
ନୂଆଦିଲ୍ଲୀ: ବେଳେବେଳେ ଏକ ଅପମାନ ମଧ୍ୟ ପ୍ରେରଣାର ଉତ୍ସ ହୋଇଯାଏ | ପିଲାବେଳେ ବସ୍ରେ ମାଙ୍କ ସହ ଯାତ୍ରା କରୁଥିବାବେଳେ ଜଣେ ବ୍ୟକ୍ତିଙ୍କ ଅପମାନ ଶାଳିନୀଙ୍କୁ ଆଇପିଏସ ଅଧିକାରୀ ହେବାକୁ ପ୍ରେରଣା ଦେଇଥିଲା | ଆଜି ଆମେ ହିମାଚଳ ପ୍ରଦେଶରେ କାର୍ଯ୍ୟରତ ଆଇପିଏସ ଅଫିସର ଶାଳିନୀ ଅଗ୍ନିହୋତ୍ରୀଙ୍କ ବାବଦରେ କହିବୁ | ଶାଳିନୀଙ୍କ କହିବା ମୁତାବକ ଯେତେବେଳେ ସେ ଛୋଟ ଥିଲେ,ତାଙ୍କ ମା’ଙ୍କ ସହିତ ବସ୍ରେ ଯାଉଥିଲେ। ଜଣେ ବ୍ୟକ୍ତି ତାଙ୍କ ମାଆଙ୍କ ପଛ ସିଟରେ ହାତ ପକାଇ ବସିଥିଲେ, ଯେଉଁଥିପାଇଁ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ | ଯେତେବେଳେ ତାଙ୍କ ମା, ସେହି ବ୍ୟକ୍ତିଙ୍କୁ ହାତ କାଢ଼ିବାକୁ କହିଥିଲେ, ବ୍ୟକ୍ତି ଜଣକ ରାଗିଯାଇ କହିଥିଲେ ଯେ, ‘ତୁମେ କୌଣସି ଜିଲ୍ଲାପାଳ ନୁହେଁ ଯେ ମୁଁ ତୁମ କଥା ଶୁଣିବି’। ସେହି ବ୍ୟକ୍ତିଙ୍କର ଏହି ଅପମାନ, ଶାଳିନୀଙ୍କୁ ପ୍ରେରଣା ଦେଇଥିଲା ଯେ ଦିନେ ନା ଦିନେ ସେ ଜଣେ ଆଇଏଏସ ବା ଆଇପିଏସ ଅଧିକାରୀ ହେବେ |
ତେବେ ଜଣେ ବସ୍ କଣ୍ଡକ୍ଟରଙ୍କ ଝିଅ ଶାଳିନୀଙ୍କ ପାଇଁ ଏହି ରାସ୍ତା ସେତେ ସହଜ ନଥିଲା | ତଥାପି କଠିନ ପରିଶ୍ରମ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା। ଶାଳିନୀଙ୍କ କହିବା କଥା ଯେ ସ୍କୁଲରେ ପାଠ ପଢୁଥିବାବେଳେ ସେ ପାଠରେ ପଛୁଆ ଥିଲେ | ତେବେ ସେ କଠିନ ପରିଶ୍ରମ କରି ଦଶମ ଶ୍ରେଣୀରେ ଭଲ ପ୍ରଦର୍ଶନ କରିଥିଲେ | ସେ ଦଶମ ଶ୍ରେଣୀରେ ୯୨.୨ ପ୍ରତିଶତ ସ୍କୋର କରିଥିଲେ | କିନ୍ତୁ ଯେତେବେଳେ ସେ ଦ୍ୱାଦଶ ଶ୍ରେଣୀରେ ୭୭.୪ ପ୍ରତିଶତ ପାଇଥିଲେ ସେତେବେଳେ ସେ ନିରାଶ ହୋଇଥିଲେ। ଦ୍ୱାଦଶ ପରେ ଶାଳିନୀ ହିମାଚଳପ୍ରଦେଶ କୃଷି ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଇଥିଲେ, ଯେଉଁଠାରୁ ସେ ସ୍ନାତକ ହାସଲ କରିଥିଲେ। ଏହି ସମୟ ମଧ୍ୟରେ ସେ ୟୁପିଏସସି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲେ |
ଶାଳିନୀ ନା କୌଣସି କୋଚିଂ ନେଇଛନ୍ତି ନା କୌଣସି ବଡ ସହରକୁ ଯାଇ ପ୍ରସ୍ତୁତି କରିଛନ୍ତି | ଶାଳିନୀ ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସସିରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ୨୫୮ ରାଙ୍କ ପାଇ ଆଇପିଏସ୍ ପାଇଁ ମନୋନୀତ ହୋଇଥିଲେ। ତାଲିମ ପରେ ତାଙ୍କୁ ହିମାଚଳପ୍ରଦେଶରେ ପୋଷ୍ଟ କରାଯାଇଥିଲା | ଏଠାରେ ସେ ଡ୍ରଗ୍ ବେପାରିଙ୍କ ବିରୋଧରେ ଜୋରଦାର ଅପରେସନ ଆରମ୍ଭ କରିଥିଲେ | ଅନେକ ଡ୍ରଗ ଡିଲର ଧରାପଡ଼ିଥିବାବେଳେ ବହୁ ମାତ୍ରାରେ ନିଶା ଔଷଧ ଜବତ କରାଯାଇଥିଲା | ଅପରାଧୀଙ୍କ ପ୍ରତି ଜଣେ କଠୋର ପୁଲିସ ଅଧିକାରୀ ଭାବେ ସେ ବେଶ ଜଣାଶୁଣା |
The post ମା’ଙ୍କ ଅପମାନ ଦେଲା ପ୍ରେରଣା: କିଛି ଏମିତି ଥିଲା ଆଇପିଏସ ଅଫିସର ଶାଳିନୀଙ୍କ କାହାଣୀ first appeared on Sambad.from ବିଶେଷ | Sambad https://ift.tt/3BRO9KW
0 Comments