡ଼ ଘେରା ‘ରାଣୀବୁଡ଼ା’ ପିକନିକ୍ ସ୍ପଟ୍ ଶୀତର ଆଗମନରେ ସଜେଇ ହୋଇ ଲୋକଙ୍କୁ ଆକର୍ଷିତ କରୁଛି। ପ୍ରତିଦିନ ଲୋକ ଏଠାକୁ ପିକନିକ୍ ପାଇଁ ଆସୁଛନ୍ତି। ଏହି ସ୍ଥାନର ପ୍ରାକୃତିକ ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଥାଏ। ପ୍ରକୃତରେ ପ୍ରକୃତି ପ୍ରେମୀମାନେ ଏଠାକାର ଦୃଶ୍ୟକୁ ଦେଖି ଆନନ୍ଦିତ ହୋଇଥାନ୍ତି। ଏହି ଜାଗାଟି ଚାରିଆଡେ ବଣ ପାହାଡ଼ଘେରା ହୋଇଥିବାବେଳେ ଏହାର ଉପରୁ ଜଳପ୍ରପାତ ସଦୃଶ ସବୁବେଳେ ପାଣି ନିର୍ଗତ ହେଉଛି। ଅତି ସୁନ୍ଦର ନିର୍ମଳ ପାଣି ଏଠାରୁ ଅନବରତ ଝରୁଛି। ପାହାଡ଼ ଉଚ୍ଚରୁ ଏହି ପାଣି ଏକ ଝରଣା ସଦୃଶ ବୋହି ଯାଉଛି। ଏହି ସ୍ଥାନଟି ରହିଛି ତିନିକୁଡା (ତସୁପଡ଼ା) ନିକଟରେ।
ଟାଙ୍ଗରପାଲି ବ୍ଲକ୍ ମେଘଡେଗା ପଂଚାୟତର ଏକ ଜଙ୍ଗଳିଆ ଗାଁ ହେଉଛି ତିନିକୁଡା। ଏଠାରେ ରହିଛି ଏହି ରାଣୀବୁଡା ପିକନିକ୍ ସ୍ପଟ୍। ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଲୋକଙ୍କୁ ଏଠାକୁ ଟାଣି ଆଣୁଛି। ପ୍ରତିଦିନ ଏଠାରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳୁଛି। ହେଲେ ପ୍ରଶାସନର ଦୃଷ୍ଟି ଅଢୁଆଳରେ ରହିଯାଇଛି ଏହି ସ୍ଥାନ। ରକ୍ଷଣାବେକ୍ଷଣ ତଥା ଆବଶ୍ୟକ ସୁବିଧା ସୁଯୋଗର ଅଭାବ ହେତୁ ଏହି ସ୍ଥାନର ଉନ୍ନତି ହୋଇପାରୁ ନାହିଁ।

ସରକାରୀ ସୁବିଧା ଏହି ସ୍ଥାନ ପାଇଁ ଅପହଞ୍ଚ ହୋଇ ରହିଛି। ସ୍ଥାନଟିର ସଫାସୁତରା ମଧ୍ୟ ହୋଇ ପାରୁନାହିଁ। ଭୋଜି ପାଇଁ ବହୁ ଲୋକ ଏଠାକୁ ଆସୁଥିବାବେଳେ ସେହି ଜଙ୍ଗଲି ଛୋଟିଆ ରାସ୍ତାରେ ସେମାନଙ୍କୁ ଯିବାକୁ ପଡ଼ିଥାଏ। ଏହିପରି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନକୁ ସରକାର ପକ୍ଷରୁ ସୁବିଧା କରା ନଯିବା ବିଷୟ ପ୍ରକୃତିପ୍ରେମୀଙ୍କୁ ଦୁଃଖ ଦେଇଥାଏ। ଏହି ସ୍ଥାନର ଉନ୍ନତି ପାଇଁ ସରକାରୀ ସାହାଯ୍ୟ ସହଯୋଗର ଆବଶ୍ୟକ ରହିଛି ା ବ୍ଲକ୍ ପ୍ରଶାସନ କିମ୍ବା ଜିଲା ପ୍ରଶାସନ ସାମାନ୍ୟ ଆଗ୍ରହ ପ୍ରଦର୍ଶନ କଲେ, ରାଣୀବୁଡ଼ା ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ପରିଣତ ହୁଅନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
The post ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରାଣୀବୁଡ଼ା ପିକ୍ନିକ୍ ସ୍ପଟ୍ first appeared on Sambad.
from ବିଶେଷ – Sambad https://ift.tt/39HkMjq
0 Comments