ଆଜି ଜାତୀୟ ଯୁବ ଦିବସ

ଆଜି ସମଗ୍ର ଦେଶରେ ଜାତୀୟ ଯୁବ ଦିବସ ପାଳିତ ହେଉଛି। ଦେଶର ଯୁବବର୍ଗଙ୍କ ପାଇଁ ଯୁଗେ ଯୁଗେ ପ୍ରଭାବୀ ହୋଇ ରହିଥିବା ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଦର୍ଶନକୁ ସ୍ମରଣ କରିବା ଲାଗି ୧୯୮୫ ମସିହାରୁ ତାଙ୍କ ଜନ୍ମଦିନକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଉଛି। ସ୍ବାମୀ ବିବେକାନନ୍ଦ ୧୮୬୩ ମସିହା ଆଜିର ଦିନରେ ତତ୍କାଳୀନ ବେଙ୍ଗଲ ପ୍ରଦେଶର କଲିକତାଠାରେ ଏକ ବଙ୍ଗାଳୀ କାୟସ୍ଥ ପରିବାରରେ ନରେନ୍ଦ୍ରନାଥ ଦତ୍ତ ନାମରେ ଜନ୍ମଗ୍ରହଣ କରିଥିଲେ। ଊନବିଂଶ ଶତାବ୍ଦୀର ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଦେବଙ୍କର ମୁଖ୍ୟ ଶିଷ୍ୟ ଥିବା ନରେନ୍ଦ୍ରନାଥ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ସନ୍ନ୍ୟାସୀ ପାଲଟିବା ପରେ ସ୍ବାମୀ ବିବେକାନନ୍ଦ ନାମ ଧାରଣ କରିଥିଲେ। ବେଦାନ୍ତ ଓ ଯୋଗ ପରି ଭାରତୀୟ ଦର୍ଶନକୁ ପାଶ୍ଚାତ୍ୟ ରାଷ୍ଟ୍ରରେ ପରିଚିତ କରାଇବାରେ ବିବେକାନନ୍ଦଙ୍କର ପ୍ରମୁଖ ଭୂମିକା ଥିଲା। ବିଶେଷ କରି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ପାର୍ଥିବ ପ୍ରଗତି ଓ ଭାରତୀୟ ଆଧ୍ୟାତ୍ମିକତା ପରସ୍ପର ପରିପୂରକ ଓ ଅନୁପୂରକ ବୋଲି ସେ ସାରା ବିଶ୍ବକୁ ବୁଝାଇବାକୁ ଚାହିଥିଲେ।

ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ପୃଥିବୀବ୍ୟାପୀ ଅନ୍ତର୍ଧର୍ମୀୟ ସଚେତନତା ସୃଷ୍ଟି ପୂର୍ବକ ହିନ୍ଦୁତ୍ବକୁ ବିଶ୍ବର ଏକ ପ୍ରମୁଖ ଧର୍ମ ଭାବରେ ଉପସ୍ଥାପନା କରିବାରେ ମଧ୍ୟ ତାଙ୍କର ଅଦ୍ବିତୀୟ ଅବଦାନ ରହିଥିଲା। ସେହିପରି ଭାରତରେ ସମସାମୟିକ ହିନ୍ଦୁ ସଂସ୍କାର ଅଭିଯାନରେ ସେ ମଧ୍ୟ ଏକ ପ୍ରମୁଖ ଶକ୍ତି ସାଜିଥିଲେ ଏବଂ ଔପନିବେଶିକ ଭାରତରେ ଜାତୀୟତାବାଦ ବିଚାରଧାରା ପ୍ରସାରରେ ତାଙ୍କର ଅଦ୍ବିତୀୟ ଅବଦାନ ରହିଥିଲା। ୧୮୯୩ ମସିହାରେ ଚିକାଗୋଠାରେ ଆୟୋଜିତ ବିଶ୍ବ ଧାର୍ମିକ ସଂସଦରେ ତାଙ୍କ ଭାଷଣର ପ୍ରାରମ୍ଭିକ ସମ୍ବୋଧନ ‘ଆମେରିକାର ଭଉଣୀ ଓ ଭାଇମାନେ…’ ପାଇଁ ସେ ସର୍ବତ୍ର ପରିଚିତ। ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିସନ୍‌ ପରି ଆଧ୍ୟାତ୍ମିକ ସଂଗଠନର ସ୍ଥାପନା କରିଥିବା ଏହି ମନୀଷୀଙ୍କର ୧୯୦୨ ଜୁଲାଇ ୪ ତାରିଖରେ କଲିକତାର ବେଲୁର ମଠରେ ଦେହାବସାନ ଘଟିଥିଲା।

The post ଆଜି ଜାତୀୟ ଯୁବ ଦିବସ first appeared on Sambad.

from ବିଶେଷ | Sambad https://ift.tt/3toa5Mv

Post a Comment

0 Comments