ପେଟ୍ରୋଲିୟମ୍‌ ଉତ୍ପାଦନ ପରିବହନ ଟ୍ୟାଙ୍କର୍‌ ଲରି ଚଳାଇବାରେ କେରଳର ଦ୍ବିତୀୟ ମହିଳା ହେଉଛନ୍ତି ୨୫ ବର୍ଷୀୟ ବର୍କତ୍‌ ନିଶା

ପାଲକ୍କଡ଼: ପେଟ୍ରୋଲିୟମ୍‌ ଉତ୍ପାଦ ପରିବହନକାରୀ ଟ୍ୟାଙ୍କର୍‌ ଲରି ଚଳାଇବାରେ ୨୫ ବର୍ଷୀୟ ବର୍କତ୍‌ ନିଶା କେରଳ ରାଜ୍ୟର ଦ୍ବିତୀୟ ମହିଳା ହେବାର ଗୌରବ ଅର୍ଜନ କରିଛନ୍ତି। ସେ କେରଳ ରାଜ୍ୟର ପ୍ରଥମ ଟ୍ୟାଙ୍କର୍‌ ଲରି ଚଳାଉଥିବା ତ୍ରିସୁର୍‌ କଣ୍ଡାସାଙ୍କଡ଼ବୁ ବାସିନ୍ଦା ଡେଲିସା ଡେଭିସ୍‌ଙ୍କ ପଦାଙ୍କ ଅନୁସରଣ କରୁଛନ୍ତି।

ବିପଜ୍ଜନକ ଡ୍ରାଇଭିଙ୍ଗ୍ ଲାଇସେନ୍‌ସ୍‌ ହାସଲ କରିସାରିଥିବା ବର୍କତ୍‌ ଏବେ ଚାଲିସେରି ଥାନାରୁ ‘କ୍ଲିଅରାନ୍‌ସ୍‌’ ପାଇଁ ପ୍ରତୀକ୍ଷା କରିଛନ୍ତି।

ନାଗାଲାସେରି ପଞ୍ଚାୟତର କିଳିବାଲାଙ୍କୁନ୍ନୁବାସିନୀ ବର୍କତ୍‌ କହନ୍ତି, ପେଟ୍ରୋଲିୟମ୍‌ ଉତ୍ପାଦ ବୋଝେଇ କରି ପରିବହନ କରିବାକୁ ଅନୁମତି ପାଇବା ନିମନ୍ତେ ମତେ ଉକ୍ତ ‘ପାସ୍‌’ ଗୋଟାଏ କ‌ୋଚିର ‘ଅଏଲ୍‌ ମାର୍କେଟିଙ୍ଗ୍‌ କମ୍ପାନି’କୁ ପଠାଇବେ।

ସେ ଆହୁରି ମଧ୍ୟ କହିଛନ୍ତି, ୧୪ ବର୍ଷ ବୟସରେ ମୁଁ ମୋ ବଡ଼ଭାଇଙ୍କ ମୋଟର୍‌ସାଇକେଲ୍‌ ଚଢ଼ିବା ଆରମ୍ଭ କଲି। ଛୁଆଟିବେଳୁ ମୁଁ ଷ୍ଟାଣ୍ଡ୍‌ ମରାହୋଇଥିବା ଯାନବାହନଗୁଡ଼ିକୁ ‘କିକ୍‌ଷ୍ଟାର୍ଟ’ ମାରିବାକୁ ଚେଷ୍ଟାକରୁଥିଲି। ବାଇକ୍‌ ହେଉ, ଅଟୋରିକ୍ସା ହେଉ, କାର୍‌ ହେଉ ବା ଲରି ହେଉ, ଯେଉଁ ଗାଡ଼ି ଚଳାଇବାର ସୁଯୋଗ ମିଳେ, ମୁଁ ହାତଛଡ଼ା କରେନାହିଁ। ଶେଷକୁ ଏର୍ଣ୍ଣାକୁଲମ୍‌ରେ ତାଲିମ୍‌ ସମାପ୍ତ କରି ଚଳିତ ବର୍ଷ ନଭେମ୍ବର ୧୦ ତାରିଖରେ ମୋ ସାନଭାଇ ନିଶାଦ ଏବଂ ମୁଁ ବିପଜ୍ଜନକ ସାମଗ୍ରୀ ପରିବହନ ନିମନ୍ତେ ଲାଇସେନ୍‌ସ୍‌ ହାସଲ କଲୁ।

Image Courtesy of The Hindu

ଏବେ ବର୍କତ୍‌ ନିଶାଦଙ୍କ ସହିତ ସ୍ବଳ୍ପ ଦୂର ସ୍ଥାନକୁ ଟରସ୍‌ ଲରି ଚଳାଇ ଯାଉଛନ୍ତି। ଆତ୍ମବିଶ୍ବାସର ସେ କହନ୍ତି, କିନ୍ତୁ, ମୋର ଲକ୍ଷ୍ୟ ହେଉଛି ଟ୍ୟାଙ୍କର୍‌ ଲରି ଚଳାଇବା। ‘ଓଏମ୍‌ସି’ର ଜଣେ ଅଧିକାରୀଙ୍କ ସହାୟତାରେ ମୁଁ ଅବଳମ୍ବେ ନିୟମିତ ଭାବେ ଜାତୀୟ ରାଜପଥରେ ଗାଡ଼ି ଚଳାଇବା ପାଇଁ ଅନୁମତି ପାଇବି।

ବର୍କତ୍‌ଙ୍କ ସ୍ବର୍ଗୀୟ ପିତା ଥିଲେ ଦିନମଜୁରିଆ। ତାଙ୍କର ମୃତ୍ୟୁ ପରେ ମାଆ ହାଫ୍‌ଜତ୍‌ ୪ ପିଲାଙ୍କ ଲାଳନପାଳନ ପାଇଁ ବହୁ କଷ୍ଟ ସ୍ବୀକାର କରିଛନ୍ତି।

ସ୍ଥାନୀୟ ପଞ୍ଚାୟତ ସହାୟତାରେ ଆମେ ୩୫ ହଜାର ଟଙ୍କାରେ ଘର ଖଣ୍ଡେ ତୋଳିଛୁ। ସେଥିରେ ମୋ ମାଆ, ନିଶାଦ ଏବଂ ମୋର ୫ବର୍ଷୀୟ ଭଉଣୀ ଐଶା ନାସର୍‌ ମୁଁ ରହୁଛୁ। ମୋ ବଡ଼ଭାଇ ଓ ଭଉଣୀ ବାହା ହୋଇ ପୃଥକ୍‌ ରହୁଛନ୍ତି।

ଗାଡ଼ି ଚାଳନାକୁ ବେଉସା କରିବାକୁ ଆଶା କରିଥିବା ବର୍କତ୍‌ଙ୍କୁ ପ୍ରଥମେ ତାଙ୍କ ପରିବାର ତରଫରୁ ଘୋର ବିରୋଧ କରାଯାଉଥିଲା। କିନ୍ତୁ, ସମୟକ୍ରମେ ବର୍କତ୍‌ଙ୍କ କଥା ରହିଲା। ଏହି ସ୍ବପ୍ନ ସାକାର କରିବାରେ ବହୁ ଲୋକଙ୍କ ଅବଦାନ ଥିବା କଥା ବର୍କତ୍‌ କହନ୍ତି।

The post ପେଟ୍ରୋଲିୟମ୍‌ ଉତ୍ପାଦନ ପରିବହନ ଟ୍ୟାଙ୍କର୍‌ ଲରି ଚଳାଇବାରେ କେରଳର ଦ୍ବିତୀୟ ମହିଳା ହେଉଛନ୍ତି ୨୫ ବର୍ଷୀୟ ବର୍କତ୍‌ ନିଶା first appeared on Sambad.

from ବିଶେଷ | Sambad https://ift.tt/31yVKkE

Post a Comment

0 Comments