ଓ୍ୱାଶିଂଟନ: କରୋନା କାଳରେ ଆମେରିକୀୟ ଡାକ୍ତରମାନେ ଚିକିତ୍ସା ଜଗତରେ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକୀୟ ଡାକ୍ତରୀଦଳ ଘୁଷୁରୀର ହୃଦୟକୁ ମାନବ ଶରୀରରେ ପ୍ରତିରୋପଣ କରିବାରେ ସଫଳ ହୋଇଛନ୍ତି। ଏଣିକି ଏହି ଟେକ୍ନୋଲୋଜି ମାଧ୍ୟମରେ ଲକ୍ଷ ଲକ୍ଷ ରୋଗୀଙ୍କ ଜୀବନ ବଞ୍ଚାଯାଇ ପାରିବ।
ଜଣେ ୫୭ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଘୁଷୁରୀ ହୃଦୟ ପ୍ରତିରୋପଣ କରାଯାଇଛି । ଜେନେଟିକ ରୂପାନ୍ତରିତ ପଦ୍ଧତିରେ ଏହାକୁ ସଫଳତାର ସହ ପ୍ରତିରୋପଣ କରାଯାଇଛି । ଏହି ଅସ୍ତ୍ରୋପଚାରରେ ଡାକ୍ତରମାନେ ସଫଳତା ପାଇବା ପରେ ଏହା ଚିକିତ୍ସା ବିଜ୍ଞାନରେ ବିରଳ ରେକର୍ଡ ସୃଷ୍ଟି କରିଛି ବୋଲି କୁହାଯାଉଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଡେଭିଡ ବେନେଟ ହୃଦଘାତରେ ପୀଡିତ ଥିଲେ । ବେନେଟଙ୍କ ଡାକ୍ତରୀ ରେକର୍ଡକୁ ଦେଖିବା ପରେ ପାରମ୍ପାରିକ ହାର୍ଟ ଟ୍ରାନ୍ସପ୍ଲାଣ୍ଟ କିମ୍ବା କୃତ୍ରିମ ହାର୍ଟ ପମ୍ପ ବ୍ୟବହାର କରାଯାଇପାରିବ ନାହିଁ ବୋଲି ଜଣାପଡିଥିଲା । ଏହାପରେ ବିଦ୍ୟମାନ ବିକଳ୍ପଗୁଡ଼ିକ ମଧ୍ୟରେ ଘୁଷୁରୀ ହାର୍ଟ ‘ଏକମାତ୍ର ବିକଳ୍ପ’ ଥିଲା ।
ଡିସେମ୍ବର ୩୧ରେ ଅସ୍ତ୍ରୋପଚାର ପାଇଁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଜରୁରୀକାଳୀନ ଅନୁମୋଦନ ପ୍ରଦାନ କରିଥିଲା। ଘୁଷୁରୀ ହୃଦୟ ପ୍ରତିରୋପଣ ପାଇଁ ଏହି ଜରୁରୀକାଳୀନ ଅନୁମୋଦନ କ୍ରମେ ୫୭ ବର୍ଷୀୟ ପୀଡିତଙ୍କ ଜୀବନ ବଞ୍ଚାଇବା ପାଇଁ ଶେଷ ବିକଳ୍ପ ଥିଲା । ଶେଷରେ ଡାକ୍ତରମାନେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ରୋଗୀଙ୍କ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ ଓ ସଫଳ ବି ହୋଇଥିଲେ। ଡେଭିଡ ବେନେଟଙ୍କ ଶରୀରରେ ନୂତନ ଅଙ୍ଗ ପ୍ରତିରୋପଣ ହେବା ପରେ ତାଙ୍କ ଶରୀରରେ ଏହା କିପରି କାମ କରୁଛି ତା’ଉପରେ ଡାକ୍ତରମାନେ କଡ଼ା ନଜର ରଖିଛନ୍ତି ।
The post ଚିକିତ୍ସା ବିଜ୍ଞାନରେ ବିରଳ ରେକର୍ଡ; ମଣିଷ ଶରୀରରେ ପ୍ରତିରୋପଣ ହେଲା ଘୁଷୁରୀ ହୃଦୟ first appeared on Sambad.
from ବିଶେଷ | Sambad https://ift.tt/3qhbumi
0 Comments