କରୋନାରେ କୋଭିଡ ଯୋଦ୍ଧା ଡାକ୍ତର ଶିଶିର କୁମାର ସାବତଙ୍କ ମୃତ୍ୟୁ, ଆସନ୍ତାକାଲି ରାଷ୍ଟ୍ରିୟ ସମ୍ମାନ ସହ ହେବ ଶବ ସତ୍କାର

ଭଞ୍ଜନଗର: କରୋନା ସଂଗ୍ରାମରେ ଆଗ ଧାଡିର ଯୋଦ୍ଧା ଭାବେ ଡାକ୍ତର, ନର୍ସ,ପୁଲିସ୍, ସରକାରୀ କର୍ମଚାରୀମାନେ କରୋନା ଯୋଦ୍ଧା ଭାବେ ସଂଗ୍ରାମ ଜାରି ରଖିଛନ୍ତି। ଜନସାଧାରଣମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହି ଯୋଦ୍ଧାମାନେ ନିଜ ସ୍ବାର୍ଥକୁ ପଛରେ ପକାଇ କାର୍ଯ୍ୟଧାରା ଜାରି ରଖିଥିବା ବେଳେ ବହୁ କରୋନା ଯୋଦ୍ଧା ସେମାନଙ୍କ ପ୍ରାଣ ହରାଇଛନ୍ତି। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ଡାକ୍ତର ଶିଶିର କୁମାର ସାବତଙ୍କ(୬୨) ଆଜି ସଂନ୍ଧ୍ୟା ସମୟରେ ମୃତ୍ୟୁ ଘଟିଛି। ସ୍ବର୍ଗତ ସାବତଙ୍କ ଗତ ୧୪ ତାରିଖ ଦିନ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁ ତାଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିଲା। ତା’ପର ଦିନ ଅର୍ଥାତ୍ ୧୫ ତାରିଖ ଦିନ ତାଙ୍କର ସ୍ବାବ୍ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ସେ ହୋମ୍ ଆଇସୋଲେସନ୍ ରହିଥିଲେ |

ଆଜି ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନା ପରିସରରେ ଥିବା ଆଇସୋଲେସନ୍ ୱାର୍ଡରେ ରଖାଯାଇ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଥିବା ବ‌େଳେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗତ ସାବତଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ସେ ଗତ ୨୦୧୭ ମସିହାରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଯୋଗଦେଇଥିଲେ। ସେ ଦୀର୍ଘ ୩୨ ବର୍ଷ ଧରି ଭଞ୍ଜନଗର ବ୍ଳକ୍ର ଉପାନ୍ତ ଗାଲେରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ବରେ ରହିଥିଲେ। ତାଙ୍କର ବିୟୋଗରେ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଆସନ୍ତାକାଲି ତାଙ୍କୁ ରାଷ୍ଟ୍ରିୟ ସମ୍ମାନ ସହ ଗାର୍ଡ ଅଫ୍ ଅନର ଦିଆଯିବ ବୋଲି ଜଣାପଡିଛି।

The post କରୋନାରେ କୋଭିଡ ଯୋଦ୍ଧା ଡାକ୍ତର ଶିଶିର କୁମାର ସାବତଙ୍କ ମୃତ୍ୟୁ, ଆସନ୍ତାକାଲି ରାଷ୍ଟ୍ରିୟ ସମ୍ମାନ ସହ ହେବ ଶବ ସତ୍କାର first appeared on Sambad.



from ବିଶେଷ – Sambad https://ift.tt/3lMjsyX

Post a Comment

0 Comments