ପ୍ରଯୁକ୍ତି ବିଜ୍ଞାନରେ ବିଚିତ୍ର ସଫଳତା: କିଛି ନକହି କିଛି ନଲେଖି ଭାବନାରେ କରିହେଉଛି ଟ୍ୱିଟ୍

ନୂଆଦିଲ୍ଲୀ: ନା କିଛି କହିଲେ ନା କିଛି ଟାଇପ କଲେ ହେଲେ ଆପେ ଆପେ ପୋଷ୍ଟ ହୋଇଗଲା ଟ୍ୱିଟ୍ । ଶୁଣିବାକୁ ଅଡୁଆ ଲାଗୁଥିଲେ ବି କଥାଟା କିନ୍ତୁ ଏକଦମ ସତ । ଏପରି ଘଟଣା ଘଟିଛି ଅଷ୍ଟ୍ରେଲିଆରେ । ଭାବୁ ଭାବୁ ହିଁ ପୋଷ୍ଟ ହୋଇଗଲା ବ୍ୟକ୍ତିଙ୍କ ଟ୍ୱିଟ୍ ।

ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ଆମିଓଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ ନାମକ ପକ୍ଷାଘାତ ରୋଗରେ ପୀଡିତ ଅଛନ୍ତି । ଏଥିରେ ନା କିଛି କହିହୁଏ ନା କିଛି କରିହୁଏ । ଶରୀରର ସାମାନ୍ୟ ଗତି ମଧ୍ୟ ଅସମ୍ଭବ । ହେଲେ ଏପରି ଅସାଧ୍ୟ ସମସ୍ୟା ଭୋଗୁଥିବା ଜଣେ ଅଷ୍ଟ୍ରେଲିଆ ନାଗରିକ ଫିଲିପ୍ ଓ’କିଫ୍ କିନ୍ତୁ ଟ୍ୱିଟ୍ କରି ନିଜ ମନ କଥା ଜଣାଇଛନ୍ତି, ଯାହା ସମସ୍ତଙ୍କୁ ଚକିତ କରିଛି । ଏହାକୁ ସମ୍ଭବ କରିପାରିଛି ବିଜ୍ଞାନ ।

ପକ୍ଷାଘାତ ପରି ସମସ୍ୟା ଭୋଗୁଥିବା ଜଣେ ବ୍ୟକ୍ତି କିଛି ଟ୍ୱିଟ କରିବା ହେଉଛି ପ୍ରଥମ ଓ ବିରଳ ଘଟଣା । ଫିଲିପ୍ ଓକିଫ୍ ହେଉଛନ୍ତି ସେହି ପ୍ରଥମ ବ୍ୟକ୍ତି । ବାସ୍ତବରେ ମସ୍ତିଷ୍କରେ ପେପର୍ କ୍ଲିପ୍ ଆକାରର ଏକ ଚିପ୍ ପ୍ରତିରୋପଣ ଦ୍ୱାରା ଏହା ସମ୍ଭବ ହୋଇଛି । ଅଷ୍ଟ୍ରେଲିଆରେ ରହୁଥିବା ୬୨ ବର୍ଷ ବୟସ୍କ ଫିଲିପ୍ ଓକିଫ୍ ଗତ ୭ ବର୍ଷ ଧରି ଆମିଓଟ୍ରୋଫିକ୍ ଲାଟେରାଲ୍ ସ୍କ୍ଲେରୋସିସ୍ (ଏଏଲଏସ୍ )ରେ ପୀଡିତ ଅଛନ୍ତି, ଯାହା ତାଙ୍କ ଶରୀରର ଉପର ଭାଗକୁ ସମ୍ପୂର୍ଣ୍ଣ ଅଚଳ କରିଦେଇଛି । ସେ ନା କିଛି କହି ପାରୁଛନ୍ତି ନା କିଛି କାମ କରିପାରୁଛନ୍ତି । ଏପରି ଅବସ୍ଥାରେ ବି ସେ ଟ୍ୱିଟ କଲେ କିପରି?

ପ୍ରକୃତରେ ତାଙ୍କ ମସ୍ତିଷ୍କରେ ପ୍ରତିରୋପଣ ହୋଇଛି ଏକ ସ୍ୱତନ୍ତ୍ର ପେପର ଚିପ୍ । ଏହା ତାଙ୍କ ମନର ଭାବନାକୁ ଡିକୋଡିଂ କରି କମ୍ପ୍ୟୁଟରରେ ଲେଖିଦେଇପାରୁଛି । ଫିଲିପ୍ ଲେଖିଛନ୍ତି : ‘ଛୋଟ ଟ୍ୱିଟ୍ ବଡ ସଫଳତା’ । ଏପରି ଲେଖି ସେ ତାଙ୍କ ପାଇଁ ସାହାରା ପାଲଟିଥିବା ସିଙ୍କ୍ରୋନ କମ୍ପାନିର ସିଇଓ ଥୋମାସ ଓକ୍ସଲେଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ତାଙ୍କ ଭଳି ଶରୀରିକ ଭାବେ ଅଚଳ ହୋଇପଡିଥିବା ଲୋକଙ୍କ ପାଇଁ ନୂଆ ଆଶା ସୃଷ୍ଟି କରିଛନ୍ତି ବୋଲି ମଧ୍ୟ ଟ୍ୱିଟ କରିଛନ୍ତି ଫିଲିପ୍ ।

ସିଙ୍କ୍ରୋନଙ୍କ କମ୍ପାନି ତାଙ୍କ ମସ୍ତିଷ୍କରେ ଏକ ମାଇକ୍ରୋଚିପ୍ ଲଗାଇଛନ୍ତି, ଯାହା ତାଙ୍କୁ ତାଙ୍କର ଚିନ୍ତାଧାରାକୁ ଶବ୍ଦରେ ପରିଣତ କରିବାର ଶକ୍ତି ଦେଉଛି ।ଫିଲିପଙ୍କ ମସ୍ତିଷ୍କରେ ଏପରି ମାଇକ୍ରୋ ଚିପ୍ ସଂଲଗ୍ନ ହୋଇଛି ଯାହା ତାଙ୍କ ଭାବନାକୁ ପଢ଼ିପାରି ଏହାକୁ ଭାଷାରେ ବଦଳାଇ ପାରୁଛି । ଏହି ପ୍ରକିୟା ବେଶ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ଫିଲିପ୍ । ଏପରି ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି ସିଙ୍କ୍ରୋନ କମ୍ପାନିର ସିଇଓ ଥୋମାସ ଓକ୍ସଲେ । ଶାରୀରିକ ଓ ମାନସିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ତାଙ୍କର ଏହି ପେପର ଚିପ୍ ବାସ୍ତବରେ ଏକ ବରଦାନ ବୋଲି କହିଛନ୍ତି ଓକ୍ସଲେ ।

The post ପ୍ରଯୁକ୍ତି ବିଜ୍ଞାନରେ ବିଚିତ୍ର ସଫଳତା: କିଛି ନକହି କିଛି ନଲେଖି ଭାବନାରେ କରିହେଉଛି ଟ୍ୱିଟ୍ first appeared on Sambad.

from ବିଶେଷ | Sambad https://ift.tt/34aCsU5

Post a Comment

0 Comments