
ଦକ୍ଷିଣ ଆମେରିକା ଉପକୂଳଠାରୁ ୩୭୮୦ କିଲୋମିଟର୍ ଦୂରରେ ସମୁଦ୍ର ଭିତରେ ରହିଛି ରହସ୍ୟମୟ ଇସ୍ଟର୍ ଦ୍ବୀପ। ଡଚ୍ ଆବିଷ୍କାରକ ଆଡମିରାଲ୍ ଜାକୋବ୍ ରୋଜିଭିନ୍ ୧୭୨୨ ଇସ୍ଟର୍ ସଣ୍ତେରେ ତାହାକୁ ଆବିଷ୍କାର କରି, ଏହି ଭଳି ନାମିତ କରିଥିଲେ। ଅନ୍ୟୂନ ଏକ ହଜାର ବର୍ଷ ପୂର୍ବେ ପଲିନେସୀୟ ଲୋକେ ସେଠାରେ ବସତି ସ୍ଥାପନ କରିଥିଲେ। ପରବର୍ତ୍ତୀ କାଳରେ କୌଣସି ଅଜ୍ଞାତ କାରଣରୁ ସେମାନେ ସମୂଳେ ଲୋପ ପାଇଯାଇଥିଲେ। ପଲିନେସୀୟଙ୍କୁ ‘ଲୁପ୍ତ ସ˚ସ୍କୃତିର ମଣିଷ’ କହାଯାଏ। ଇସ୍ଟର୍ ଦ୍ବୀପଟି ଟଫ୍ ନାମକ ଅପେକ୍ଷାକୃତ ନରମ ଆଗ୍ନେୟ ଶିଳାରେ ଭରପୂର। ସେହି ପଥରରେ ପଲିନେସୀୟମାନେ ଗୁଡ଼ିଏ ବିଶାଳକାୟ ପ୍ରତିମା ତିଆରିକରି ଦ୍ବୀପର ବିଭିନ୍ନ ସ୍ଥାନରେ ସ୍ଥାପନ କରିଥିଲେ। କେତେକର ଉଚ୍ଚତା ପଞ୍ଚଷଠି ଫୁଟ୍ ଏବ˚ ଓଜନ ପଚାଶ ଟନ୍।
ପ୍ରତିମାଗୁଡ଼ିକ ଆଜି ବି ରହିଛି। ଅଳ୍ପ କିଛି ପଲିନେସୀୟ ୧୮୬୨ ପର୍ଯ୍ୟନ୍ତ ସେଠାରେ ଥିଲେ। ତାହା ପରେ ସେମାନେ କିପରି ଲୋପପାଇଲେ ଅଜଣା ହେଇରହିଛି। ପେରୁଭିଆନ୍ ଆକ୍ରମଣକାରୀଙ୍କ ଦ୍ବାରା ସେମାନେ ନିଶ୍ଚିହ୍ନ ହୋଇଥିବା କେହି କେହି ବିଶ୍ବାସ କରୁଥିଲେ ହେଁ ପ୍ରମାଣିତ ହେଇନାହିଁ। ୧୮୮୮ରେ ଦ୍ବୀପଟି ଚିଲି ଦଖଲକୁ ଆସିଥିଲା। ଏବେ ସେଠାକାର ବାସିନ୍ଦାଙ୍କ ସ˚ଖ୍ୟା ଦୁଇ ହଜାର ଭିତରେ। ସେମାନେ ସମସ୍ତେ ସ୍ପାନିସ୍ କହୁଥିବା ଚିଲିଆନ୍। ଦ୍ବୀପରେ ଗୋଟିଏ ମାତ୍ର ଗାଁ; ତାହାର ନାଁ ହାଙ୍ଗା ରୋଆ। ହାଙ୍ଗା ରୋଆର ଲୋକେ ମେଷ ପାଳକ। ଦ୍ବୀପଟି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ମେଷ ପାଳକମାନେ ଭଲ ରୋଜଗାର କରନ୍ତି। ୧୯୯୫ରେ ଇସ୍ଟର୍ ଦ୍ବୀପ ବିଶ୍ବ ଐତିହ୍ୟ ଘୋଷିତ ହୋଇଥିଲା।
The post ବିଶ୍ୱ ଐତିହ୍ୟ : ଇସ୍ଟର୍ ଆଇଲାଣ୍ଡ୍ first appeared on Sambad.
from ବିଶେଷ – Sambad https://ift.tt/351u2ek
0 Comments