ନବୀନ – ସମ୍ଭ୍ରାନ୍ତ ରାଜନୀତିର ପ୍ରତୀକ

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ରାଜନୈତିକ ଇତିହାସ ଯେତେବେଳେ ଲେଖାଯିବ ନବୀନ ପଟ୍ଟନାୟକଙ୍କ ସରକାର ଏକ ନୂଆ ଫର୍ଦ୍ଦ ଖୋଲିଥିଲା ବୋଲି ଲେଖିବାକୁ ଇତିହାସକାରମାନେ ଏକରକମ ବାଧ୍ୟ ହେବେ। ୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ, ସେହି ବର୍ଷ ବିଜୁ ଜନତା ଦଳର ଗଠନ ଏବଂ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ମଙ୍ଗ ଧରିବା ଗୋଟିଏ ଗୋଟିଏ ଐତିହାସିକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ।

ମେ ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ପଞ୍ଚମ ବିଜୟ ପରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା- କାହିଁକି ଓ କେମିତି ନବୀନ ବାରମ୍ବାର ନିର୍ବାଚନ ଜିତୁଛନ୍ତି ଓ ଏହା ପଛରେ ରହସ୍ୟଟି କଣ? ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବା ଓଡ଼ିଶାର ଅନ୍ୟ କୌଣସି ରାଜନେତାଙ୍କ ଭାଗ୍ୟରେ ଜୁଟିନାହିଁ, ଭବିଷ୍ୟତରେ ଜୁଟିବ କି ନାହିଁ ତାହା ବି କହିବା କଷ୍ଟ। ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏହି ରାଜନୈତିକ ଉପଲବ୍ଧି କିନ୍ତୁ ବିଶେଷ ମାନେ ରଖେ। କାରଣ ସେ ମୂଳରୁ ହିଁ ରାଜନୀତିରେ ପ୍ରବେଶ କରିବା ପାଇଁ ଇଚ୍ଛୁକ ନ ଥିଲେ। ରାଜନୈତିକ କୁଣ୍ଠାବୋଧ ଯେ ଘଟଣାଚକ୍ରରେ ଜଣକୁ ଅତି ଉଚ୍ଚ ସ୍ଥାନରେ ପହଞ୍ଚାଇବ ଏହା ଭାରତୀୟ ରାଜନୀତିରେ ଏକ ବିରଳ ଘଟଣା।

ନବୀନ ପଟ୍ଟନାୟକ ରାଜନୀତିକୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି ଏହା ଠିକ୍‌, କିନ୍ତୁ ଯେଉଁଭଳି ସ୍ଥିତିରେ ସେ ରାଜ୍ୟର ଶାସନଭାର ସମ୍ଭାଳିଥିଲେ ତାହା କିଛି କମ୍‌ ଘଟଣାବହୁଳ ନଥିଲା। ଓଡ଼ିଶା କେବେ ବି ଗୁଜୁରାଟ କି ମହାରାଷ୍ଟ୍ର ଭଳି ଉନ୍ନତ ରାଜ୍ୟ ନ ଥିଲା। ଦାରିଦ୍ର୍ୟର କଷାଘାତ ଓ ସଂଖ୍ୟାଧିକ ସମସ୍ୟା ଦେଇ ଗତି କରୁଥିବା ଏକ ପଛୁଆ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଅଭିଷେକ ନିଶ୍ଚିତ ଭାବେ କଣ୍ଟକଶୂନ୍ୟ ନ ଥିଲା।
ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଓ ସମର୍ଥକଙ୍କ କଥା ଭାଙ୍ଗି ନ ପାରି ନବୀନ ଯେତେବେଳେ ରାଜନୀତିକୁ ହଁ କହିଲେ, ପଛକୁ ଫେରି ଚାହିଁବାର ଅବକାଶ ତାଙ୍କ ପାଇଁ ଆଉ ନ ଥିଲା। ଜଣେ ତପସ୍ୱୀ ଭଳି ଦୃଢ଼ତା ବା ଦୃଢ଼ ମନୋଭାବ ନବୀନ ପଟ୍ଟନାୟକଙ୍କ ରାଜନୀତିର ଏକ ଅଦ୍ବିତୀୟ ପରିଚୟ ଓ ଏହି ଗୁଣଟି ହିଁ ତାଙ୍କୁ ଏତେ ଦିନ ଧରି ରାଜନୀତିରେ ରଖିପାରିଛି।

ବିଜୁବାବୁଙ୍କ ନିଧନ ପରେ ଯେତେବେଳେ ଆସିକା ଲୋକସଭା ଆସନ ପାଇଁ ୧୯୯୭ରେ ଉପନର୍ବାଚନ ହେଲା ସେତେବେଳେ ହିଁ ନବୀନଙ୍କ ଦୃଢ଼ତାର ପରିପ୍ରକାଶ ଘଟିଥିଲା। ବିରୋଧୀ ଦଳ ତାଙ୍କୁ ଜଣେ ‘ବାହାରର ଲୋକ’ ବୋଲି ଚିତ୍ରିତ କରିବା ସହିତ ଓଡ଼ିଶାର ଭାଷା ଓ ସଂସ୍କୃତି ସମ୍ବନ୍ଧରେ ସେ ପୂରା ଅଜ୍ଞ ବୋଲି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ତାହା ବିଶେଷ ଫଳ ଦେଇ ନ ଥିଲା।

ନବୀନ ପଟ୍ଟନାୟକଙ୍କ ରାଜନୀତିର ଆଉ ଏକ ବୈଶିଷ୍ଟ୍ୟ ହେଲା ବିରୋଧୀମାନଙ୍କ ମୂଳୋତ୍ପାଟନ। ଏହି ବୈଶିଷ୍ଟ୍ୟର ପରିଚୟ ମିଳିଥିଲା ଯେତେବେଳେ ସେ ପ୍ରଥମେ ବିଜୟ ମହାପାତ୍ରଙ୍କୁ ଦୁଆର ଦେଖାଇ ଦେଇଥିଲେ। ବିଜୟ ମହାପାତ୍ରଙ୍କ ରାଜନୈତିକ ଜୀବନରେ ଏହା ଥିଲା ସବୁଠାରୁ ବଡ଼ ଦୁର୍ଘଟଣା ଯେଉଁଥିରୁ ସେ ଆଜି ପର୍ଯ୍ୟନ୍ତ ବର୍ତ୍ତିପାରିନାହାନ୍ତି। ପରବର୍ତ୍ତୀ ସମୟରେ ଅନ୍ୟ ବିରୋଧୀମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ନବୀନ ରାସ୍ତାରୁ ହଟାଇ ଦେଇଥିଲେ।

ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିବା ଭିତରେ ରାଜନୀତିର ଦାଓପେଞ୍ଚକୁ ଠିକଣା ଭାବରେ ବୁଝିଛନ୍ତି ଏବଂ ତାହାକୁ କାମରେ ବି ଲଗାଇଛନ୍ତି। ଜଣେ କୁଶଳୀ ରଣନୀତିକାର ଭାବରେ ସେ ଜାଣିପାରନ୍ତି ଲୋକଙ୍କ ଚିନ୍ତା ଓ ଚେତନାକୁ। ଲୋକଙ୍କୁ ପରଖିବାରେ ସେ ବେଶ୍‌ ଧୁରନ୍ଧର ଏବଂ ଏହି ନିରୀକ୍ଷଣପଟୁତା ହିଁ ତାଙ୍କୁ ଲୋକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇ ଆସିଛି।

ବସ୍ତୁତଃ,ଏହିସବୁ ଗୁଣ ଓ ସ୍ବଭାବ ହିଁ ଠିକ୍‌ କାମ ପାଇଁ ଠିକ୍‌ ଲୋକ ଚୟନ କରିବାରେ ନବୀନଙ୍କୁ ସାହାଯ୍ୟ କରିଆସିଛି। ବିଶେଷକରି ରାଜନୀତିରେ କେତେବେଳେ କେଉଁ ରଣନୀତି ଗ୍ରହଣ କରିବାକୁ ହେବ ସେଥିରେ ନବୀନ ଓ ତାଙ୍କ ଦଳ କଦାପି ଝୁଣ୍ଟିନାହାନ୍ତି। ଫଳସ୍ୱରୂପ, ଅନ୍ୟ ଦଳମାନଙ୍କ ଠାରୁ ବିଜୁ ଜନତା ଦଳ କେବଳ ଆଗରେ ରହିଛି ତାହା ନୁହେଁ ଏକ ଆଞ୍ଚଳିକ ଦଳ ହେବା ସତ୍ତ୍ୱେ କିଛି ଜାତୀୟ ଦଳର ସର୍ବନାଶ କରିବାରେ ସଫଳ ହୋଇଛି।

ରାଜନୈତିକ ସଫଳତା ବ୍ୟତୀତ ନବୀନଙ୍କ ସରକାର ପକ୍ଷରୁ ରାଜ୍ୟର କୋଟି କୋଟି ଲୋକଙ୍କ ପାଇଁ ଅନେକ ପ୍ରକାର କଲ୍ୟାଣମୂଳକ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ବିଗତ କୋଡ଼ିଏ ବର୍ଷ ଧରି ସୁଚିନ୍ତିତ ଭାବେ ବିଭିନ୍ନ ବର୍ଗର ଜନସଂଖ୍ୟା ପାଇଁ ଯୋଜନାମାନ ପ୍ରସ୍ତୁତ ହୋଇଛି ଯାହାକି ତାଙ୍କ ଦଳ ପାଇଁ ଭୋଟ୍‌ ବ୍ୟାଙ୍କ୍‌ରେ ପରିଣତ ହୋଇଛି।

ବିଧାନସଭା ଓ ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ନବୀନ ପଟ୍ଟନାୟକଙ୍କ ଅନ୍ୟ ଏକ ସାହସିକ ପଦକ୍ଷେପ। ଜାତୀୟ ସ୍ତରରେ ସକ୍ରିୟ ଥିବା ରାଜନୈତିକ ଦଳମାନଙ୍କ ପାଇଁ କାର୍ଯ୍ୟସୂଚୀ ତିଆରି କରିବା ବା ଆଜେଣ୍ଡା ସେଟିଂରେ ବିଜେଡି ଅଗ୍ରଣୀ ହୋଇପାରିଛି। ରାଜ୍ୟରେ ମଧ୍ୟ ମହିଳାମାନଙ୍କ ପାଇଁ ବ୍ୟାପକ ସୁବିଧା ଓ ସୁଯୋଗ ଦିଆଯାଇଛି ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି।

ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଭଲ ଦିଗ ହେଉଛି ସେ ଅକ୍ଳାନ୍ତ ପରିଶ୍ରମ କରନ୍ତି ଓ କୌଣସି ବିଷୟକୁ ହାଲୁକା ଭାବରେ ନିଅନ୍ତି ନାହିଁ। ବିଭିନ୍ନ ନିର୍ବାଚନରେ ତାଙ୍କ ପ୍ରଚାରଶୈଳୀ ଅଦ୍ବିତୀୟ। ଗତ ଲୋକସଭା ନିର୍ବାଚନ ବେଳେ ବସ୍‌ରେ ବସି ବିଜେଡି ପ୍ରାର୍ଥୀଙ୍କ ପାଇଁ ସେ ଭୋଟ ଲୋଡ଼ିଥିଲେ ଓ ପ୍ରାୟ ସମଗ୍ର ରାଜ୍ୟ ବୁଲିଥିଲେ। କେନ୍ଦ୍ରାପଡ଼ା ଭଳି ସମ୍ବେଦନଶୀଳ ଆସନ ଯେଉଁଠି ତାଙ୍କ ବ୍ୟକ୍ତିଗତ ସମ୍ମାନ ଜଡ଼ିତ ଥିଲା ସେଠି ସେ ଅଧିକ ସମୟ ଦେଇଥିଲେ।

ଯେ କୌଣସି ମଣିଷଙ୍କ ଭଳି ନବୀନ ସମାଲୋଚନାର ଶିକାର ଯେ ହୋଇନାହାନ୍ତି ତାହା ନୁହେଁ। ତାଙ୍କ ଉପରେ ଯେତେ ପ୍ରକାର ରାଜନୈତିକ ଆକ୍ରମଣ ହୋଇଛି ତାହାକୁ ସେ ଅତ୍ୟନ୍ତ ଧୈର୍ଯ୍ୟର ସହ ଅବିଚଳିତ ଭାବେ ସାମ୍ନା କରି ଆସିଛନ୍ତି। ଗତ ଲୋକସଭା ନିର୍ବାଚନ ବେଳେ ବିଜେପିର ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନବୀନ ଓ ବିଜେଡି ସରକାରକୁ ଯେତେବେଳେ ଏକ ‘ପୋଡ଼ା ଟ୍ରାନ୍ସଫର୍ମର’ ସହିତ ତୁଳନା କରିଥିଲେ ସେଥିରେ ନବୀନ ଅସାଧାରଣ ସଂଯମତା ରକ୍ଷା କରିଥିଲେ।

ସତ କହିବାକୁ ଗଲେ, ଏଭଳି ପ୍ରତିକ୍ରିୟାବିହୀନ ରାଜନୀତି ଓ ସଂଯମ ଆଚରଣ ହିଁ ନବୀନଙ୍କ ପାଇଁ ଅଭୂତପୂର୍ବ ସଫଳତାର କାରଣ ହୋଇଆସିଛି। ଜଣେ ସମ୍ଭ୍ରମଶୀଳ ରାଜନେତା ଭାବରେ ସେ ନିଜର ଭାବମୂର୍ତ୍ତିକୁ କେବଳ ବଜାୟ ରଖି ପାରିଛନ୍ତି ତାହା ନୁହେଁ ଏହିସବୁ ଭଲ ଗୁଣ ଯୋଗୁଁ ସେ ଓଡ଼ିଶାକୁ ଶାସନ କରି ଚାଲିଛନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ)
ମୋ: ୯୩୩୭୫୦୮୫୯୨

The post ନବୀନ – ସମ୍ଭ୍ରାନ୍ତ ରାଜନୀତିର ପ୍ରତୀକ first appeared on Sambad.

from ବିଶେଷ | Sambad https://ift.tt/3jbeht3

Post a Comment

0 Comments