
ଜୟପୁର: ମନରେ ଥିବା ଅଦମ୍ୟ ଇଚ୍ଛାଶକ୍ତି, ଦୃଢ଼ ଲକ୍ଷ୍ୟ ଓ ପ୍ରବଳ ଆତ୍ମବିଶ୍ବାସ ଜଣେ ମହିଳା ଉଦ୍ୟୋଗୀଙ୍କୁ ସଫଳତା ଆଣି ଦେଇଛି। ନିକଟରେ ପୁଞ୍ଜିର ଅଭାବ ରହିଥିଲେ ହେଁ ପାଖରେ ଥିବା ଆତ୍ମବିଶ୍ବାସ ଯୋଗୁଁ ଜିଲ୍ଲାର ନାଁକୁ ଗୌରାବାନ୍ବିତ କରିବା ପାଇଁ କିଛି ମହିଳା ମିଶି ଗଠନ କରିଥିଲେ ମହିଳା ସ୍ବୟଂ ସହାୟକ ଦଳ ‘ଶାବରୀ’। କୋରାପୁଟଜିଲ୍ଲା ଜୟପୁର ସହରର ଏହି ମହିଳା ସ୍ବୟଂ ସହାୟକ ଦଳ ନିଜେ ସଫଳ ହେବା ସହ ଶତାଧିକ ପରିବାରକୁ ବଂଚିବାର ରାହା ଦେଖାଇ ଆସିଛି। ଏହି ମହିଳା ସ୍ବୟଂ ସହାୟକ ଦଳ ପଛରେ ଦିନ ରାତି ଏକ କରି ବାଟ ଦେଖାଇବାରେ ଲାଗି ପଡ଼ିଛନ୍ତି ରାଜେଶ୍ବରୀ ଷଡଙ୍ଗୀ। ରାଜେଶ୍ବରୀ ଷଡଙ୍ଗୀ ଓ ତାଙ୍କ ସ୍ବାମୀ ଅସିତ ରଥ ଆର୍ଟ ଏଣ୍ଡ କ୍ରାଫ୍ଟରେ ଶିକ୍ଷା ଲାଭ କରିଥିବାରୁ ସୀମିତ ସମ୍ଭଳ ମଧ୍ୟରେ କିଛି ହସ୍ତଶିଳ୍ପ କରିବାକୁ ପ୍ରଥମେ ଯୋଜନା କରିଥିଲେ। ତେବେ ସ୍ବାମୀ ଓ ସ୍ତ୍ରୀ କରିବା ବଦଳରେ କିଛି ମହିଳାଙ୍କୁ ସଶକ୍ତିକରଣ କରିବାକୁ ଏମାନେ ଯୋଜନା କରି ଆରମ୍ଭ କରିଥିଲେ ଶାବରୀ ଏସଏଚଜି ଗୃପ।
ଆରମ୍ଭରୁ ବହୁ ବାଧାବିଘ୍ନ , ଆର୍ଥିକସ୍ଥିତି ଭଲ ନଥିଲେ ହେଁ ଧିରେ ଧିରେ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ, ବାଉଁଶରେ ତିଆରି ସାମଗ୍ରୀ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟସ୍ତରୀୟ ମହୋତ୍ସବରେ ଭାଗ ନେବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଓରମାସର ସହଯୋଗ ଓ ଅଭିଞତାକୁ ପାଥେୟ କରି ଏହି ଏସ୍ଏଚ୍ଜି ଏବେ ଏହାର ବାର୍ଷିକ ବ୍ୟବସାୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାରେ ପହଞ୍ଚାଇ ପାରିଛି। ‘ଶାବରୀ’ ଏସ୍ଏଚ୍ଜି ବାଉଁଶରେ ତିଆରି ହସ୍ତଶିଳ୍ପ ସାମଗ୍ରୀ ସହ କାଠ, ପ୍ରେମ ଆଦିରେ ବିଭିନ୍ନ ମହାପୁରୁଷ, ଦେବା ଦେବୀ, ଲୋକକଳା, ଚିତ୍ରକୁ ନେଇ ବିଭିନ୍ନ ଫଟୋ ଫ୍ରେମ, ଡ୍ରଇଂ , ଡାଇନିଂ, ମେଇନ୍ ହଲ୍ , ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସାଜସଜ୍ଜା କରାଯାଉଥିବା କଳାକୃତି, ବେଡ୍ ଲ୍ୟାମ୍ପ ଆଦି ପ୍ରସ୍ତୁତ କରୁଛନ୍ତି। ବିନା ବ୍ୟାଙ୍କରୁ ଋଣରେ ନିଜେ ପାଇଥିବା ଲାଭାଂଶକୁ ବ୍ୟବସାୟରେ ଲଗାଇ ରାତି ଦିନ କାମ କରି ଆଜି ଏତେ ବଡ ବ୍ୟବସାୟ କରି ଏହି ଦଳ ସଫଳତା ପାଇଛନ୍ତି।
ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି, ଅହରହ ପ୍ରୟାସ ଓ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାର ଆଗ୍ରହ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ୨୦୦୬ ମସିହାରେ ଆରମ୍ଭ ହୋଇଥିବା ଏହି ମହିଳା ସ୍ବୟଂ ସହାୟକ ଦଳ ନିଜେ ସ୍ବାବଲମ୍ବୀ ହେବା ସହ ଜିଲ୍ଲାରେ ଅନ୍ୟ ମହିଳା ସ୍ବୟଂ ସହାୟକ ଦଳକୁ ପ୍ରେରଣା ଏବଂ ଆଦର୍ଶ ପାଲଟିଛନ୍ତି। ଏହି ଦଳର ସଭାନେତ୍ରୀ ଭାବେ ରାଜେଶ୍ବରୀ ଷଡଙ୍ଗୀ, ସଂପାଦିକା ଭାବେ ମାନ୍ଦାକିନୀ ସାହୁ ଅଛନ୍ତି। ରାଜଶ୍ବେରୀ ଓ ତାଙ୍କ ସ୍ବାମୀ ଅସିତ ଆର୍ଟ ଏଣ୍ଡ କ୍ରାଫ୍ଟ ପଡିଥିବାରୁ ଏହାକୁ ନେଇ ସେମାନେ ହସ୍ତଶିଳ୍ପର ସାମଗ୍ରୀ କରି ମେଳା ଓ ଦୋକାନରେ ବିକ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ଏସ୍ଏଚଜି ଦଳର ସଭ୍ୟା ମାନେ ବି ସମ୍ମତ୍ତି ପ୍ରଦାନ କରିଥିଲେ। ତେବେ କିଛି ବର୍ଷ ବହୁ କ୍ଷତି ସହିବାକୁ ଏମାନଙ୍କୁ ପଡ଼ିଥିଲା। ହସ୍ତଶିଳ୍ପକୁ ସଂପୁର୍ଣ୍ଣ ରୁପେ ଛାଡି ଅନ୍ୟ କିଛି କାମଧନ୍ଦା କରିବାକୁ ଉଭୟ ଯୋଜନା କରିଥିଲେ।

ଏହି ସମୟରେ ସୁନ୍ଦରଗଡର ତତ୍କାଳୀନ ଜିଲ୍ଲାପାଳ ରୁପାରୋଶନ ସାହୁ ପତି-ପତ୍ନୀଙ୍କୁ ଡାକି ଉତ୍ସାହିତ ଓ ପ୍ରତ୍ସାହିତ କରିଥିଲେ। ଏହା ପରଠାରୁ ତାଙ୍କ ମୋଢ଼ ବଦଳିବା ସହ ଦୃଢ଼ ଆତ୍ମବିଶ୍ବାସର ସହ ବର୍ତ୍ତମାନ ଏହି ଦଳ ଚାଳିଛି। ବର୍ତ୍ତମାନ କିଛି ବରିଷ୍ଠ ଚିତ୍ରକାରଙ୍କ ଦ୍ବାରା ସ୍ବତନ୍ତ୍ର ଭାବେ ୬୮ଜଣ ଜାତୀୟ ଓ ରାଜ୍ୟସ୍ତରୀୟ ମହାପୁରୁଷଙ୍କର ପଟଚିତ୍ରକୁ ଚିତ୍ର କରାଇ ତାହାକୁ ମାଡ୍ରାସରେ ଛପାଇ ଆଣିଛନ୍ତି। ଏହାକୁ ଫଟୋ ପ୍ରେମ କରି ବିକ୍ରୀ କରୁଛନ୍ତି। ରାଜସ୍ଥାନ ଜୟପୁର, କଟକରୁ ଫଟୋ ଓ ଅନ୍ୟାନ୍ୟ କଂଚାମାଲ ଆଣୁଥିବା ଏହି ମହିଳା ସ୍ବୟଂ ସହାୟକ ଦଳ ଏବେ ନୂଆଦିଲ୍ଲୀରୁ ବି କଂଚାମାଲ ଆଣି କାମ କରୁଛନ୍ତି। ଏହି ମହାପୁରୁଷ ଓ ଭଗବାନ ଆଦିଙ୍କ ଫଟୋ ପ୍ରେମର ଚାହିଦା କୋରାପୁଟଜିଲ୍ଲା ସମେତ ସାରା ଓଡ଼ିଶାରେ ରହିଛି। ରାଜ୍ୟର କୌଣସି ସ୍ଥାନରେ ମେଳା ତଥା ଜିଲ୍ଲାସ୍ତରୀୟ ମହୋତ୍ସବ ଆଦି କରାଗଲେ ଓରମାସ ସହାୟତାରେ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଷ୍ଟଲଟିଏ ନିଶ୍ଚିତର ରୁପେ ଦେଖିବାକୁ ମିଳେ। ଦିନେ ଯେଉଁ ମହିଳାମାନେ ପରିବାରର ଚାରିକାନ୍ଥ ମଧ୍ୟରେ ନିଜକୁ ଆବଦ୍ଧ କରି ରଖୁଥିଲେ, ଏବେ ସେମାନେ ବିଶ୍ରାମ ସମୟରେ ଘର ନିକଟରେ କାମର ସୁଯୋଗ ପାଇ ନିଜେ ସ୍ବାବଲମ୍ବୀ ହେବା ସହ ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଏପରିକି ଏହି ଦଳର ୧୦ଜଣ ସଭ୍ୟାଙ୍କ ସହ କାମ କରିବା ପାଇଁ ଆଉ ୧୧ଜଣ କର୍ମଚାରୀ ବି ରହିଛନ୍ତି।
ସହରର କିଛି ମହିଳା ସ୍ବୟଂ ସହାୟକ ଦଳ ସହ , ନବରଙ୍ଗପୁର, ମାଲକାନଗିରୀ, ବଳାଙ୍ଗୀର, କଳାହାଣ୍ଡି, ସୋନପୁର ଆଦିଜିଲ୍ଲାର କିଛି ହସ୍ତଶିଳ୍ପୀ ମହିଳା ସ୍ବୟଂ ସହାୟକ ଦଳବି ସେମାନଙ୍କ ଦ୍ବାରା ପ୍ରସ୍ତୃତ ହସ୍ତଶିଳ୍ପ ସାମଗ୍ରୀ ବି ବିକ୍ରୀ ପାଇଁ ଶାବରୀ ମହିଳା ସ୍ବୟଂ ସହାୟକଦଳକୁ ଯୋଗାଇ ଆସୁଥିବା କହିଛନ୍ତି ସଭାନେତ୍ରୀ ରାଜେଶ୍ବରୀ। ଏପରିକି ଶତାଧିକ ପରିବାର ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହି ଦଳ ସହ ଜଡିତ ଅଛନ୍ତି। ଏତେ ସବୁ କରିବା ପଛରେ କୋରାପୁଟ ଜିଲ୍ଲାର ଓରମାସର ଭୁମିକା ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ ବୋଲି କହିଛନ୍ତି ରାଜେଶ୍ବରୀ। ଓରମାସ ହିଁ ସଂପୁର୍ଣ୍ଣ ରୁପେ ବଜାର ଏବଂ ବିକ୍ରୀ ବଟାର ସୁଯୋଗ ଯୋଗାଇ ଆସିଛି ବୋଲି କହିଛନ୍ତି ରାଜେଶ୍ବରୀ।

ତେବେ ୫ହଜାରରୁ ଆରମ୍ଭ କରିଥିବା ଏହି ସ୍ବୟଂ ସହାୟକ ଦଳ ଆଜି ୫୦ଲକ୍ଷ ଟଙ୍କାର ବ୍ୟବସାୟ ପାଇଁ ବାଟ ଦେଖାଇଛି। ଯଦିଓ କରୋନା ସମୟରେ ଏହି ଦଳ ଘାତ ଓ ପ୍ରତିଘାତ ସହିବାକୁ ପଡ଼ିଛି। ବାହାରକୁ ବେଶି ପରିମାଣର ହସ୍ତଶିଳ୍ପୀ ମାଲ ପୂର୍ବରୁ ପଠାଉଥିବା ବେଳେ ଏବେ ବାଧ୍ୟ ହୋଇ ଜିଲ୍ଲା ମଧ୍ୟରେ ବି ଯୋଗାଇ ଆସୁଥିବା କହିଛନ୍ତି ରାଜେଶ୍ବରୀ। ଗତ ୬ମାସ ହେବ କୌଣସି ମହୋତ୍ସବ, ମେଳା ଆଦି ଜିଲ୍ଲାସ୍ତରରେ ଆୟୋଜନ ହୋଇ ନଥିବାରୁ ଯଦିଓ ସେତେଟା ଲାଭ ମିଳି ପାରିନଥିଲେ ହେଁ କଂଚାମାଲ ପ୍ରସ୍ତୁତି କାମ ଜାରୀ ରହିଛି ବୋଲି କହିଛନ୍ତି ରାଜେଶ୍ବରୀ।
କୋଭିଡ୍ ସଂକ୍ରମଣର ପ୍ରକୋପ କମିବା ପରେ ନିଶ୍ଚିତ ରୁପେ ଆମେ ଆମ ପୂର୍ବ ସଫଳତାକୁ ପୁଣି ଦୋହାରାଇବୁ ବୋଲି କହିଛନ୍ତି ରାଜେଶ୍ବରୀ। ‘ଶାବରୀ’ମହିଳା ସ୍ବୟଂ ସହାୟକ ଦଳ ଏବେ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟିଥିବା ବେଳେ ଇଛାଶକ୍ତି ଓ ଆତ୍ମବିଶ୍ବାସ ନିଶ୍ଚିତ ସଫଳତା ଆଣିଦିଏ ତାହା ଏଥିରୁ ପ୍ରମାଣିତ ହୋଇଛି। ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି ‘ଶାବରୀ’।
The post ପଛୁଆ ଅଂଚଳର ଆଗୁଆ ମହିଳା ସ୍ବୟଂ ସହାୟକ ଦଳ‘ଶାବରୀ’, ୫ହଜାରରୁ ୫୦ଲକ୍ଷରେ ପହଞ୍ଚିଛି ବ୍ୟବସାୟ, first appeared on Sambad.
from ବିଶେଷ – Sambad https://ift.tt/3aFh4Hv
0 Comments