
ପାଟନା: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ଜୀବନଜୀବିକାକୁ କ୍ଷତିଗ୍ରସ୍ତ କରିଛି। ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରବଳ ବୃଷ୍ଟିପାତ କିମ୍ବା ପ୍ରବଳ ଗ୍ରୀଷ୍ମପ୍ରବାହ ଆଜି ଜଳବାୟୁ ପରିବର୍ତ୍ତନ ଯୋଗୁ ସଂଘଠିତ ହେଉଛି। ଚଳିତ ବର୍ଷ ମୌସୁମୀ ପ୍ରବାହଜନିତ ପ୍ରବଳ ବୃଷ୍ଟିପାତ ଯୋଗୁଁ ବିହାରର ମୁଜାଫର୍ପୁର ଜିଲ୍ଲାର କେତେକ ତୋଟାରେ ପାଣି ଜମି ରହିବାରୁ ବହୁସଂଖ୍ୟକ ଲିଚୁଗଛ ମରିଯାଇଛି। ଚଳିତ ବର୍ଷ କୋଭିଡ୍-୧୯ ଲକ୍ଡାଉନ୍ ଯୋଗୁଁ ଲିଚୁର ଚାହିଦା ହ୍ରାସ ପାଇଥିବା ବେଳେ ଗଛ ମରିଯିବାରୁ ଚାଷୀମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି।
ମୁଶାହରି ବ୍ଲକ୍ ଅନ୍ତର୍ଗତ ରାଧାନଗରର ଲିଚୁଚାଷୀ ସଞ୍ଜୟ କୁମାର ସିଂହ ଚିନ୍ତିତ ହୋଇ କହିଛନ୍ତି, ଏଭଳି ଘଟିବ ବୋଲି ଆମର ଧାରଣା ନ ଥିଲା। ପ୍ରଥମ ଥର ପାଇଁ ହାରାହାରି ୧୫% ରୁ ୨୦% ଲିଚୁଗଛ ମରିଯାଇଛି। ଆଗାମୀ ଦିନମାନଙ୍କରେ ଆହୁରି ଗଛ ମରିବାର ଆଶଙ୍କା ଅଛି। ମୁଶାହାରିରେ ୩୦୦୦ରୁ ବେଶୀ ଗଛ ଶୁଖି ମରିଗଲାଣି। ଲିଚୁ ଛଡ଼ା ଏହି ବ୍ଲକ୍ରେ ଅନେକ ଆମ୍ବଗଛ ମଧ୍ୟ ମରିଯାଇଛି।
ପ୍ରବଳ ବର୍ଷା ଯୋଗୁଁ ତୋଟାରେ ପାଣି ଜମିବା ହେତୁ ୨୦ ପ୍ରତିଶତ ଲିଚୁଗଛ ମରିଯାଇଥିବା କଥା କାନ୍ତି ବ୍ଲକ୍ର ଅନ୍ୟ ଜଣେ ଲିଚୁଚାଷୀ ମୁକୁଳ ଶଶୀ କହିଛନ୍ତି। ସେ କହିଛନ୍ତି, ଏଭଳି ମନ୍ଦ ପରିସ୍ଥିତି ଆମେ କେବେ ଦେଖି ନ ଥିଲୁ। ତୋଟାରେ ୫/୧୦ଟି ଗଛ ମଲେ ବି ଚାଷୀଙ୍କ ପାଇଁ ବଡ଼ କ୍ଷତି। କାରଣ ଗଛ ପରିପୁଷ୍ଟ ହୋଇ ଫଳିବାକୁ ଅନେକ ବର୍ଷ ଲାଗେ। ଦୀର୍ଘ ଦିନ ଧରି ତୋଟାରେ ପାଣି ଜମି ରହିବାରୁ ଜନ୍ଦା, ଅନ୍ୟାନ୍ୟ କୀଟ ଏବଂ କବକ (ଫଙ୍ଗସ୍) ଗଛ ଚେରକୁ ଆକ୍ରମଣ କରି ନଷ୍ଟ କରିଦେଲେ।
ତୋଟାରୁ ଆପଣାଛାଏଁ ଜଳ ନିଷ୍କାସନ ହେବାର ବାଟ ନ ଥିବାରୁ ପାଣି ଜମି ରହିଲା। ରାଜ୍ୟ ଏବଂ ଜାତୀୟ ରାଜପଥ ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ପଥ ବନ୍ଦ ହୋଇଗଲା।
ଏ ସଂକ୍ରାନ୍ତରେ ମୁଜାଫରପୁରର ‘ଏନ୍ଆର୍ସିଏଲ୍’ର ନିର୍ଦେଶକ ଏସ୍.ଡି. ପାଣ୍ଡେ କହନ୍ତି, ଗତ ଚାରି ମାସ ଧରି ପାଣି ଜମିବାରୁ ଲିଚୁଗଛ ମରିଯାଉଛି। ଗଛଗୁଡ଼ିକୁ ବଞ୍ଚାଇବା ପାଇଁ କେତେକ ଚାଷୀ ଆମ ପାଖରେ ନିବେଦନ କରିଛନ୍ତି। ଗଛଗୁଡ଼ିକୁ ସୁରକ୍ଷିତ ରଖିବାକୁ କ’ଣ କରାଯାଇ ପାରିବ ଆମେ ସେ ବିଷୟରେ ଲିଚୁଚାଷୀମାନଙ୍କ ପାଇଁ ପରାମର୍ଶବଳୀ ଜାରି କରିବୁ। ପାଣି ଜମି ରହିବାରୁ ଗଛ ସବୁ ଅମ୍ଳଜାନ ଓ ପୋଷକତତ୍ତ୍ବ ପାଇଲେ ନାହିଁ। ସେଥିପାଇଁ ଚେର ନଷ୍ଟ ହୋଇଗଲା। ଯେଉଁ ଗଛ ସବୁ ଏବେ ବି ଶ୍ୟାମଳ ଦିଶୁଛି ସେଗୁଡ଼ିକୁ ବଞ୍ଚାଇବାକୁ ହେଲେ ତୋଟାରେ ହଳ ବୁଲାଇବା ସହ ‘ଫଙ୍ଗିସାଇଡ୍’ ସିଞ୍ଚନ କରିବାକୁ ପଡ଼ିବ।
ମୁଜାଫରପୁରର ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ ଶମ୍ଭୁ ପ୍ରସାଦ କହନ୍ତି, କେତେସଂଖ୍ୟକ ଗଛ ମରିବ ତାହା ଡିସେମ୍ବର ଶେଷ ସୁଦ୍ଧା ଜଣାପଡ଼ିବ।
ସମସ୍ତିପୁର ଜିଲ୍ଲାସ୍ଥିତ ‘ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ୍ ୟୁନିଭର୍ସିଟି’ର ଉଦ୍ୟାନ ବିଭାଗର ମୁଖ୍ୟ ଏଲ୍.ଏମ୍. ଯାଦବ କହନ୍ତି, ଏଇଟା ଜଳବାୟୁ ପରିବର୍ତ୍ତନଜନିତ ଘଟଣା। ଜୁନ୍ ମାସରେ ଅତ୍ୟଧିକ ବର୍ଷା ହେତୁ ପାଣି ଜମିଲା ଏବଂ ଅକ୍ଟୋବର ମାସରେ ଅପ୍ରତ୍ୟାଶିତ ପ୍ରବଳ ବର୍ଷା ବର୍ଷିବାରୁ ସମସ୍ୟା ଜଟିଳ ହେଲା।
The post ଜଳବାୟୁ ପରିବର୍ତ୍ତନ ଯୋଗୁ ଜୀବିକା କ୍ଷତିଗ୍ରସ୍ତ : ପ୍ରବଳ ବର୍ଷା ଯୋଗୁଁ ବିହାରରେ ଉଜୁଡ଼ି ଗଲା ଲିଚୁଚାଷ first appeared on Sambad.from ବିଶେଷ | Sambad https://ift.tt/3mRwmii
0 Comments