
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ମମିତା ମେହେର ତାତି ଥମିବାର ନାଁ ନେଉନି। ବିଜେପିର ଆହ୍ବାନକ୍ରମେ ସୋମବାର ଜିଲ୍ଲାବ୍ୟାପୀ ମମିତାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ଦଳୀୟ କର୍ମକର୍ତା। ଏହିଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ପୋଡ଼ିଥିଲେ।
ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ପକ୍ଷରୁ ସୋମବାର ଅପରାହ୍ନରେ ସ୍ଥାନୀୟ ବୀର୍ସା ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମମିତାଙ୍କୁ ନିର୍ମମଭାବେ ହତ୍ୟାକରିଥିବା ଅଭିଯୁକ୍ତଙ୍କୁ ଅଯାଚିତ ସୁରକ୍ଷା ଦେଇଥିଲେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ଏମିତିକି ଉକ୍ତ କଲେଜକୁ ଅନୈତିକଭାବେ ମନଇଚ୍ଛା ଅନୁଦାନ ଦିଆଯାଇଥିଲା। ପ୍ରକୃତରେ ଉକ୍ତ ଶିକ୍ଷାନୁଷ୍ଠାନ ହିଁ ବିଜେଡି ନେତାଙ୍କ ଆମୋଦପ୍ରମୋଦ ସ୍ଥାନ ପାଲଟିଥିଲା। ଶିକ୍ଷାନୁଷ୍ଠାନଭଳି ପବିତ୍ର ସ୍ଥାନରେ କୁକର୍ମ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୁଖ୍ୟମନ୍ତ୍ରୀ ନୈତିକତା ଭୁଲି ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି। ଏଣୁ ଯଥାଶୀଘ୍ର ମନ୍ତ୍ରୀ ଦିବ୍ୟାଙ୍କରଙ୍କୁ ବହିସ୍କାର ଓ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବାକୁ କର୍ମକର୍ତା ଦାବି କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ କୁଶ ପୁତ୍ତଳିକା ପୋଡ଼ିଥିଲେ। ସେହିଭଳି ଲେଫ୍ରିପଡ଼ା, ରାଜଗାଙ୍ଗପୁର, ବାଲିଶଙ୍କରା, କୋଇଡ଼ା, କୁତ୍ରା, ଲାଠିକଟା, ବଡ଼ଗାଁ, ବଣାଇଁଗଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦଳୀୟ କର୍ମକର୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବାସହ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀଙ୍କ କୁଶ ପୁତ୍ତଳିକା ପୋଡ଼ିଥିଲେ।
The post ଜିଲ୍ଲାବ୍ୟାପୀ ପୋଡ଼ିଲେ ନବୀନ, ଦିବ୍ୟଶଙ୍କରଙ୍କ କୁଶ ପୁତ୍ତଳିକା first appeared on Sambad.from ବିଶେଷ | Sambad https://ift.tt/3006LdU
0 Comments