କରୋନା କଟକଣା ମଧ୍ୟରେ ବିବାହ କରିବା ପାଇଁ ନେପାଳୀ ବର ରିକ୍ସାରେ ପହଞ୍ଚିଲେ ଉତ୍ତରପ୍ରଦେଶ

ବହରାଇଚ: କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ୍/ସଟଡାଉନ ପରଠାରୁ ଭାରତ-ନେପାଳ ସୀମା ସିଲ ରହିଛି। ଏହି କାରଣରୁ ଉଭୟ ଦେଶର ସୀମାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି। କେବଳ ଜରୁରୀ ଯାନବାହନକୁ ଯିବା ଆସିବା ପାଇଁ ଅନୁମତି ରହିଛି। ଏମିତିରେ ବିବାହ ଓ ବ୍ରତ ଆଦି କାମ ଉପରେ ଏହାର ଅନେକ ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳିଛି।

ତେବେ ଏଭଳି ସମୟରେ ନେପାଳର ବାଙ୍କେ ଜିଲ୍ଲା ଅନ୍ତର୍ଗତ ଭଣ୍ଡରିଆ ଗ୍ରାମରେ ବସବାସ କରୁଥିବା ରଫିଫଙ୍କ ବିବାହ ରୁପଇଡିହା କସୱେରେ ବସବାସ କରୁଥିବା ହଲିମ ମେକରାନିଙ୍କ କନ୍ୟାଙ୍କ ସହ ସ୍ଥିର ହୋଇଥିଲା।

ସୀମା ବନ୍ଦ ହେବା କାରଣରୁ ଶୁକ୍ରବାର ବିବାହ ପାଇଁ ଭଣ୍ଡରିଆ ଗ୍ରାମ ନିବାସୀ ରଫିଫ ବରଯାତ୍ରୀଙ୍କୁ ଧରି ଭାରତ ସୀମାରେ ପହଞ୍ଚିଥିଲେ। ନେପାଳ ସରକାରଙ୍କଠାରୁ ଯାନବାହନ ନେବା ପାଇଁ ଅନୁମତି ମିଳି ନଥିଲା। ଏହି କାରଣରୁ ରଫିଫ ରିକ୍ସାରେ ବିବାହ କରିବାକୁ କନ୍ୟାଙ୍କ ଘର ରୁପଇଡିହାରେ ପହଁଞ୍ଚିଥିଲେ । ତାଙ୍କ ସାଥୀରେ ଚାଲିଚାଲି ୧୦ଜଣ ବରଯାତ୍ରୀ ଯାଇଥିବା ବି ଜଣାପଡ଼ିଛି। ସୋସିଆଲ ମିଡ଼ିଆରେ ଏହି ନେପାଳୀ ବରଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ବିବାହ ପରେ ବୋର୍ଡର ସିକ୍ୟୁରିଟି ଫୋର୍ସ ନବବିବାହିତ ଦମ୍ପତ୍ତିଙ୍କୁ ସୀମା ପାର କରାଇଥିଲା।

ସୀମା ବନ୍ଦ ରହିବାରୁ ଉଭୟ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ଯିବା ଆସିବାରେ ବହୁ ଅସୁବିଧା ହେଉଛି। ନେପାଳର ସ୍ଥାନୀୟ ଲୋକ ମଧ୍ୟ ସୀମା ଖୋଲିବାକୁ ବାରମ୍ବାର ନେପାଳ ସରକାରଙ୍କୁ ଦାବି କରୁଛନ୍ତି।

The post କରୋନା କଟକଣା ମଧ୍ୟରେ ବିବାହ କରିବା ପାଇଁ ନେପାଳୀ ବର ରିକ୍ସାରେ ପହଞ୍ଚିଲେ ଉତ୍ତରପ୍ରଦେଶ first appeared on Sambad.



from ବିଶେଷ – Sambad https://ift.tt/3mmJLfa

Post a Comment

0 Comments