କରୋନାଜନିତ ସାଇବର ଠକେଇ

ଟିକାକରଣ ଆଳରେ ଠକେଇ
କରୋନାରୁ ବର୍ତ୍ତିବା ପାଇଁ ଦେଶରେ ବର୍ତ୍ତମାନ ବ୍ୟାପକ ମାତ୍ରାରେ ଟିକାକରଣ କରାଯାଇଛି। ଟିକାକରଣ କରିବାକୁ କେନ୍ଦ୍ର ସରକାର ଅନ୍‌ଲାଇନ୍‌ରେ ୩ଟି ସାଇଟ୍ (ଉମଙ୍ଗ, କୋଵିନ୍ ଓ ଆରୋଗ୍ୟ ସେତୁ) ଖୋଲିଛନ୍ତି। ଏହି ୩ଟି ଲିଙ୍କ୍‌କୁ ଟାର୍ଗେଟ୍ କରି ସାଇବର ଅନ୍‌ଲାଇନ୍‌ରେ ମାଳମାଳ ନକଲି ଲିଙ୍କ୍ ବିଛାଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ଏହି ଆପ୍‌ରେ ମାତ୍ରାଧିକ କ୍ଲିକ୍ ଯୋଗୁଁ ଅନେକ ସମୟରେ ସର୍ଭର ଜାମ୍ ରହୁଛି। ଫଳରେ ଲୋକେ ବ୍ୟସ୍ତ ହୋଇ ସାଇବର ଠକର ଲିଙ୍କ୍‌ରେ କ୍ଲିକ୍ କରି ଟଙ୍କା ହରାଉଛନ୍ତି। ତେବେ ବର୍ତ୍ତମାନ ବିନା ସ୍ଲଟ୍ ବୁକିଂରେ ଟିକାକରଣ କରିବା ଯୋଗୁଁ ଟିକାକରଣକୁ ନେଇ ଆଉ ସେହିଭଳି ସାଇବର ଠକେଇ ଦେଖିବାକୁ ମିଳୁନାହିଁ।

କୋଭିଡ୍ ସବ୍‌ସିଡି ଓ ଋଣ ନାଁରେ ଠକେଇ
କରୋନା ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ଅନଗ୍ରସର ବର୍ଗଙ୍କୁ ସବ୍‌ସିଡି ବା ଋଣ ମିଳିବ ବୋଲି କହି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ନେଉଛି ସାଇବର ଠକ। ପ୍ରଥମେ ଟଙ୍କା ପାଇବା ଲୋଭରେ ସାଇବର ଠକ ମାଗିଥିବା ସମସ୍ତ ତଥ୍ୟ ଦେବା ପରେ ଆପଣ ଲୋନ୍ ନେବାକୁ ଯୋଗ୍ୟ ନୁହନ୍ତି ବୋଲି ମେସେଜ୍ ସ୍କ୍ରିନ୍‌ରେ ଦେଖାଇବ। ଏହା ପରେ ଆପଣ ଦେଇଥିବା ତଥ୍ୟକୁ ନେଇ ସାଇବର୍ ଠକ ଆପଣଙ୍କ ପାଖକୁ ମେସେଜ୍ କରି ଟଙ୍କା ମାଗିବ।

DNA India

କରୋନା ଟେଷ୍ଟିଂ ଆଳରେ ଠକେଇ
କରୋନା ଟେଷ୍ଟ କରାଇବା ଆଳରେ ମଧ୍ୟ ଟଙ୍କା ଲୁଟି‌ ନେଉଛି ସାଇବର ଠକ। ଅନ୍‌ଲାଇନ୍‌ରେ କରୋନା ଟେଷ୍ଟ କରାଇଦେବ କହି ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ମାଗୁଛି ଏବଂ ଏ ନେଇ ମୂଲଚାଲ୍ ଛିଡ଼ିବା ପରେ ସେ ଅନ୍‌ଲାଇନ୍‌ରେ ଟଙ୍କା ପଠାଇବାକୁ କହୁଛି। ଏହାକୁ ବିଶ୍ବାସ କରି ଯଦି କେହି ଆକାଉଣ୍ଟରୁ ଟଙ୍କା ପଠ‌ାଉଛି, ତାହା ଠକ ହ୍ୟାକ୍ କରି ପୂରା ଆକାଉଣ୍ଟ ଖାଲି କରି ‌ନେଇଯାଉଛି।

ଟେଲିମେଡିସିନି ଓ ମେଡିସିନି ଆଳରେ ଠକେଇ
କରୋନା ଯୋଗୁଁ ଏବେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଓପିଡି ସୁବିଧା ବନ୍ଦ ହୋଇଛି। ଏଥିପାଇଁ ରୋଗୀଙ୍କୁ ବିକଳ୍ପ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଟେଲିିମେଡିସିନି ଆପ୍ ଓ ନମ୍ବର ଡାକ୍ତରଖାନା ପକ୍ଷରୁ ଜାରି କରାଯାଇଛି। ଅନେକ ଘରୋଇ ସଂସ୍ଥା ଅନ୍‌ଲାଇନ୍‌ ଭିଡିଓ କଲିଂ ମାଧ୍ୟମରେ ଲୋକଙ୍କୁ ଚିକିତ୍ସା ପରାମର୍ଶ ଦେଉଛନ୍ତି। ଏହାର ଫାଇଦା ନେଇ ସାଇବର ଠକ ନକଲି ଭିଡିଓ କଲିଂ ନମ୍ବର ଦେଇ ଲୋକଙ୍କୁ ଠକୁଛନ୍ତି। ବିଶେଷଜ୍ଞଙ୍କ ପରାମର୍ଶ ପାଇଁ ପ୍ରଥମେ ୫୦ ପ୍ରତିଶତ ଟଙ୍କା ଓ ପରାମର୍ଶ ପରେ ୫୦ ପ୍ରତିଶତ ଟଙ୍କା ଦେବାକୁ ପରାମର୍ଶ ଦେଉଛନ୍ତି। ମାତ୍ର ଟଙ୍କା ନେବା ପରେ ଭିଡିଓ କଲ୍‌ରେ ବିଶେଷଜ୍ଞ ନୁହେଁ; ଆପଣଙ୍କ ମୁହଁର ରେକର୍ଡିଂ ହେଉଛି। ଯାହାକୁ ଏଡିଟ୍ କରି ସାଇବର ଠକ ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଉଲଗ୍ନ ଫଟୋ ଛାଡ଼ିଦେବାର ଧମକ ଦେଉଛି ଏବଂ ବ୍ଲାକମେଲ୍ କରି ଟଙ୍କା ମାଗୁଛି। ସେହିଭଳି ଅନ୍‌ଲାଇନ୍‌ରେ ଔଷଧ ସେବା ଘରେ ପହଞ୍ଚାଇବା ପାଇଁ ସାମାଜିକ ଗଣମାଧ୍ୟମରେ କିଛି ନକଲି ନମ୍ବର ଘୂରି ବୁଲୁଛି। ତେବେ ଉକ୍ତ ନମ୍ବର ବା ସାଇଟ୍‌ରୁ ଔଷଧ ଅର୍ଡର କରି ଲୋକେ ଠକାମିର ଶିକାର ହେଉଛନ୍ତି।

ଡୋନେସନ୍ ଓ ଚାରିଟି ସ୍କାମ୍
ଏହି ନୂଆଧରଣର ଠକେଇ ପାଇଁ ସାଇବର ଠକ ସାମାଜିକ ଗଣମାଧ୍ୟମରେ ଏକ ମିଥ୍ୟା ଖବର ପ୍ରଚାର କରନ୍ତି। ସେମାନେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ କୋଭିଡ୍ ରୋଗୀଙ୍କ ମାଗଣା ଚିକିତ୍ସା କରୁଛନ୍ତି। ଏଥିପାଇଁ କିଛି ମିଥ୍ୟା ଫଟୋ ପଠାଇ ଲୋକଙ୍କୁ ଟଙ୍କା ମାଗୁଛନ୍ତି। ନିଜକୁ ଏକ ପ୍ରତିଷ୍ଠିତ ଏନ୍‌ଜିଓ କର୍ତ୍ତୃପକ୍ଷ ବୋଲି ସୂଚିତ କରି ଅନ୍‌ଲାଇନ୍‌ରେ ଟଙ୍କା ନିଅନ୍ତି। ଏହା ପରେ ଉକ୍ତ ନମ୍ବର ଓ ଆଇଡି ପରିବର୍ତ୍ତନ କରି ଅନ୍ୟ ଲୋକଙ୍କୁ ଟଙ୍କା ମାଗନ୍ତି। ଆପଣ ଉକ୍ତ ନମ୍ବର ବା ଫେସବୁକ୍ ଆଇଡି ଅନୁସରଣ କଲେ ମଧ୍ୟ କିଛି ତଥ୍ୟ ପାଇବେ ନାହିଁ।

ଅମ୍ଳଜାନସ୍ତର ମାପିବା ନାଁରେ ଠକେଇ
କରୋନା ଯୋଗୁଁ ଶରୀରରେ ଅମ୍ଳଜାନ ସ୍ତର କମିବା ଏକ ଲକ୍ଷଣ। ତେଣୁ ଅନେକ ଲୋକ ଅକ୍ସିମିଟର୍ ଜରିଆରେ ନିଜ ଶରୀରରେ ଅମ୍ଳଜାନ ସ୍ତର ଠିକ୍ ଅଛି କି ନାହିଁ ତଥା ଅସୁସ୍ଥ କରୋନା ରୋଗୀଙ୍କୁ ଅମ୍ଳଜାନ ସିଲିଣ୍ଡର୍ ଯୋଗାଇଦେବା ପାଇଁ ବିଭିନ୍ନ ଡାକ୍ତରଖାନା ଓ ଔଷଧ ଦୋକାନୀଙ୍କ ସହିତ ପରାମର୍ଶ କରୁଛନ୍ତି। ଏଥିରେ ନିରାଶ ହେବା ପରେ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା କିଛି ନମ୍ବରକୁ ଫୋନ୍ କରି ସହାୟତା ମାଗୁଛନ୍ତି। ତେବେ ସେଥିମଧ୍ୟରୁ ଅନେକ ନମ୍ବର ସାଇବର ଠକଙ୍କ ଦ୍ବାରା ପ୍ରଦତ୍ତ। ଫୋନ୍ କରି ସହାୟତା ମାଗିଲେ ସାଇବର ଠକ ଜଣେ ରୋଗ ବିଶେଷଜ୍ଞଙ୍କ ଭଳି ପେସାଦାର୍ ଢଙ୍ଗରେ କଥା ହେବ। ଆଉ ଏହା ପରେ ନିୟମର ପାଠପଢ଼ାଇ ମୋବାଇଲ୍‌କୁ କ୍ୟୁଆର୍ କୋଡ୍ ପଠାଇ ଟଙ୍କା ମାଗିବ। କ୍ୟୁଆର୍ କୋଡ୍ ସ୍କାନ୍ କରିବା ମାତ୍ରେ ହ୍ୟାକର୍ ଆକାଉଣ୍ଟ୍ ଖାଲି କରିଦେବ। ଶରୀରର ଅମ୍ଳଜାନ ସ୍ତର ମାପିବାକୁ ନେଇ ମଧ୍ୟ ଆପ୍ ଡାଉନଲୋଡ୍ ଜରିଆରେ ଲୁଟ୍ କରୁଛି ଠକ। ଜଣେ ଏହି ଆପ୍ ଡାଉନ୍‌ଲୋଡ୍‌ କଲେ ଠକ ଶରୀର ଅମ୍ଳଜାନ ସ୍ତର ମାପିବା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବୁଢ଼ା ଆଙ୍ଗୁଠି ରଖିବାକୁ କୁହେ। ଏହା ପରେ ମୋବାଇଲ୍‌ରେ ଥିବା ତଥ୍ୟ ସମେତ କଣ୍ଟାକ୍ଟ ନମ୍ବର୍‌ ଓ ମେସେଜ୍‌ ବ୍ୟବସ୍ଥାକୁ ହ୍ୟାକ୍ କରିନିଏ। ମୋବାଇଲ୍‌କୁ ଓଟିପି ପଠାଇ ବ୍ୟାଙ୍କରୁ ଟଙ୍କା ଉଠାଇନିଏ। ଏହି ଫେକ୍ ଅକ୍ସିମିଟର୍ ଆପ୍ ଉପରେ ପୂର୍ବରୁ ଏକାଧିକ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିସାରିଛନ୍ତି।

The post କରୋନାଜନିତ ସାଇବର ଠକେଇ first appeared on Sambad.

from ବିଶେଷ | Sambad https://ift.tt/39mP2i4

Post a Comment

0 Comments