ଅଲିଭ୍‌ରିଡ଼୍‌ଲେ ଋତୁ ଆରମ୍ଭ: ସିସିକ୍ୟାମ୍‌ ନଜରରେ ରହିବ ୫ କିମି ବେଳାଭୂମି

ବ୍ରହ୍ମପୁର: ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ଗଣ ଅଣ୍ତାଦାନ ଋତୁ ନଭେମ୍ବର ୧ ତାରିଖ ଠାରୁ ଆରମ୍ଭ ହେବ। ମେ’ ମାସ ପର୍ଯ୍ୟନ୍ତ ଅଲିଭ୍‌ ରିଡ଼୍‌ଲେଙ୍କ ଅଣ୍ଡାଦାନ ଇଲାକାକୁ ନୋ ଫିସିଂ ଜୋନ୍‌ ଘୋଷଣା କରାଯାଇଛି। ଅଲିଭ୍‌ ରିଡ଼୍‌ଲେଙ୍କ ପାଇଁ ପ୍ରସିଦ୍ଧ ଗଞ୍ଜାମ ଉପକୂଳ। କଇଁଛଙ୍କ ଆଗମନ ଓ ସୁରକ୍ଷିତ ଅଣ୍ତାଦାନ ଲାଗି ବ୍ରହ୍ମପୁର ବନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଚଳିତ ବର୍ଷ ପ୍ରଥମ ଥର ଲାଗି ଗୋଖରକୁଦା ଠାରୁ ବଟେଶ୍ବର ପର୍ଯ୍ୟନ୍ତ ୫କିମି ବେଳାଭୂମିରେ ସିସି କ୍ୟାମେରା ଲଗାଇବାକୁ ବନ ବିଭାଗ ନିଷ୍ପତ୍ତି ନେଇଛି। ଆନ୍ଧ୍ର ଟ୍ରଲର ଅନୁପ୍ରବେଶ ରୋକିବା ଲାଗି ୨ଟି ସ୍ପିଡ଼ ବୋଟ୍‌ ଏବଂ ଏକ ଟ୍ରଲର ପାଟ୍ରୋଲିଂରେ ନିୟୋଜିତ ହେବ। ଗତ ଲୁଘଚାପ ବେଳେ ସୁଉଚ୍ଚ ଜୁଆର ଆସି ବେଳାଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ଏବଂ ଆର୍ବଜନା ଜମିଥିବାରୁ ଅଲିଭ୍‌ ରିଡ଼ଲେଙ୍କ ଗଣଅଣ୍ଡାଦାନ ପ୍ରଭାବିତ ହେବା ଆଶଙ୍କା ରହିଛି। ତେଣୁ ବେଳାଭୂମିକୁ ସଫେଇକୁ ଗୁରୁତ୍ବ ଦିଆଯାଇଛି।

ଗଞ୍ଜାମ ଉପକୂଳ ପ୍ରାୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ପ୍ରାୟ ୫୨ କିମି ମଧ୍ୟରୁ ଅଲିଭ୍‌ ରିଡଲେ ଋଷିକୁଲ୍ୟା ମୁହାଣ ଉପକୂଳରେ ଗଣ ଅଣ୍ତାଦାନ କରିଥାନ୍ତି। ପୂର୍ବରୁ ପୁରୁଣାବନ୍ଧ ଠାରୁ ଗୋଖରକୁଦା ବେଳାଭୂମିରେ ଗଣ ଅଣ୍ଡାଦାନ ହେଉଥିବା ବେଳେ ଏବେ ପୁରୁଣାବନ୍ଧ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ପ୍ରାୟ ୬ କିମି ବେଳାଭୂମିରେ ଗଣ ଅଣ୍ତାଦାନ ହେଉଛି। ଚଳିତ ବର୍ଷ ଅଲିଭ୍ ରିଡ଼୍‌ଲେଙ୍କ ସୁରକ୍ଷା ଲାଗି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି ବ୍ରହ୍ମପୁର ବନ ବିଭାଗ। ଗୋଖରକୁଦା ଠାରୁ ଠାରୁ ବଟେଶ୍ବର ପର୍ଯ୍ୟନ୍ତ ୫କିମି ବେଳାଭୂମିରେ ସିସିଟିଭି କ୍ୟାମେରା ଲଗାଯିବ। ଏହି ୫ କିମି ବେଳାଭୂମିରେ ଜାଲ ବାଡ଼ କରାଯିବ, ଯେଭଳି କୁକୁର, ବିଲୁଆ ଓ ବିଭିନ୍ନ ବନ୍ୟପ୍ରାଣୀ ପ୍ରବେଶ ନ କରିବେ ସେଥିଲାଗି ଏହି ପଦକ୍ଷେପ ନିଆଯିବ। ଗୋଖରକୁଦା ଠାରେ ଜଙ୍ଗଲ ବିଭାଗର ମୁଖ୍ୟ କଣ୍ଟ୍ରୋଲ ରୁମ୍‌ ରହିବ।

Pinterest

ଗଞ୍ଜାମ ଉପକୂଳରେ ସମୁଦାୟ ୧୧ଟି କଇଁଛ ସୁରକ୍ଷା କ୍ୟାମ୍ପ୍‌ରେ ବନ କର୍ମଚାରୀଙ୍କୁ ନିୟୋଜିତ ହେବେ। ମୃତ୍ୟୁ ଘଟୁଥିବା କଇଁଛଙ୍କୁ ପୋତିବେ। ମୃତ କଇଁଛ ପଡ଼ି ବେଳାଭୂମିରେ ଯେଭଳି ପ୍ରଦୂଷିତ ପରିବେଶ ସୃଷ୍ଟି ନ ହେବ ସେଥିପ୍ରତି ଦୃଷ୍ଟି ରଖିବେ। ଗଣ ଅଣ୍ଡାଦାନର ବହୁ ପୂର୍ବରୁ ଅଲିଭରିଡ଼୍‌ଲେ ମାନେ ସ୍ଥାନେ ସ୍ଥାନେ ଅଣ୍ତା ଦେଇଥାନ୍ତି। ସେହି ଅଣ୍ତାକୁ ସ˚ଗ୍ରହ କରି ରଖିବା ଲାଗି ବ୍ରହ୍ମପୁର ବନମଣ୍ତଳ ପକ୍ଷରୁ ୮ଟି କୃତିମ ହ୍ୟାଚେରୀ ନିର୍ମାଣ କରାଯିବ। ପାଟ୍ରୋଲିଂରେ ନିୟୋଜିତ ସ୍ପିଡ଼୍‌ ବୋଟ୍‌ ଓ ଟ୍ରଲର ପୁରୁଣାବନ୍ଧ ଜେଟି ଠାରେ ରହିବ। ପାଟ୍ରୋଲି˚ରେ ସାମୁଦ୍ରିକ ମତ୍ସ୍ୟଜୀବୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୁଲିସର ସହାୟତା ନିଆଯିବ। ରାତ୍ରୀ ପାଟ୍ରୋଲି˚ ଓ ଆନ୍ଧ୍ର ଟ୍ରଲର୍ ଅନୁପ୍ରବେଶ ରୋକିବାକୁ ତଟରକ୍ଷୀ ବାହିନୀର ସହଯୋଗ ଲୋଡ଼ିବ ବନବିଭାଗ। ଗଣ ଅଣ୍ତାଦାନ ସମୟରେ ସମୁଦ୍ର କୂଳିଆ ପୋଡ଼ମପେଟା, ଗୋଖରକୁଦା, କଣ୍ଟିଆଗଡ଼, ମୟୂରପଦା, ଆର୍ଯ୍ୟପଲ୍ଲୀ ପ୍ରଭୃତି ଗାଁ ଲୋକଙ୍କୁ ସଚେତନ କରାଯିବ। ରିଂ ଜାଲ ବ୍ୟବହାର ନ କରିବା ଲାଗି ମତ୍ସଜୀବୀଙ୍କୁ ସଚେତନ କରାଯିବ।

ପ୍ରକାଶ ଥାଉକି, ଗଞ୍ଜାମ ଉପକୂଳରେ ୨୦୧୬-୧୭ରେ ୩ ଲକ୍ଷ ୭୦ ହଜାର ୬୬୩ ଅଲିଭ୍‌ରିଡଲେ ଅଣ୍ତା ଦେଇଥିଲେ। ୨୦୧୭-୧୮ରେ ୪ଲକ୍ଷ ୮୨ହଜାର ଅଲିଭ୍‌ ରିଡ଼୍ଲେ ଅଣ୍ତା ଦେଇଥିଲେ। କିନ୍ତୁ ୨୦୧୮-୧୯ରେ ପାଣିପାଗ ପରିବର୍ତ୍ତନ ଲାଗି ଗଣ ଅଣ୍ତାଦାନ ହୋଇ ନ ଥିଲା। ମାତ୍ର ୨୩୪୧ ଅଲିଭରିଡ୍‌ଲେ ଅଣ୍ତା ଦେଇଥିଲେ। କିନ୍ତୁ ୨୦୧୯-୨୦ରେ ଅଲିଭ୍‌ରିଡ଼ଲେ ଗଣ ଅଣ୍ତାଦାନ ବିଳମ୍ବିତ ହୋଇଥିଲା। କରୋନା ମହାମାରୀ ସମୟରେ ଗଣ ଅଣ୍ତାଦାନ ହୋଇଥିଲା ଓ ୩ଲକ୍ଷ ୨୩ହଜାର ୬୨ଟି ଅଲିଭରିଡ଼୍‌ଲେ ଅଣ୍ତା ଦେଇଥିଲେ।

The post ଅଲିଭ୍‌ରିଡ଼୍‌ଲେ ଋତୁ ଆରମ୍ଭ: ସିସିକ୍ୟାମ୍‌ ନଜରରେ ରହିବ ୫ କିମି ବେଳାଭୂମି first appeared on Sambad.



from ବିଶେଷ – Sambad https://ift.tt/3oSetyT

Post a Comment

0 Comments