ବଡ଼ ଦିନ, ନୂଆବର୍ଷରେ ଚର୍ଚ୍ଚ ମନା

ଭୁବନେଶ୍ୱର : ରାଜଧାନୀରେ ଏବେ କୌଣସି ଧର୍ମାନୁଷ୍ଠାନ ଖୋଲିବନି। ରାଜ୍ୟର ସବୁଠୁ ଅଧିକ କରୋନା ଆକ୍ରାନ୍ତ ରାଜଧାନୀରେ ଚିହ୍ନଟ ହେଉଥିବାବେଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକାଂଶ ଦିନରେ ୩୦ରୁ ୪୦ ଭିତରେ ରହୁଛି। ଆଜି ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ଧର୍ମାନୁଷ୍ଠାନଗୁଡ଼ିକ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ଜନଗହଳି ରହୁଥିବାରୁ ଏହାକୁ ନୂଆ ବର୍ଷ ପୂର୍ବରୁ ନଖୋଲିବାକୁ ଆପାତତଃ ନିଷ୍ପତ୍ତି ହୋଇଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଏଥର ବଡ଼ଦିନ ଓ ନୂଆବର୍ଷରେ ଚର୍ଚ୍ଚଗୁଡ଼ିକ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ। ଡିସେମ୍ବର ୨୪ ଓ ୨୫ ଏବଂ ଡିସେମ୍ବର ୩୧ ଓ ଜାନୁଆରି ୧ରେ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସମେତ ବହୁ ଲୋକଙ୍କର ଭିଡ଼ ହୋଇଥାଏ। ବିଏମ୍‌ସିର କୋଭିଡ୍‌ କଟକଣା ନିୟମ ଅନୁଯାୟୀ କୌଣସି ସ୍ଥାନରେ ଅଧିକ ଲୋକ ଏକାଠି ହୋଇପାରିବେନି। ତେଣୁ ଏହି ଚାରି ଦିନ ଚର୍ଚ୍ଚ ବନ୍ଦ ରଖିବାକୁ ବିଏମ୍‌ସି ଯୋଜନା କରିଛି।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ବଡ଼ଦିନ ଓ ନୂଆ ବର୍ଷ ପାଇଁ ବିଭିନ୍ନ ଚର୍ଚ୍ଚ ସମେତ ମନ୍ଦିରଗୁଡ଼ିକରେ ବହୁ ଲୋକଙ୍କ ଭିଡ଼ ଜମିଥାଏ। ଏବେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ବି ଏହା ଏକ ଅଙ୍କରେ ପହଞ୍ଚିନି। ତେଣୁ ସଂକ୍ରମଣ ବଢ଼ିବାର ଆଶଙ୍କାକୁ ଏଡ଼ାଇ ହେବନି। ସବୁ ଦିଗକୁ ନଜରରେ ରଖି ଆମେ ଏବେ ଜାନୁଆରି ୧ ପର୍ଯ୍ୟନ୍ତ ସବୁଠି କଟକଣା ଲଗାଇଛୁ। ଏହାପରେ କେଉଁ ଧର୍ମାନୁଷ୍ଠାନ ଖୋଲିବ, କେଉଁଠିକୁ କିପରି ଶ୍ରଦ୍ଧାଳୁ ଯାଇପାରିବେ ସେନେଇ ଏସ୍‌ଓପି ଜାରି ହେବ। ଏବେ ପୂର୍ବ ଭଳି ସବୁ ଧର୍ମାନୁଷ୍ଠାନ ବନ୍ଦ ରହିବ। ରାଜଧାନୀରେ ଅଶୋକାଷ୍ଟମୀ, ରଥଯାତ୍ରା, ଇଦ୍‌ ବନ୍ଦ ହେବା ପରେ ଏବେ ବଡ଼ଦିନ ପାଳନ ବନ୍ଦ ହେବାକୁ ଯାଉଛି।

ଅପରପକ୍ଷେ ୟୁନିଟ-୩ ମସ୍‌ଜିଦ୍‌ର ମୌଲାନା ମିରାଜ ଇମାମ୍‌ କହିଛନ୍ତି ଯେ, ଆମେ ମସଜିଦ୍‌ ଖୋଲିବାକୁ ବହୁବାର ଚିଠି ଲେଖିଛୁ। ଖୁବ୍‌ ଶୀଘ୍ର ଜାମା ମସଜିଦ୍‌ କମିଟି ସହ ଏକ ବୈଠକ ବସିବ। ଏହାପରେ ଆମେ ସରକାରୀ ନିୟମ ଅନୁଯାୟୀ ମସଜିଦ୍‌ ଖୋଲିବାକୁ ସରକାରଙ୍କୁ ଦାବିପତ୍ର ଦେବୁ।

The post ବଡ଼ ଦିନ, ନୂଆବର୍ଷରେ ଚର୍ଚ୍ଚ ମନା first appeared on Sambad.



from ବିଶେଷ – Sambad https://ift.tt/345YJ2g

Post a Comment

0 Comments