
ବଲାଙ୍ଗୀର : କରୋନା ପ୍ରଭାବ କମିବା ପରେ କିଛି କିଛି ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କିଛି ଟ୍ରେନ୍ ଚଳାଚଳ ଏବେବି ସ୍ୱାଭାବିକ ହୋଇପାରୁନି। ବଲାଙ୍ଗୀରରେ ସମଲେଶ୍ୱରୀ ହାୱାଡ଼ା-ଜଗଦଲପୁର ଏକ୍ସପ୍ରେସ ଟ୍ରେନ୍ ଏବେବି ଚାଲୁ ହୋଇନି। ଏହାସହ ଟିଟିଲାଗଡ଼-ରାୟପୁର ପାସେଞ୍ଜର ଟ୍ରେନ ମଧ୍ୟ ଚାଲୁନାହିଁ। ଫଳରେ ଯାତ୍ରୀମାନେ ଏହି ଦୁଇ ଟ୍ରେନ ପାଇଁ ହଇରାଣ ହେଉଛନ୍ତି।
ବିଶେଷକରି ସମଲେଶ୍ୱରୀ ଟ୍ରେନ୍ ଚାଲୁନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଉଛି। ବଲାଙ୍ଗୀର ଷ୍ଟେସନ ଦେଇ ବର୍ତ୍ତମାନ ୧୬ଟି ଟ୍ରେନ୍ ଯିବାଆସିବା କରୁଛି। କରୋନା ପୂର୍ବରୁ କିନ୍ତୁ ୨୬ଟି ଟ୍ରେନ୍ ଚଳାଚଳ କରୁଥିଲା। ଯାତ୍ରୀଙ୍କ କହିବା ହେଲା, କୁଆଡ଼େ ଯିବାକୁ ହେଲେ ମାସେ ପୂର୍ବରୁ ସିଟ୍ ବୁକିଂ କରିବାକୁ ପଡ଼ୁଛି। ନ ହେଲେ ଟିକଟ ‘କନଫର୍ମ’ ହୋଇପାରୁନି। ସାଧାରଣତଃ ଇଣ୍ଟରସିଟି ଟ୍ରେନକୁ ଛାଡ଼ିଦେଲେ ରାଜ୍ୟ ବାହାରକୁ ଯିବାକୁ ହେଲେ ବହୁ ପୂର୍ବରୁ ଯାତ୍ରୀମାନଙ୍କୁ ଟିକଟ ବୁକିଂ କରିବାକୁ ପଡ଼ୁଛି। ଏପରିକି ବେଳେବେଳେ ଟିକଟ ବୁକିଂ ଥିବା ଟ୍ରେନ୍ ବି ବାତିଲ ହୋଇଯାଉଛି। ଷ୍ଟେସନ୍ ମାଷ୍ଟର ସୁରେଶ ଚନ୍ଦ୍ର ଦାସଙ୍କ କହିବା ଅନୁସାରେ, ବର୍ତ୍ତମାନ ସବୁ ଜରୁରୀକାଳୀନ ଟ୍ରେନ୍ ଚାଲୁଛି। କେବଳ ସମଲେଶ୍ୱରୀ ଚାଲୁନି। ବାକି ଟ୍ରେନ୍ ଯାହା କରୋନା ପୂର୍ବରୁ ଚାଲୁଥିଲା, ସେସବୁ ଧୀରେ ଧୀରେ ଚାଲିବା ଆରମ୍ଭ ହୋଇଛି।
The post ସମଲେଶ୍ୱରୀ ଟ୍ରେନ୍ ଚାଲିବ କେବେ? first appeared on Sambad.from ବିଶେଷ | Sambad https://ift.tt/3AOzu2W
0 Comments