
ନୂଆଦିଲ୍ଲୀ: ଜୀବନରେ କେଉଁ ପରିସ୍ଥିତିରେ ଅସୁବିଧା ଆସି ଛିଡ଼ା ହେବ ତାହା କେହି ବି ଜାଣି ନଥାଆନ୍ତି। ତେବେ ଏହି ଅସୁବିଧାକୁ ସାମ୍ନା କରିବା ବ୍ୟକ୍ତିଙ୍କୁ ପ୍ରକୃତ ହିରୋ ବୋଲି କୁହାଯାଇଥାଏ। ହିମାଚଳର କାଙ୍ଗ୍ରା ଜିଲ୍ଲାରେ ବସବାସ କରୁଥିବା ୨୪ ବର୍ଷୀୟ ମନୋଜ କୁମାରଙ୍କ କାହାଣୀ କିଛି ଏମିତି ।
ମନୋଜ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। କିନ୍ତୁ ସେ ଏଥିପାଇଁ କେବେ ବି ହାର ମାନି ନାହାନ୍ତି। ତେବେ କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ କାରଣରୁ ତାଙ୍କ ପିତାଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା। ଏଥିପାଇଁ ମନୋଜଙ୍କ ପିତା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପିତା ଦୁଃଖରେ ଥିବା କଥା ଜାଣିବା ପରେ ଦୃଷ୍ଟିଶକ୍ତି ହରାଇଥିବା ପୁଅ ମନୋଜ ନିଜକୁ ଦୁର୍ବଳ ନଭାବି ଘରର ଭାର ନିଜ କାନ୍ଧକୁ ନେବାକୁ ପ୍ରସ୍ତୁତ ହୋଇଥିଲେ। ନିଜ ହାତରେ ମହମବତୀ ତିଆରି କରି କିଛି ଅର୍ଥ ରୋଜଗାର କରିବାକୁ ସ୍ଥିର କରିଥିଲେ।
ମନୋଜ ମୁଖ୍ୟତଃ ହିମାଚଳରେ ବସବାସ କରୁଥିବା ବେଳେ ଚଣ୍ଡୀଗଡ଼ରେ ପାଠ ପଢ଼ୁଥିଲେ। ଦେଶରେ କରୋନା ମହାମାରୀ ପାଇଁ ଲକଡାଉନ ଆରମ୍ଭ ହେବାପରେ ସେ କାମ ନପାଇ ଘରେ ରହିଥିଲେ। ମନୋଜଙ୍କ ପରିବାରରେ ତାଙ୍କ ପିତା-ମାତାଙ୍କ ବ୍ୟତୀତ ବଡ଼ ଭଉଣୀ ଅଛନ୍ତି। ଭଉଣୀ ବି ତାଙ୍କର ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ମନୋଜଙ୍କ ୬୨ବର୍ଷୀୟ ପିତା ସୁଭାଷ ଚନ୍ଦ୍ର କରୋନ ମହାମାରୀ ପୂର୍ବରୁ ଦିନମଜୁରିଆ ଭାବେ କାମ କରୁଥିଲେ। ଠିକାଦାର ପାଖରେ କାମ ପୂରା ହୋଇଯାଇଥିଲା। ଦୁଇତିନିଟି ସ୍ଥାନରେ କାମ କରିଥିଲେ। କିନ୍ତୁ ଯେତେବେଳେ ଟଙ୍କା ମାଗିବାକୁ ଗଲେ ତାଙ୍କୁ କେଉଁଠାରେ ଅଧା ଟଙ୍କା ମିଳିଥିଲା ତ ଆଉ କେଉଁଠାରୁ କୌଣସି ପାରିଶ୍ରମିକ ହିଁ ମିଳି ନ ଥିଲା।
ଏଭଳି ପରିସ୍ଥିତିରେ ଘରର ଆର୍ଥିକସ୍ଥିତି ଠିକ ନ ଥିବା ବେଳେ ମନୋଜ କାହାକୁ ହାତ ପତେଇବାକୁ ପସନ୍ଦ କରୁ ନଥିଲେ। ଏହାପରେ ମନୋଜ ମହମବତୀ ତିଆରି କରିବା ଆରମ୍ଭ କରିଥିଲେ। କାରଣ ସେ ପୂର୍ବରୁ ମହମବତୀ ତିଆରି କରିବା ଶିଖିଥିଲେ। ସେ ଭାବିଥିଲେ ପାର୍ବଣ ସମୟ ଆରମ୍ଭ ହୋଇଯାଇଛି ଏହି ସମୟରେ ଯଦି ମହମବତୀ ତିଆରି କରି ବିକ୍ରି କରିବେ ଏଥିରୁ ସେ ସହଜରେ ଦୁଇପଇସା ରୋଜଗାର କରି ପାରିବେ। ପ୍ରଥମେ ମନୋଜ ନିଜର ଦୁଇଜଣ ସାଙ୍ଗଙ୍କ ସାହାଯ୍ୟରେ ମହମବତୀ ତିଆରି କରିବା ପାଇଁ ଛାଞ୍ଚ ମଗାଇଥିଲେ। ଛାଞ୍ଚ ଦିଲ୍ଲୀରୁ ଆସି ଯାଇଥିଲା କିନ୍ତୁ ମହମ ମିଳିବାରେ ବହୁତ ଅସୁବିଧା ହୋଇଥିଲା। ଏହାପରେ ମନୋଜ ନିରାଶ ହୋଇଯାଇଥିଲେ।
ମନୋଜଙ୍କ ଏଭଳି ଅବସ୍ଥା ଦେଖି ଅନେକ ଲୋକ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏହାପରେ କିଛି ମହମବତୀ ଯୋଗାଣ ଲାଗି ଜଳନ୍ଧରରୁ ଅର୍ଡର ହୋଇଥିଲା। ଆରମ୍ଭର ତିନି-ଚାରି ଦିନ ମନୋଜଙ୍କୁ ବହୁତ ଅସୁବିଧା ହୋଇଥିଲା। କାରଣ ତାଙ୍କୁ କାମ ମିଳି ନ ଥିଲା। ତେବେ ମନୋଜଙ୍କ ସଂଘର୍ଷ ଓ ତାଙ୍କ ପରିବାରର କାହାଣୀ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଏହାପରେ ଧୀରେଧୀରେ ତାଙ୍କୁ କାମ ମିଳିବାା ଆରମ୍ଭ ହୋଇଥିଲା।
The post କରୋନା ଛଡେଇ ନେଲା ରୋଜଗାର; ନେତ୍ରହୀନ ପୁଅ ମହମତୀ ତିଆରି କରି ଘରର ଖର୍ଚ୍ଚ ଉଠାଇଲେ first appeared on Sambad.
from ବିଶେଷ – Sambad https://ift.tt/37QE2tY
0 Comments