ନିଗମାନନ୍ଦ ପରମହଂସଙ୍କ ସାର୍ବଭୌମ ଭକ୍ତ ସମ୍ମିଳନୀ : ଏ ବର୍ଷ ବିଧିରକ୍ଷା ପାଇଁ ପାଳନ ହେବ

ଭୁବନେଶ୍ୱର : ଶ୍ରୀଶ୍ରୀ ଠାକୁର ସଦ୍‌ଗୁରୁ ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ଚଳିତ ବର୍ଷ ଡିସେମ୍ବର ମାସରେ ଅନୁଷ୍ଠିତ ଚାରି ଦିନ ବ୍ୟାପୀ ୧୦୬ତମ ସାର୍ବଭୌମ ଭକ୍ତ ସମ୍ମିଳନୀ କେବଳ ବିଧିରକ୍ଷା ପାଇଁ କୋଭିଡ୍‌ କଟକଣା ଅନୁଯାୟୀ ପାଳନ କରାଯିବ ବୋଲି ଆସାମ ବଂଗୀୟ ସାରସ୍ବତ ମଠର ପୂଜ୍ୟପାଦ ମହନ୍ତ ମହାରାଜ ଶ୍ରୀମଦ୍ ସ୍ବାମୀ ଦିବ୍ୟାନନ୍ଦ ସରସ୍ବତୀ ମହାଭାଗ କହିଛନ୍ତି।

ତେବେ ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଭାରତ ବର୍ଷର ବିଭିନ୍ନ ରାଜ୍ୟରେ କ୍ରମାଗତ ୧୦୫ ବର୍ଷ ହେଲା ସମ୍ମିଳନୀ ଅନୁଷ୍ଠିତ ହୋଇଆସୁଛି। ହେଲେ ଚଳିତ ବର୍ଷ ୧୦୬ ତମ ଶ୍ରୀ ଶ୍ରୀ ଠାକୁର ସଦ୍‌ଗୁରୁ ନିଗମାନନ୍ଦ ପରମହଂସ ଦେବଙ୍କ ପ୍ରବର୍ତ୍ତିତ ୧୦୬ତମ ସାର୍ବଭୌମ ଭକ୍ତ ସମ୍ମିଳନୀ ଚଳିତ ମାସ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାରିଦିନ ବ୍ୟାପୀ ଆମ ରାଜ୍ୟର ଢେଙ୍କାନାଳ ଜିଲ୍ଲା ଭୁବନ ନିକଟ ଭୂଷଳ ଶାନ୍ତି ଆଶ୍ରମଠାରେ ବିଧି ପୂର୍ବକ ନିରାଡ଼ମ୍ବର ଭାବେ ସୀମିତ ଭକ୍ତଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ ବୋଲି ଭୁବନେଶ୍ବରସ୍ଥିତ ଠାକୁର ନିଗମାନନ୍ଦ ପରମହଂସଙ୍କ ଆଶ୍ରମଠାରେ ମହନ୍ତ ମହାରାଜଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି। କୋଭିଡ୍‌ କଟକଣା, ସରକାରଙ୍କ ନିୟମ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସମ୍ମିଳନୀ ପାସ୍ ସହିତ ସୀମିତ ଭକ୍ତଙ୍କ ଉପସ୍ଥିତିରେ ଏବଂ ସାମାଜିକ ଦୂରତା ରକ୍ଷା କରି ବିଧିରକ୍ଷାପୂର୍ବକ ଚଳିତ ବର୍ଷର ସମ୍ମିଳନୀ ପାଳନ କରିବା ପାଇଁ ପୂଜ୍ୟପାଦ ମହନ୍ତ ମହାରାଜ ଶ୍ରୀମଦ୍ ସ୍ବାମୀ ଦିବ୍ୟାନନ୍ଦ ସରସ୍ବତୀ ମହାଭାଗ ଓ ଟ୍ରଷ୍ଟବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆହୁରି ମଧ୍ୟ କରୋନା କଟକଣାକୁ ଦୃଷ୍ଟିରେ ରଖି ଭକ୍ତ ସମ୍ମିଳନୀରେ ଶ୍ରୀ ଶ୍ରୀ ଠାକୁରଙ୍କ ଆଶ୍ରିତ ଭକ୍ତ ଓ ଶିଷ୍ୟମାନେ ଉକ୍ତ ସମ୍ମିଳନୀରେ ଯୋଗ ନ ଦେବାକୁ ପୂଜ୍ୟପାଦ ମହନ୍ତ ମହାଭାଗ ଅନୁରୋଧ କରିଛନ୍ତି। ତେବେ ଭକ୍ତ-ଶିଷ୍ୟମାନେ ସମ୍ମିଳନୀ ତିନି ଦିନ ନିଜ ଗୃହାସନରେ କିମ୍ବା ସିଂହାସନରେ ପ୍ରଚଳିତ କରୋନା ନିୟମ ପାଳନପୂର୍ବକ ସାମାଜିକ ଦୂରତା ରକ୍ଷା କରି ସୀମିତ ସଂଖ୍ୟାରେ ଶ୍ରୀ ଶ୍ରୀ ଠାକୁରଙ୍କ ପୂଜାର୍ଚ୍ଚନା କରି ଆଶିଷ ଗ୍ରହଣ କରିବାକୁ କୁହାଯାଇଛି।

ଏହି ବୈଠକରେ ମହନ୍ତ ମହାଭାଗଙ୍କ ସଚିବ ନିରଂଜନ ମହାନ୍ତି, ଟ୍ରଷ୍ଟି ମହେଶ୍ବର ସ୍ବାଇଁ, ଭୁବନେଶ୍ବର ଆଶ୍ରମ ଅଧ୍ୟକ୍ଷ ଶ୍ରୀମଦ୍ ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ, ଉପାଧ୍ୟକ୍ଷ ଶ୍ରୀମଦ୍ ମୃତ୍ୟୁଚୈତନ୍ୟ ବ୍ରହ୍ମଚାରୀ ଓ ବିଭାଗୀୟ ସଦସ୍ୟ ଦେବ କୁମାର ରାଉତରାୟଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

The post ନିଗମାନନ୍ଦ ପରମହଂସଙ୍କ ସାର୍ବଭୌମ ଭକ୍ତ ସମ୍ମିଳନୀ : ଏ ବର୍ଷ ବିଧିରକ୍ଷା ପାଇଁ ପାଳନ ହେବ first appeared on Sambad.



from ବିଶେଷ – Sambad https://ift.tt/2WeBhvk

Post a Comment

0 Comments