
ଜୟପୁର: ବିଧିର ବିଧାନ କେ କରିବ ଆନ। ଏହି ପଦଟି ସ୍ବାତୀ ଓ ଚଂଚଳା ପାଇଁ ପ୍ରଯୁଜ୍ୟ। ଅନ୍ୟ ପିଲାଙ୍କ ପରି ଖେଳକୁଦ, ଚଳାବୁଲା କରିବା ସମୟରେ ଉଭୟଙ୍କ ଗୋଡ଼ହାତ ଚଳୁନି। ସ୍ବାତୀ ବାପାଙ୍କ ଭରସାରେ ବଂଚୁଥିବା ବେଳେ ମାଙ୍କ ଭରସାରେ ବଂଚିଛି ଚଂଚଳା । ଦିବ୍ୟାଙ୍ଗ, ମାନସିକ ଦିବ୍ୟାଙ୍ଗ ଆଦିଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା କରିଥିବା ବେଳେ ଏସବୁ ଯୋଜନା ଏଠାରେ କିଭଳି କାର୍ଯ୍ୟକାରୀ ହେଉଛି ତାହା ପ୍ରଶ୍ନ ସୃଷ୍ଟି କରିଛି। ଉଭୟଙ୍କ ସଂପର୍କରେ ଆମର ସ୍ବତନ୍ତ୍ର ଉପସ୍ଥାପନା:
ଜୟପୁର ବ୍ଲକର ସତୀଗୁଡାର ପି.ମୋହନ ରାଜୁଙ୍କ ଝିଅ ପି.ସ୍ବାତୀ ବୟସ ପାଖାପାଖି ୨୨ବର୍ଷ ହେବ। ଦେହଟି ସ୍ପ୍ରିଙ୍ଗ ଭଳି ହୋଇଯାଇଛି। ଚାଳି ବୁଲି ପାରୁନାହାନ୍ତି। ତାଙ୍କ ସାହା ଭରସା ୪ଫୁଟିଆ ଲମ୍ବ ଡେସ୍କ। ଦିନ ରାତି ଡେସ୍କ ଉପରେ ସେଭଳି ପଡ଼ି ରହୁଛନ୍ତି। ମା ତାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କୁ ଛାଡି ଚାଳି ଯାଇଛନ୍ତି। ବାପା ମୋହନ ହିଁ ତାଙ୍କର ସବୁ ଦେଖାରଖା କରୁଛନ୍ତି। କ୍ଷୀର ବେପାର କରି ବାପା ଝିଅ ଚଳୁଛନ୍ତି। ଗାଁକୁ ଗାଁ ବୁଲି କ୍ଷୀର ସଂଗ୍ରହ କରି ସହରରେ ଆଣି ବିକ୍ରୀ କରି ଯାହା କିଛି ଲାଭ ମିଳୁଛି ସେଥିକିରେ ବହୁ କଷ୍ଠରେ ଚଳୁଛନ୍ତି। ଏହାରି ମଧ୍ୟରେ ଗତ ୭ବର୍ଷ ତଳେ ‘ସମ୍ବାଦ’ରେ ଏ ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ତା ପରେ ପ୍ରଶାସନ ସାମାନ୍ୟ ଚଂଚଳ ହୋଇଥିଲେ। ତା ପରେ ଭତ୍ତା ଦେଇ ନିଜ ଦାୟିତ୍ବ ସାରି ଦେଇଥିଲେ। ତେବେ ସ୍ବାତୀକୁ ବଂଚାଇ ରଖିବା ପାଇଁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ଆବଶ୍ୟକ। ମୋହନ ରାଜୁଙ୍କ କ୍ଷୀର ବ୍ୟବସାୟରେ ଯେତିକି ଲାଭ ମିଳୁଛି ସେଥିକିରେ ଓଳିଏ ଖାଇ ବଂଚିବା ମୁସ୍କିଲ। ଏହା ବାଦେ ବି ସ୍ବାତୀଙ୍କୁ ନେଇ ସେ ବଡ ବଡ ମେଡିକାଲ ବୁଲାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଆଣିଥିଲେ। ବିଭିନ୍ନ ପରୀକ୍ଷା, ଜୀବନରକ୍ଷାକାରୀ ତଥା ଅତ୍ୟାଧିକ ମୂଲ୍ୟଯୁକ୍ତ ଔଷଧ କିଣିବା ସମ୍ଭଳ ମୋହନରାଜୁଙ୍କ ନିକଟରେ ନାହିଁ। ଏତେ ପରିମାଣର ଟଙ୍କା ଖର୍ଚ୍ଚ କଥା ଶୁଣି ସେ ପଛ ଘୁଛାଂ ଦେଇ ସ୍ବାତୀକୁ ଘରକୁ ନେଇ ପଳାଇ ଆସିଥିଲେ। ତା ପର ଠାରୁ ସ୍ବାତୀ ଏବେ ୪ଫୁଟିଆ ଡେସ୍କରେ ନିଜ ଭାଗ୍ୟକୁ ନିନ୍ଦୀ ସ୍ବାତୀ ସେଭଳି ପଡ଼ି ରହିଛି।
ସେଭଳି ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ପଂଚାୟତର କଣ୍ଡାପୁଟ ଗାଁର ପୁରବ ଗାଦବାକୁ ୮ବର୍ଷର ଝିଅ ଚଂଚଳାଙ୍କର ହାତ ଗୋଡ଼୍ କିଛି ଚାଳୁନି। ଜନ୍ମରୁ ସେ ସେଭଳି ରହିଛନ୍ତି। ମା ପାର୍ବତୀ ହିଁ ଝିଅକୁ କୋଳରେ ଦିନ ରାତି ଧରି ରହୁଛନ୍ତି। ବାପା ପୁରବ ଜୟପୁର ସହରରେ କୁଲି କାମ କରି ପରିବାର ଚଳାଇ ଆସିଛନ୍ତି। ୪ଝିଅ, ୨ପୁଅ, ପତ୍ନୀ ଏଭଳି ୬ଜଣଙ୍କୁ ନେଇ ପୁରବର ପରିବାର। ଏହାରି ମଧ୍ୟରେ ଧାର ଉଧାର , ଯାହା କିଛି ସାଇତି ରଖିଥିଲେ ସବୁ ଟଙ୍କାରେ ୨ଝିଅର ବାହା କରାଇଥିଲେ। ଆଉ ଯାହା କିଛି ଥିଲା ଚଂଚଳାକୁ ବିଭିନ୍ନ ଡାକ୍ତରଖାନାକୁ ବୁଲାଇବାରେ ଖର୍ଚ୍ଚ କରି ସାରିଛନ୍ତି।
ଝିଅ ଚଂଚଳାକୁ ସବୁ ସମୟରେ ପାର୍ବତୀ ଧରି ରହୁଥିବାରୁ ସେ କୁଲି ମଜୁରୀ କରିବାକୁ ବି ଯାଇ ପାରୁନାହାନ୍ତି। କରୋନା ସମୟରେ ବି କାମ ଧନ୍ଦା ନ ପାଇ ଭୋକ ଉପବାସରେ ସଂପ୍ରତି ଏହି ପରିବାର ଦିନ କାଟୁଛନ୍ତି। ଚଂଚଳାକୁ କୋରାପୁଟ ମେଡିକାଲ ବୋର୍ଡରେ ଇଣ୍ଟିଲେକ୍ଚ୍ୟୁଆଲ୍ ଡିଜେବିଲିଟୀ ୯୦ପ୍ରତିଶତର ମେଡିକାଲ ପ୍ରମାଣପତ୍ର ଗତ ୨୦୧୮ରେ ପାଇଛି। ଏହା ସହ ଭାରତସରକାରଙ୍କ ଦ୍ବାରା ୟୁନିକ୍ ଡିଜେବିଲିଟୀ ଆଇଡି ବି ପାଇଛି। ଏହା ପାଇବାର ଦୁଇ ବର୍ଷ ପରେ ବି ଚଂଚଳାକୁ କୌଣସି ସରକାରୀ ସହାୟତା ମିଳିନି। ବାରମ୍ବାର ରଣ୍ଡାପାଲ୍ଲୀ ପଂଚାୟତ କାର୍ଯ୍ୟାଳୟକୁ ଧାଇଁ ଧାଇଁ ହାଲିଆ ହେବା ପରେ ବି ସେ କିଛି ପାଇ ପାରି ନଥିବା ପରିବାରବର୍ଗ କହିଛନ୍ତି।
ଦିବ୍ୟାଙ୍ଗ, ଭିନ୍ନକ୍ଷମ, ମାନସିକ ଭିନ୍ନକ୍ଷମ, ମାନସିକ ଅନଗ୍ରସର ମାନଙ୍କୁ ସହାୟତା ଯୋଗାଇବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ କେନ୍ଦ୍ର ସରକାର ମାଳ ମାଳ ଯୋଜନା, ପ୍ରକଳ୍ପ କରିଛନ୍ତି। ଏଥି ପାଇଁ ଜିଲ୍ଲାସ୍ତରରୁ ଆରମ୍ଭ କରି ପଂଚାୟତ ପର୍ଯ୍ୟନ୍ତ କର୍ମଚାରୀ ବି ନିଯୁକ୍ତି ଦିଆଯାଇଛି। ଏହା ବାଦେ ବି ସ୍ବାତୀ ଓ ଚଂଚଳା ଭଳି ବହୁ ଭିନ୍ନକ୍ଷମଙ୍କ ଦୁଃଖ ଦୁର ହୋଇ ପାରୁନି।
The post ୨୨ବର୍ଷର ସ୍ବାତୀକୁ ବାପା, ୭ବର୍ଷର ଚଂଚଳାକୁ ମା ସମ୍ଭାଳୁଛନ୍ତି first appeared on Sambad.
from ବିଶେଷ – Sambad https://ift.tt/3ptqUk9
0 Comments