ନାଗାର୍ଜୁନ ବେଶ : ନିରାଶ ହେଲେ ଭକ୍ତ

ଦୀର୍ଘ ୨୬ ବର୍ଷର ଅପେକ୍ଷା ପରେ ଏଥର ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଦେଖି ଭକ୍ତ ମନ ଭରି‌ବେ ବୋଲି ଆଶା ରଖିଥିଲେ। ମହାପ୍ରଭୁଙ୍କୁ ବୀର ବେଶରେ ଦର୍ଶନ କରି ଜୀବନକୁ ଧନ୍ୟ କରିବେ। ହେଲେ ଏଥର ଠାକୁରଙ୍କ ଇଚ୍ଛା କିନ୍ତୁ ଅଲଗା ଥିଲା। ରତ୍ନ ସିଂହାସନରେ ଶ୍ରୀବିଗ୍ରହ ବୀର ବେଶରେ ସଜେଇ ହେଲେ ସତ, ମାତ୍ର କରୋନା କଟକଣା ଯୋଗୁ ଭକ୍ତଙ୍କ ମନୋବାଞ୍ଝା ପୂର୍ଣ୍ଣ ହେଲା ନାହିଁ। ବେଶ ଦର୍ଶନରୁ ବଞ୍ଚିତ ହେଲେ ଲକ୍ଷ ଲକ୍ଷ ଭକ୍ତ। ନାଗାର୍ଜୁନ ବେଶରେ ଶ୍ରୀଜିଉ ସଜେଇ ହୋଇଥିଲେ ବି ଶ୍ରୀମନ୍ଦିର ଚାରିପାଖରେ ଭକ୍ତଙ୍କ କୋଳାହଳ ନ ଥିଲା। କଟକଣା ଯୋଗୁ ବଡ଼ଦାଣ୍ଡ ଜନଶୂନ୍ୟ ହୋଇପଡ଼ିଥିଲା। ବାହାର ଭକ୍ତ ତ ଦୂରର କଥା ପୁରୀର ସ୍ଥାନୀୟ ଶ୍ରଦ୍ଧାଳୁ ବି ବେଶ ଦର୍ଶନରୁ ବଞ୍ଚିତ ହେଲେ। ତେବେ ଦୂରରୁ ଶୁଭୁଥିଲା, ମହାବାହୁ ଏ ‌କରୋନା ରାକ୍ଷସ କବଳରୁ ପୃଥିବୀକୁ ଉଦ୍ଧାର କର। ଆଉ କେଉଁ ଭକ୍ତ ଅଭିମାନରେ କହୁଥିଲେ, ଆଉ କେତେ ନାଟ ଦେଖିବ ହଟିଆ ଠାକୁର…

ପୁରୀ : କିଏ ଛାତ ଉପରୁ ଅନାଇଥିଲା ତ’ କିଏ ବାରିକେଡ୍‌ କଡ଼ରୁ ପତିତପାବନଙ୍କୁ ଦର୍ଶନ ପାଇଁ ଅନାଇ ବସିଥିଲା। ୧୪୪ ଧାରା ଉଠିଲେ ଆଜିର ପବିତ୍ର ଦିନରେ ଟିକେ ପତିତପାବନଙ୍କୁ ଦର୍ଶନ କରି ଆତ୍ମତୃପ୍ତି ଲାଭ କରିଥା’ନ୍ତେ। କିନ୍ତୁ ଆଜି ନୀତିକାନ୍ତିରେ ବିଶୃଙ୍ଖଳା ଏହା କରାଇ ଦେଇନି। ଭକ୍ତମାନେ ଜଗା ଦୁଆରୁ କାନ୍ଦି କାନ୍ଦି ଫେରିଛନ୍ତି।

ନିର୍ଘଣ୍ଟ ନୀତି ଅନୁଯାୟୀ, ଆଜି ଅପରାହ୍ଣ ୨ଟା ସୁଦ୍ଧା ୧୪୪ ଧାରା ହଟାଇବାକୁ ଯୋଜନା କରିଥିଲା ଜିଲ୍ଲା ପ୍ରଶାସନ। ସେହି ଅନୁଯାୟୀ ପ୍ରସ୍ତୁତି ପର୍ବ ବି ଚାଲିଥିଲା। ଗତକାଲି ରାତି ୨ଟାରୁ ଆଜି ଅପରାହ୍ଣ ୨ଟା ପର୍ଯ୍ୟନ୍ତ ୧୪୪ ଧାରା ଶ୍ରୀମନ୍ଦିର ଚାରିପଟେ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବି ସୂଚନା ଦେଇ ସାରିଥିଲେ। ଅର୍ଥାତ୍‌ ମହାପ୍ରଭୁଙ୍କ ବେଶ ଓଲାଗି ପରେ ପତିତପାବନଙ୍କ ଦର୍ଶନ ସ୍ବାଭାବିକ ହେବ ବୋଲି କହିଥିଲେ। କିନ୍ତୁ ନୀତି ବିଶୃଙ୍ଖଳା ପରେ ବେଶ ଓଲାଗି ଶେଷ ହେବା ପ୍ରାୟ ଅପରାହ୍ଣ ୫ଟା ହୋଇଯାଇଥିଲା। ଯେଉଁଥିପାଇଁ ଆଜି ଦୂରଦୂରାନ୍ତରରୁ ଆସିଥିବା ଭକ୍ତମାନେ ଦିନତମାମ ଅପେକ୍ଷା କରି ଦର୍ଶନ ନ ପାଇ ନିରାଶ ହୋଇ ଫେରିଛନ୍ତି। ସ୍ଥାନୀୟ ଲୋକେ କେବଳ ସଂଧ୍ୟାରେ ପତିତପାବନଙ୍କ ଦର୍ଶନ କରିଛନ୍ତି। ନୀତି ବିଳମ୍ବ ପାଇଁ ଆଜି ମହାପ୍ରସାଦ ମିଳିବା ବି ବିଳମ୍ବ ହୋଇଛି। ଅପରାହ୍ଣ ୨ଟାରେ ମହାପ୍ରସାଦ ମିଳିବାର ଥିଲେ ବି ଆଜି ଅପରାହ୍ଣ ୫ଟା ପରେ ମହାପ୍ରସାଦ ମିଳିଛି। ଜିଲ୍ଲା ପ୍ରଶାସନର ସୂଚନାରେ ବିଳମ୍ବ ବି ମହାପ୍ରସାଦ ପାଇଁ ଆସିଥିବା ଭକ୍ତଙ୍କୁ ଅଡ଼ୁଆରେ ପକାଇଥିଲା। ଗତ ୨୫ ତାରିଖରେ ଜିଲ୍ଲା ପ୍ରଶାସନ ଜଗନ୍ନାଥ ବଲ୍ଲଭରେ ମହାପ୍ରସାଦ ମିଳିବ ବୋଲି ଗଣମାଧ୍ୟମ ଆଗରେ କହିଥିଲା। ଶ୍ରୀମନ୍ଦିର ଚାରିପଟେ ଭିଡ଼ ହଟାଇବା ପାଇଁ ଏଭଳି ବ୍ୟବସ୍ଥା କରାଯାଉଥିବା କହିଥିଲା। କିନ୍ତୁ ଗତକାଲି ସଂଧ୍ୟାରେ ପୁନର୍ବାର ନିଷ୍ପତ୍ତି ବଦଳାଇ ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ମହାପ୍ରସାଦ ଉପଲବ୍ଧ ହେବ ବୋଲି କହିଥିଲେ। ଯେଉଁଥିପାଇଁ ଅନେକ ଭକ୍ତ ଜାଣି ନପାରି ଜଗନ୍ନାଥ ବଲ୍ଲଭକୁ ମହାପ୍ରସାଦ ପାଇଁ ଯାଇ ନିରାଶ ହୋଇ ଫେରିଛନ୍ତି। ଏ ପଟେ ଶ୍ରୀମନ୍ଦିର ଚାରିପଟେ କଟକଣା ଯୋଗୁଁ ବିଳମ୍ବରେ ଭକ୍ତମାନେ ମହାପ୍ରସାଦ ପାଇଛନ୍ତି।

The post ନାଗାର୍ଜୁନ ବେଶ : ନିରାଶ ହେଲେ ଭକ୍ତ first appeared on Sambad.



from ବିଶେଷ – Sambad https://ift.tt/2HJ1f6A

Post a Comment

0 Comments